ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମେ’ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହେବ। ଏହାସହ ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ବୁଧବାର ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟାର ବିଭିନ୍ନ ନୀତି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  

ଛତିଶା ନିଯୋଗର ନିଷ୍ପତ୍ତି ଅନୁସାରେ ଅକ୍ଷୟ ତୃତୀୟା ଦିନ ଅପରାହ୍ଣ ୩ଟାରେ ଶ୍ରୀମନ୍ଦିରରେ ଦ୍ଵାଦଶ ଯାତ୍ରା ଓ ନକ୍ଷେତ୍ର ବନ୍ଦାପନା ହେବ। ଏହାପରେ ଅପରାହ୍ଣ ୩ଟା ୩୦ରେ ବିମାନକୁ ଠାକୁର ବିଜେ କରିବେ। ଏହାପରେ ଅପରାହ୍ଣ ୪ଟାରେ ରଥ ଖଳାରେ ବିମାନ ଓ ଆଜ୍ଞାମାଳ ପହଞ୍ଚିବ। ଶେଷରେ ରାତି ୧୦ଟାରେ ଚନ୍ଦନ ଠାକୁର ପୁଣି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ହୋଇଛି।

ଅକ୍ଷୟ ତୃତୀୟାର ସବୁ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା। ସେହିପରି ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିଲେ। ଏହାସହ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ପୁରୀ ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ସଦସ୍ୟଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

Tags: #ShreeJagannathTemple #AkshayaTritiya #Rituals #Puri

LEAVE A REPLY

Please enter your comment!
Please enter your name here