ଓଡ଼ିଶାଲାଇଭ୍ ବ୍ୟୁରୋ

(ସୁନ୍ଦରଗଡ଼): ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ। ଏହି ଅବସରରେ ଶନିବାର ଦିନ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜନଜାତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଅଭିନବ ପ୍ରକଳ୍ପ ପ୍ରମୁଖ ଆକର୍ଷଣ ପାଲଟିଥିଲା।

ଏହି ବିଜ୍ଞାନ ପ୍ରଦର୍ଶନୀରେ ୧୫ଟି ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ମୋଟ ୨୬ଟି ଷ୍ଟଲରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଆଧୁନିକ ଡ୍ରୋନ ଟେକ୍ନୋଲୋଜି ବ୍ୟବହାର କରି ପରିବେଶର ଅନୁଧ୍ୟାନ, ପୁନଃବନୀକରଣ, ପରିବେଶ ଅନୁକୂଳ ସହର, ଜଳ ଓ ବିଦ୍ୟୁତ ସଂରକ୍ଷଣ, ଚିମିନି ଗ୍ୟାସରୁ ବିଦ୍ୟୁତ ଉତ୍ପାଦନ ଆଦି ପ୍ରକଳ୍ପ ସ୍ଥାନ ପାଇଥିଲା।

ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଟୁକୁ ବାରିକ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନ, ଏସସିଏସଟିଆରଟିଆଇ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଏବଂ ଓଏସଡି ସନ୍ତୋଷ କୁମାର ଭୁତିଆ ପ୍ରମୁଖ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଛାତ୍ରଛାତ୍ରୀମାନେ ଅଭିନବ ଉପାୟରେ ପ୍ରସ୍ତୁତ କରିଥିବା ଆକର୍ଷଣୀୟ ପ୍ରକଳ୍ପଗୁଡ଼ିକୁ ସେମାନେ ପ୍ରଶଂସା କରିଥିଲେ।

ସର୍ଗି ଫୁଲ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଭିତରେ ରହିଥିବା ସର୍ଜନାତ୍ମକ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଉଛି। ତୃତୀୟ ଦିନରେ ଓଡ଼ିଶୀ ନୃତ୍ୟ, ଷ୍ଟୋରି ଟେଲିଂ, ମ୍ୟାଜିକ୍ ସୋ’, ଚାଟ୍ ପେପର ବା କାର୍ଡ ବୋର୍ଡରୁ ବିଭିନ୍ନ ଆକୃତିର ଆକର୍ଷଣୀୟ କାଗଜ କଣ୍ଢେଇ ପ୍ରସ୍ତୁତି, ଅଦରକାରୀ କାଗଜ ଓ ଅଣ୍ଡାଖୋଳରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଦି ପ୍ରସ୍ତୁତି ଉପରେ କର୍ମଶାଳା କରାଯାଇଥିଲା।

ସେହିପରି ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିକ, କୁଇଜ୍, ଏକକ ଅଭିନୟ, ଏକକ ସଙ୍ଗୀତ ଏବଂ ଗ୍ରୁପ୍ ଡ୍ୟାନ୍ସ ଆଦି ପ୍ରତିଯୋଗିତା ହୋଇଥିଲା। ସୁନ୍ଦରଗଡ଼ଠାରେ ଆୟୋଜିତ ଉତ୍ତର-ଓଡ଼ିଶା ଜୋନସ୍ତରୀୟ ସର୍ଗି ଫୁଲ୍ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

Tags: #Sundargarh #Sargiful #Festival #ZonalSargiful #ChildrensFestival

Comment