ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ରେ ମେ’ ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନିର୍ବାଚନ ପ୍ରସ୍ତୁତି ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରା ନିର୍ବାଚନ ତାରିଖ ଘୋଷିତ ହେବାପରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ଓ ଏହାର ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୫ ଲକ୍ଷ ୬୭ ହଜାର ୬୫ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୭୩ ହଜାର ୫୭୧ ଜଣ ପୁରୁଷ ଭୋଟର ଏବଂ ୭ ଲକ୍ଷ ୯୩ ହଜାର ୩୨୭ ଜଣ ମହିଳା ଭୋଟର ରହିଛନ୍ତି।

ସେହିପରି ଜିଲ୍ଲାରେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୨୧ ହଜାର ୪୨, ତୃତୀୟ ଲିଙ୍ଗି ଭୋଟରମାନଙ୍କ ସଂଖ୍ୟା ୧୬୭ ରହିଥିବାବେଳେ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୯,୪୨୨ ରହିଛି। ଏହାସହ ନୂଆ ଭୋଟରଙ୍କ ସଂଖ୍ୟା ୩୭ ହଜାର ୬୧୭ ଏବଂ ୨୦ରୁ ୨୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୭୩୭ ରହିଛି।

“ସାଧାରଣ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୧,୮୪୭ଟି ମତଦାନ କେନ୍ଦ୍ର ରହିବ। ନିର୍ବାଚନ ପାଇଁ ଜିଲ୍ଲାରେ ୧୨ ହଜାର ପୋଲିଂ ଅଧିକାରୀ ନିୟୋଜିତ ହେବେ। ସେମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବାକୁ ଗୁରୁତ୍ଵ ଦେଉଛୁ। ଏଥିପାଇଁ ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ”, କହିଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ସେ ଆହୁରି ମଧ୍ୟ କହିଥିଲେ, “ଏବେ ନିର୍ବାଚନ ପାଇଁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥିପାଇଁ ଜିଲ୍ଲାରେ ୨୨ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଛି। ସେମାନେ ଆଚରଣ ବିଧି ଉଲ୍ଲଂଘନ ଜନିତ ଅଭିଯୋଗଗୁଡ଼ିକ ବୁଝିବେ। ସେହିଭଳି ନିର୍ବାଚନ ପାଇଁ ଜିଲ୍ଲା ଯୋଗାଯୋଗ କେନ୍ଦ୍ର ମଧ୍ୟ କାର୍ଯ୍ୟକାରୀ ହୋଇଛି। ଏହାର ଟୋଲ ଫ୍ରି ନମ୍ବର ୧୯୫୦ ମାଧ୍ୟମରେ ନିର୍ବାଚନ ସମ୍ବନ୍ଧିତ ଅଭିଯୋଗଗୁଡ଼ିକ ଦାଖଲ ହୋଇପାରିବ।”

ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରିଟର୍ଣ୍ଣିଂ ଅଧିକାରୀ ରହିଛନ୍ତି। ସେହିପରି ତଳସରା ବିଧାନସଭା କ୍ଷେତ୍ର ନିମନ୍ତେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ର ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଅଭିମନ୍ୟୁ ମାଝି ରିଟର୍ଣ୍ଣିଂ ଅଧିକାରୀ ରହିଛନ୍ତି।  

ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଅଭିମନ୍ୟୁ ମାଝି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୁଃଖବନ୍ଧୁ ନାୟକ, ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ ପ୍ରମୁଖ ଯୋଗ ଦେଇଥିଲେ।

Tags: #IndianGeneralElections #Sundargarh #Voting #ECI #SundargarhDistrictAdministration

Comment