ବିଶ୍ଵଜିତ ସାହୁ

ସୁନ୍ଦରଗଡ଼ ମାଟି ଭାରତୀୟ ହକିକୁ ଭେଟି ଦେଇଛି ଅନେକ ପୁରୁଷ ଓ ମହିଳା ହକି ତାରକା। ଯେଉଁମାନେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି। ସେହିଭଳି ଜଣେ ହକି ତାରକା ହେଉଛନ୍ତି ସୁଭଦ୍ରା ପ୍ରଧାନ। ଭାରତର ପରିଚିତ ହକି ଭିଲେଜ ସଉନାମରାରେ ଜନ୍ମିତ ସୁଭଦ୍ରା ଭାରତୀୟ ମହିଳା ହକି ଦଳର ନେତୃତ୍ଵ ମଧ୍ୟ ନେଇଛନ୍ତି। ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ସୁଭଦ୍ରା ତାଙ୍କ ହକି ଜୀବନର ଅନେକ ଖଟା ମିଠା ସ୍ମୃତି ବାଣ୍ଟିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକରେ ରହିଛି ସଉନାମରା ଗାଁ। ଏହି ଗାଁଟି ହକି ଭିଲେଜ ଭାବେ ବେଶ୍ ପରିଚିତ। କେହି କେହି ତ ଏହାକୁ ହକିର ଖଣି ମଧ୍ୟ କହନ୍ତି। ଏପରି କହିବାର କାରଣ ହେଉଛି ଏହି ଗାଁରେ ଏକାଧିକ ହକି ତାରକା ଜନ୍ମ ନେଇଛନ୍ତି। ଯେଉଁଥିରୁ ୮ ଜଣ ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ରାଜ୍ୟ ଏବଂ ଦେଶର ଗୌରବ ସାଜିଛନ୍ତି। ଭାରତୀୟ ହକିର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ପଦରେ ରହିଥିବା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କର ଜନ୍ମ ସଉନାମରା ଗାଁରେ। ଏହି ଗାଁର ପ୍ରଥମ ମହିଳା ଅନ୍ତର୍ଜାତୀୟ ହକି ତାରକା ହେଉଛନ୍ତି ସୁଭଦ୍ରା ପ୍ରଧାନ।‘ପୁଅ ପିଲାଙ୍କ ସହ ଖେଳୁଥିଲି ହକି’

ସୁଭଦ୍ରାଙ୍କ ଘରେ ତାଙ୍କର ଜଣେ ଭାଇ ହକି ଖେଳୁଥିଲେ। ହେଲେ ସେତେବେଳେ ଗାଁରେ କେହି ଝିଅ ହକି ଖେଳୁ ନଥିଲେ। ମାତ୍ର ପିଲାଟି ବେଳୁ ହକି ପ୍ରତି ବେଶ୍ ଆକର୍ଷିତ ହୋଇଥିଲେ ସୁଭଦ୍ରା। ତେଣୁ ଗାଁ ଦାଣ୍ଡରେ ପୁଅମାନଙ୍କ ସହ ସେ ହକି ଖେଳିବା ଆରମ୍ଭ କରିଥିଲେ। ପିଲାଟିବେଳୁ ହିଁ ତାଙ୍କର ସ୍ଵତନ୍ତ୍ର ହକି ପ୍ରତିଭା ଫୁଟି ଉଠିଥିଲା। ପୁଅମାନଙ୍କ ବେଗ ଏବଂ କୌଶଳକୁ ମାତ୍ ଦେଇ ହକି ବଲ୍‌କୁ ନିଜ ଆୟତ୍ତକୁ ଆଣି ପାରୁଥିଲେ ସୁଭଦ୍ରା।

‘ହକି ଖେଳିଲେ ରେଡିଓ କମେଣ୍ଟ୍ରିରେ ନାଁ ଆସିବ’ 

ସୁଭଦ୍ରା ଯେତେବେଳେ ଛୋଟ ପିଲା ଥିଲେ, ସେତେବେଳେ ତାଙ୍କ ଗାଁରୁ ବାହାରି ଦିଲ୍ଲୀପ ତିର୍କୀ ଦେଶ ପାଇଁ ହକି ଖେଳୁଥିଲେ। ଦିଲ୍ଲୀପଙ୍କ ହକି ସଫଳତା ରେଡିଓ କମେଣ୍ଟ୍ରିରେ ବାଜୁଥିଲା। ତାହାକୁ ଶୁଣି ସୁଭଦ୍ରା ହକି ଖେଳିବାକୁ ଆହୁରି ପ୍ରଭାବିତ ହୋଇଥିଲେ। ଦିଲ୍ଲୀପଙ୍କୁ ନିଜ ଆଦର୍ଶ ମାନି ହକିରେ ଆଗକୁ ବଢ଼ିଥିଲେ। ଭଲ ହକି ଖେଳିଲେ ତାଙ୍କ ନାଁ ବି ଦିନେ ରେଡିଓ କମେଣ୍ଟ୍ରିରେ ବାଜିବ, ଏ ଆଶା ରଖିଥିଲେ ସୁଭଦ୍ରା।

“ସୁନ୍ଦରଗଡ଼ର ସଉନାମରା ଗାଁରେ ମୋର ଜନ୍ମ, ଯେଉଁଠି ମହାନ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଜନ୍ମ ହୋଇଛନ୍ତି। ହକିରେ ତାଙ୍କ ସଫଳତାର କଥା ରେଡିଓରୁ ଶୁଣି ମୋର ବି ଇଚ୍ଛା ହେଲା ତାଙ୍କ ପରି ହକି ଖେଳିବି। ମୋ ନାଁ ବି ରେଡିଓ କମେଣ୍ଟ୍ରିରେ ଆସିବ। ତେଣୁ ପିଲାଟିବେଳୁ ତାଙ୍କୁ ଆଦର୍ଶ ମାନି ମୁଁ ହକି ଖେଳି ଆସିଛି”, ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି ହକି ତାରକା ସୁଭଦ୍ରା ପ୍ରଧାନ।

ହକି ପାଇଁ ବାପାଙ୍କଠୁ ମାଡ଼ ଖାଇଥିଲେ

ସୁନ୍ଦରଗଡ଼ର ଏକ ଗରିବ କିଷାନ ପରିବାରରେ ସୁଭଦ୍ରାଙ୍କ ଜନ୍ମ। ତାଙ୍କ ବାପା ଚାଷ ଏବଂ ମୂଲ ମଜୁରୀ କରି ଘର ଚଳାଉଥିଲେ। ତେଣୁ ସେ ଚାହୁଁ ନଥିଲେ ସୁଭଦ୍ରା ହକି ଖେଳନ୍ତୁ। କାରଣ ଘରେ ଗୋଟିଏ ବୋଲି ଝିଅ ଥିଲେ ସୁଭଦ୍ରା ଏବଂ ଘରେ ତାଙ୍କୁ ସମସ୍ତେ ବେଶ୍ ସ୍ନେହ ମଧ୍ୟ କରୁଥିଲେ। ମାତ୍ର ପିଲାଟିବେଳୁ ହିଁ ହକି ପ୍ରେମରେ ପଡ଼ିଯାଇଥିଲେ ସୁଭଦ୍ରା। ହେଲେ ବାପାଙ୍କ ଡରରେ ଘରୁ ବାହାରି ପାରୁନଥିଲେ। ତେଣୁ ବାପା କାମକୁ ଯିବା ପରେ ଲୁଚିକରି ହକି ଖେଳିବାକୁ ବାହାରି ସେ ବାହାରି ପଡୁଥିଲେ।

“ବାପା ଚାହୁଁ ନଥିଲେ କି ମୁଁ ହକି ଖେଳେ। କାରଣ ଆମ ଘରେ ମୁଁ ଗୋଟିଏ ବୋଲି ଝିଅ ଥିଲି। ହେଲେ ହକି ପ୍ରତି ମୋର ବେଶ୍ ଦୁର୍ବଳତା ଥିଲା। ତେଣୁ ବାପା ଘରେ ନଥିଲା ବେଳେ ଲୁଚି ଲୁଚି ଯାଇ ହକି ଖେଳୁଥିଲି, ଆଉ ଥରେ ଧରା ପଡ଼ିଗଲି। ସେଦିନ ବାପା ମତେ ଏମିତି ବାଡ଼େଇଲେ ଯେ, ମତେ ଜ୍ଵର ହେଇଯାଇଥିଲା”, ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ନିଜ ପିଲାବେଳର ଏଭଳି ସ୍ମୃତିକୁ ମନେ ପକାଇଛନ୍ତି ସୁଭଦ୍ରା।ହକି ଖେଳକୁ ନେଇ ସୁଭଦ୍ରାଙ୍କ ବାଟରେ ଅନେକ ବାଧା ଆସିଥିଲା। ହେଲେ ସେସବୁକୁ ପଛେ ଛାଡ଼ି ସେ କେବଳ ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢ଼ିଥିଲେ, ବଡ଼ ହକି ତାରକା ହେବି। ତାଙ୍କର ଏ ସ୍ଵପ୍ନକୁ ଏକ ନୂଆ ରାସ୍ତା ଦେଖାଇଥିଲା ପାନପୋଷ କ୍ରୀଡ଼ା ଛାତ୍ରାବାସ। ୧୯୯୭ ମସିହାରେ ଏଇଠାରୁ ମୂଳଦୁଆ ପଡ଼ିଥିଲା ତାରକା ଖେଳାଳି ସୁଭଦ୍ରା ପ୍ରଧାନଙ୍କର ହକି ଜୀବନର।

କାଳୁଚରଣ ଚୌଧୁରୀ, ଅମୂଲ୍ୟାନନ୍ଦ ବିହାରୀ, ପି. ମଧୁକରଣ ଏବଂ ବିଜୟ ଲାକ୍ରାଙ୍କ ଭଳି ହକି ପ୍ରଶିକ୍ଷକଙ୍କଠାରୁ ତାଲିମ ନେଇଥିଲେ ସୁଭଦ୍ରା। ବଡ଼ ଭାଇ ଦିଲ୍ଲୀପ ତିର୍କୀଙ୍କ ପରି ଡିଫେଣ୍ଡରଟିଏ ହେବା ପାଇଁ ନିୟମିତ କସରତ୍ କରିବା ଆରମ୍ଭ କରିଦେଲେ। ମନରେ ଥାଏ ଭାରତୀୟ ଦଳର ଜର୍ସି ପିନ୍ଧିବେ। ଛାତିରେ ଲେଖା ହେଇଥିବା ‘ଇଣ୍ଡିଆ’। ଏହି ଦୃଢ଼ ମନୋବଳ ନେଇ ହକିର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କଲେ ସୁଭଦ୍ରା। ଶେଷକୁ ଭାରତୀୟ ମହିଳା ହକି ଦଳରେ ତାଙ୍କୁ ସ୍ଥାନ ମିଳିଲା।

ଏକା ସମୟରେ ପୁରୁଷ ଓ ମହିଳା ଦଳର ନେତୃତ୍ଵ ନେଇଥିଲେ ଦିଲ୍ଲୀପ-ସୁଭଦ୍ରା

ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ଦିଲ୍ଲୀପ ତିର୍କୀ ଏବଂ ସୁଭଦ୍ରା ପ୍ରଧାନ ଉଭୟ ସଉନାମରା ଗାଁ ପାଇଁ ଗୌରବ ଆଣିଥିଲେ। ଉଭୟଙ୍କ ହକି କ୍ୟାରିୟରରେ ଏଭଳି ଏକ ସମୟ ଆସିଥିଲା ଯେ, ଉଭୟ ଏକା ସମୟରେ ଜାତୀୟ ଦଳର ନେତୃତ୍ଵ ନେଇଥିଲେ। ସଉନାମରା ଇତିହାସରେ ଏହା ଥିଲା ପ୍ରଥମ। ୨୦୦୪ ମସିହାରେ ଦିଲ୍ଲୀପ ତିର୍କୀ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ଥିବା ବେଳେ ଭାରତୀୟ ମହିଳା ହକି ଦଳର କମାଣ ସମ୍ଭାଥିଲେ ସୁଭଦ୍ରା। ଉଭୟଙ୍କ ନେତୃତ୍ଵରେ ଭାରତକୁ ବେଶ୍ ସଫଳତା ମଧ୍ୟ ମିଳିଥିଲା।

ଖାସି ଟୁର୍ଣ୍ଣାମେଣ୍ଟ ତିଆରି କରେ ହକି ତାରକା

ସୁନ୍ଦରଗଡ଼ରେ ହକି ପରମ୍ପରାର ଏକ ସ୍ଵତନ୍ତ୍ର କଥା ହେଉଛି ଏଠାରେ ଆୟୋଜିତ ହେଉଥିବା ଖାସି ଟୁର୍ଣ୍ଣାମେଣ୍ଟ। ଏଠାରେ ମ୍ୟାଚ୍ ଜିତିଲେ ପୁରସ୍କାର ଭାବେ ଦିଆଯାଏ ଖାସି। ପ୍ରତିବର୍ଷ ସୁନ୍ଦରଗଡ଼ରେ ହଜାରେରୁ ଅଧିକ ଖାସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ। ସୁନ୍ଦରଗଡ଼ିଆଙ୍କ ପାଇଁ ଖାସି ଜିତିବା କେବଳ ଏକ ପୁରସ୍କାର ନୁହେଁ ବଂର ନିଜ ଗାଁ ପାଇଁ ସମ୍ମାନ ଜିତିବାର ବିଷୟ। ତେଣୁ ପିଲଠାରୁ ବୟସ୍କ ଖାସି ଟୁର୍ଣ୍ଣାମେଣ୍ଟରେ ଭାଗ ନିଅନ୍ତି। ଏହି ଖାସି ଟୁର୍ଣ୍ଣାମେଣ୍ଟରୁ ହିଁ ଭବିଷ୍ୟତର ଜାତୀୟ, ଅନ୍ତର୍ଜାତୀୟ ହକି ତାରକା ଜନ୍ମ ନିଅନ୍ତି। ଆଜି ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରୁ ଯେତେ ହକି ତାରକା ବାହାରିଛନ୍ତି, ପ୍ରାୟ ସମସ୍ତେ ତାଙ୍କ କ୍ୟାରିୟରରେ ଖାସି ଟୁର୍ଣ୍ଣାମେଣ୍ଟ ଖେଳିଥିବା କୁହାଯାଏ। ସୁଭଦ୍ରା ମଧ୍ୟ ତାଙ୍କ ହକି ଜୀବନରେ ଅନେକ ଖାସି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି।

“ପ୍ରତିବର୍ଷ ଆମ ସୁନ୍ଦରଗଡ଼ରେ ଖାସି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୁଏ। ଏଠି ପୁରସ୍କାର ଭାବେ ଦିଆଯାଏ ଖାସି। ଗାଁ ଲୋକମାନଙ୍କ ପାଇଁ ଖାସି କେବଳ ଏକ ପୁରସ୍କାର ନୁହେଁ, ପରିଚୟ ମଧ୍ୟ। ତେଣୁ ଖାସି ଜିତିବା ପାଇଁ ପିଲାମାନେ ହକି ଟୁର୍ଣ୍ଣାମେଣ୍ଟରେ ଭାଗ ନିଅନ୍ତି। ପରେ ସେଇମାନଙ୍କ ଭିତରୁ ହିଁ ବାହାରନ୍ତି ବଡ଼ ବଡ଼ ହକି ତାରକା”, କହନ୍ତି ସୁଭଦ୍ରା ପ୍ରଧାନ।ସୁଭଦ୍ରାଙ୍କ ସଫଳ ହକି ଯାତ୍ରା

୨୦୦୩ରେ ସେ ସିନିୟର ହକି ଦଳରେ ସ୍ଥାନ ପାଇଥିଲେ ସୁଭଦ୍ରା। ସେ ୨୦୦୪ ଏସିଆ କପରେ ସ୍ଵର୍ଣ୍ଣପଦକ ଏବଂ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଲାଭ କରିଥିଲେ। ୨୦୦୭ ମସିହାରେ ପ୍ରଥମ ଭାରତୀୟ ମହିଳା ହକି ଖେଳାଳି ଭାବେ ୟୁରୋପୀୟ କ୍ଲବରେ ହକି ଖେଳିଥିଲେ ସୁଭଦ୍ରା। ସେହିବର୍ଷ ସେ ଡଚ୍ କ୍ଲବ୍ ହକି କାଉନସିଲ ପାଇଁ ହକି ଖେଳି ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ୨୦୦୯ରେ ଖେଳାଯାଇଥିବା ଏସିଆ କପରେ ଭାରତ ରନର୍ସଅପ୍ ହୋଇଥିଲା। ଏହି ସଫଳତାରେ ସୁଭଦ୍ରାଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଥିଲା। ହକିକୁ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୬ରେ ତାଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୀର୍ଘ ୧୨ ବର୍ଷ ଭାରତୀୟ ଦଳ ପାଇଁ ହକି ଖେଳି ୨୦୧୨ରେ ଅବସର ନେଇଥିଲେ। ସେବେଠାରୁ ସେ ଦକ୍ଷିଣ-ପୂର୍ବ ରେଳବାଇ ଟିମ୍ ପକ୍ଷରୁ ହକି ଖେଳୁଛନ୍ତି ଏବଂ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

Tags: #SubhadraPradhan #Hockey #Sundargarh #IndianWomensHockeyTeam #HockeyIndia

Comment