ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ସୋମବାର ତାମିଲନାଡ଼ୁର ବଡ଼ ରାଜନୈତିକ ଦଳ ଏଆଇଏଡିଏମକେ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଏନେଇ ଏଆଇଏଡିଏମକେ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଛି।

ଏଆଇଏଡିଏମକେ ପକ୍ଷରୁ କୁହାଯାଇଛି, “ଗତ ବର୍ଷେ ହେବ ତାମିଲନାଡ଼ୁ ବିଜେପିର ଅନେକ ନେତା ଆମ ପାର୍ଟି ବିରୋଧରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି। ଏଆଇଏଡିଏମକେ ସାଧାରଣ ସମ୍ପାଦକ ଇଡାପଡି ପଲାନିସ୍ୱାମୀ ଓ ଅନ୍ୟ ନେତାଙ୍କୁ ସମାଲୋଚନା କରୁଛନ୍ତି। ମେଣ୍ଟରେ ଥାଇ ଆମେ କିଛି ଉନ୍ନତିମୂଳକ କାମ କରିପାରୁନାହୁଁ। ଏଥିପାଇଁ ଆଜି ହୋଇଥିବା ଦଳର ବୈଠକରେ ଏନଡିଏ ସହ ମେଣ୍ଟ ଭାଙ୍ଗିବାକୁ ସ୍ଥିର କରାଯାଇଛି।”

ସୋମବାର ହୋଇଥିବା ଏଆଇଏଡିଏମକେର ବୈଠକରେ ଇଡାପଡି ପଲାନିସ୍ୱାମୀ ଅଧ୍ୟକ୍ଷତା କରିଥିଲେ। ଏଠାରେ ଏନଡିଏରୁ ଓହରିବା ପାଇଁ ସର୍ବସମ୍ମତିରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆସନ୍ତା ଲୋକସଭା ନିର୍ବାଚନରେ ତାମିଲନାଡ଼ୁରେ ଦଳ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି।

ଏଆଇଏଡିଏମକେ ନେତାମାନଙ୍କୁ ତାମିଲନାଡ଼ୁ ବିଜେପିର ସଭାପତି କେ ଅନ୍ନାମଲାଇଙ୍କ ସମାଲୋଚନା ଯୋଗୁଁ ଦଳରେ ଅସନ୍ତୋଷ ବଢ଼ିଚାଲିଥିଲା। ଏନଡିଏରୁ ଅଲଗା ହେବା ପାଇଁ କିଛିଦିନ ହେବ ଏଆଇଏଡିଏମକେ ଦଳରେ ସ୍ଵର ମଧ୍ୟ ଉଠୁଥିଲା। ତେବେ ଏହା ମଧ୍ୟରେ ଆଗକୁ ବିଜେପି କ’ଣ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Tags: #AIADMK #NDA #BJP #Alliance #2024Election #Tamilnadu #India

Comment