ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ପାଇଁ ୨୦୧୮ ବର୍ଷଟି ଏକ ମିଶ୍ରିତ ଉପଲବ୍ଧି ଥିଲା। ଗୋଟିଏ ପଟେ ଦେଶର ରାଜନୀତିରେ ତାଙ୍କ ଦବଦବା ବଢ଼ିଥିବା ବେଳେ ନିଜ ରାଜ୍ୟରେ ବିଜେପିର ଉତ୍‌ଥାନରେ ମମତାଙ୍କ ରାଜନୀତି କିଞ୍ଚିତ ଫିକା ପଡ଼ିଯାଇଥିଲା। ଏବେ କିନ୍ତୁ ୨୦୧୯ ନିର୍ବାଚନରେ ମମତାଙ୍କ ଉପରେ ସବୁ ନଜର କେନ୍ଦ୍ରୀଭୂତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟ ଯାତ୍ରା ଆରମ୍ଭ ହେଲା ପରେ ଆଞ୍ଚଳିକ ଦଳମାନେ ଏକରକମ ମଳିନ ପଡ଼ି ଯାଇଥିଲେ, କିନ୍ତୁ ମମତା ଏହି ଟ୍ରେଣ୍ଡକୁ ଭାଙ୍ଗିଦେଇଥିଲେ କେବଳ ନୁହେଁ ବିଜେପି-ବିରୋଧୀ ଜଣେ ଶକ୍ତିଶାଳୀ ନେତା ଭାବରେ ସାମ୍ନାକୁ ଆସିଥିଲେ। ସେ ବିଜେପିର ନୀତିକୁ ବାରମ୍ବାର ବିରୋଧ କରିଥିଲେ ଓ ବିମୁଦ୍ରାକରଣ ଭଳି ପଦକ୍ଷେପ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ସମାଲୋଚନା କରିବାକୁ ପଛାଇନଥିଲେ। ମୋଦିଙ୍କୁ ସାମ୍ନା କରିପାରିଥିବାରୁ ମମତା ଆପଣା ଛାଏଁ ବିରୋଧୀ ମହାମେଣ୍ଟର ନେତା ଭାବେ ପରିଗଣିତ ହେବାକୁ ଲାଗିଲେ।

ମୋ ଇଚ୍ଛାରେ ସରକାର

ରାଜନୀତି ବିଶେଷଜ୍ଞଙ୍କ ମତରେ ଯଦି ୨୦୧୯ରେ ବିଜେପି ନେତୃତ୍ୱରେ ଏନଡିଏ ଓ କଂଗ୍ରେସ ନେତୃତ୍ୱରେ ୟୁପିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ନପାରୁଛନ୍ତି ତେବେ ମମତା କିଙ୍ଗମେକର ହେବା ନିଶ୍ଚିତ। ଅର୍ଥାତ ସିଏ ଯାହାକୁ ଚାହିଁବେ ସେ ହିଁ କେନ୍ଦ୍ରରେ ସରକାର ଗଠନ କରିବେ। କୋଲକାତା ରିସର୍ଚ୍ଚ ଗ୍ରୁପର ପ୍ରଫେସର ରଣବିର ସମଦ୍ଦରଙ୍କ କହିବା ଅନୁଯାୟୀ ୨୦୧୯ ନିର୍ବାଚନଟି ଆଞ୍ଚଳିକ ଦଳ ଯଥା ତୃଣମୂଳ କଂଗ୍ରେସ ଓ ବିଜୁ ଜନତା ଦଳ ପାଇଁ ପ୍ରାଇମ୍‌ ଟାଇମ୍‌ ଭଳି ହେବ। ୨୦୧୪ ପରି ବିଜେପିକୁ ଏଥର ଏକପାଖିଆ ଫଳ ମିଳିବାର ସମ୍ଭାବନା ବହୁତ କମ୍। ଏଣୁ ମମତା ଆଶା ରଖିଛନ୍ତି ଯେ ଆସନ୍ତା ନିର୍ବାଚନ ପରେ କେନ୍ଦ୍ରରେ କିଏ ସରକାର ଗଠନ କରିବ ତାହା ତାଙ୍କ ଉପରେ ନିର୍ଭର କରିବ।

ଘନଘନ ବୈଠକ

୨୦୧୮ ବର୍ଷରେ ମମତା ଜାତୀୟ ରାଜନୀତିରେ ନିଜକୁ ସସମ୍ମାନର ସହିତ  ପ୍ରତିଷ୍ଠା କରିପାରିଛନ୍ତି। ବିରୋଧୀ ଦଳର ନେତାମାନେ ହୁଏତ ତାଙ୍କୁ ଭେଟିଛନ୍ତି କିମ୍ବା ସେ ସେମାନଙ୍କୁ ସାକ୍ଷାତ କରିଛନ୍ତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଘନଘନ ବୈଠକ ଅନୁଷ୍ଠିତ ହୋଇଛି। କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରକୁ ସମର୍ଥନ ଦେବା ବ୍ୟତୀତ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀଙ୍କୁ ଏକାଠି କରି ମିଳିତ ଭାବେ ନିର୍ବାଚନ ଲଢ଼ିବା ପାଇଁ ରାଜି କରିବା କ୍ଷେତ୍ରରେ ମମତା ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଣୁ ବିରୋଧୀ ଦଳର ଗ୍ରହଣୀୟ ନେତା ଭାବେ ସେ ନିଜର ସ୍ଥିତିକୁ ଜାହିର କରିପାରିଛନ୍ତି।

ଇତି ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ମମତା ବାନାର୍ଜୀଙ୍କ ସମର୍ଥନ ଲୋଡ଼ିଛନ୍ତି। ହେଲେ ମମତା ଯଦିଓ ଅନ୍ୟ ସବୁ ଦଳର ମୁଖ୍ୟମାନଙ୍କ ସହ ସାକ୍ଷାତ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହ କିନ୍ତୁ ମମତାଙ୍କ ଦେଖା ସାକ୍ଷାତ ଏ ପର୍ଯ୍ୟନ୍ତ ହୋଇନାହିଁ। ନିକଟରେ ଡିଏମକେ ନେତା ଷ୍ଟାଲୀନ ଯେତେବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ରାହୁଲ ଗାନ୍ଧିଙ୍କୁ ସାମ୍ନାକୁ ଅଣାଯିବ ଦରକାର ବୋଲି ପ୍ରସ୍ତାବ ଦେଇଥିଲେ ମମତା ଏହାକୁ ସମର୍ଥନ ଜଣାଇନଥିଲେ ଓ କହିଥିଲେ ଯେ କିଏ ପ୍ରଧାନମନ୍ତ୍ରୀ ହେବ ସେ କଥା ଚିନ୍ତା କରିବା ସମୟ ଆହୁରି ଆସିନାହିଁ।

ମମତାଙ୍କ ମନରେ କ’ଣ ଅଛି ତାହା କେହି ବି ଅନୁମାନ କରିପାରୁନାହାନ୍ତି କାରଣ ସେ ଅତି ସାବଧାନତାର ସହ ପାଦ ପକାଉଛନ୍ତି। ବିଭିନ୍ନ ସମୟରେ ମୋଦି ସରକାର ଓ ବିଜେପିକୁ ମୁହଁତୋଡ଼ ଜବାବ ଦେଇ ଆସିଥିବା ମମତା ବାନାର୍ଜୀ ଆଗାମୀ ଦିନରେ ଦେଶର ରାଜନୀତିରେ କି ପ୍ରକାର ଭୂମିକା ଗ୍ରହଣ କରିବା ପାଇଁ ଯାଉଛନ୍ତି ତାହା ଆମକୁ ଅପେକ୍ଷା କରି ଦେଖିବାକୁ ହେବ।

Comment