ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ। ସେ ଏବେ ଭାରତର ଦ୍ଵିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି। ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷର ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ଏବେ ନବୀନ ପଟ୍ଟନାୟକ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏବେ ସେ ଲଗାତର ପଞ୍ଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି।

ନବୀନ ପଟ୍ଟନାୟକ ୧୯୯୭ ମସିହାରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ପ୍ରଥମେ ଅସ୍କା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ଚାଲୁଥିବା କେନ୍ଦ୍ର ସରକାରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ଶେଷରେ ନବୀନ ପଟ୍ଟନାୟକ କେନ୍ଦ୍ର ରାଜନୀତିରୁ ଦୂରେଇ ଯାଇ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ତାଙ୍କ ନେତୃତ୍ୱରେ ବିଜେଡି ୨୦୦୦,୨୦୦୪,୨୦୦୯,୨୦୧୪ ଓ ୨୦୧୯ ମସିହା ବିଧାନସଭା ନିର୍ବାଚନ ଜିତି କ୍ରମାଗତ ଭାବେ ଶାସନରେ ରହିଆସିଛି।

ଅନ୍ୟପଟେ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ନାଁରେ ରହିଛି। ସେ ୧୯୯୪ ଡିସେମ୍ବର ୧୨ ତାରିଖରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ୨୪ ବର୍ଷ ୧୬୬ ଦିନ ଯାଏଁ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଥିଲେ।

Tags: #NaveenPatnaik #ChiefMinister #Politics #Odisha

Comment