ଓଡ଼ିଶାଲାଇଭ୍ ବ୍ୟୁରୋ

ହିମାଚଳ ପ୍ରଦେଶ ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଶିମଲାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ହିମାଚଳର ନୂଆ ସରକାର ସଚ୍ଚୋଟ ହେବା ସହ, ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଉପରେ କାର୍ଯ୍ୟ କରିବ ବୋଲି ସୁଖବିନ୍ଦର କହିଛନ୍ତି।

ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହୋଇଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସଚିନ ପାଇଲଟଙ୍କ ସମେତ ବହୁ ନେତା ଶପଥ ସମାରୋହରେ ଉପସ୍ଥିତ ଥିଲେ।

ଉଭୟ କଂଗ୍ରେସ ଓ ହିମାଚଳ ପାଇଁ ଏହା ନୂଆ ଇନିଂସ ବୋଲି ଗେହଲଟ କହିଛନ୍ତି। ବେକାରୀ ଓ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସ ଭାରତ ଯୋଡ ପଦଯାତ୍ରା କରୁଥିବା ବେଳେ ହିମାଚଳରୁ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି।

ହିମାଚଳ ପିସିସି ସଭାପତି ପ୍ରତିଭା ସିଂଙ୍କ ସମର୍ଥକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସୁଖବିନ୍ଦର ପିସିସି ମୁଖ୍ୟ ପ୍ରତିଭାଙ୍କୁ ଭେଟି ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ମତଭେଦ ରହିଥିବା ଆଲୋଚନା ହେଉଥିବା ବେଳେ ହିମାଚଳରେ ଆଗାମୀ ୫ବର୍ଷ ସ୍ଥିର ସରକାର ରହିବ ବୋଲି ପ୍ରତିଭା କହିଛନ୍ତି।

Tags: #HimachalPradesh #ChiefMinister #SukhwinderSinghSukhu #Congress #PratibhaSingh

Comment