ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ରକ୍ତହୀନତା ରୋଗ ଦୂର କରିବାପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ରକ୍ତହୀନତା ମୁକ୍ତ ଅଭିଯାନ ‘ଅମ୍ଳାନ’ର ଶୁଭାରମ୍ଭ କରିଛନ୍ତି। ବିଶେଷ କରି ମହିଳା, ବାଳିକା, ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏହି ଅଭିଯାନର ଫୋକସ୍‌ରେ ରହିବେ। ଏଥିରେ ୧.୩୭ କୋଟି ଲୋକ ଲାଭବାନ ହେବେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନଶକ୍ତି ବିଭାଗ ଏବଂ ଏସ୍‌ସି,ଏସ୍‌ଟି ଉନ୍ନୟନ ବିଭାଗ ସାମିଲ ହେବେ।

ଏହି ‘ଅମ୍ଳାନ’ କାର୍ଯ୍ୟକ୍ରମରେ ଆଇରନ ଓ ଫୋଲିକ ବଟିବା ଯୋଗାଇବା ସହ ହିମୋଗ୍ଲୋବିନ ପରୀକ୍ଷା, ରକ୍ତହୀନତା ରୋଗୀଙ୍କୁ ଚିକିତ୍ସା କରାଯିବ। ରାଜ୍ୟର ୫୫ ହଜାର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଏବଂ ୭୪ ହଜାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ।

ଏହା ରାଜ୍ୟର ନିଜସ୍ୱ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ମହିଳା ଓ ଶିଶୁମାନଙ୍କୁ ରକ୍ତହୀନତା ରୋଗରୁ ମୁକ୍ତ କରିବା ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମ୍ଳାନ ଯୋଜନା ପାଇଁ ଗାଇଡ୍‌ଲାଇନର ମଧ୍ୟ ଶୁଭାରମ୍ଭ କରିଛନ୍ତି।

“ସମସ୍ତ ବିଭାଗର ସହଯୋଗରେ ଏହି ‘ଅମ୍ଳାନ’ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସଫଳ ହେବ। କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି।” ଏହି ଅବସରରେ ଯୋଗଦେଇ କହିଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ଵାଗତ ଭାଷଣ ଦେଇଥିଲେ।

Tags: #Amlanscheme #Anemia #AnemiafreeOdisha #NaveenPattanaik #Odisha

Comment