ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଓଡ଼ିଶାରେ ଆରମ୍ଭ ହେଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ
  • ନୂତନ ପ୍ରଯୁକ୍ତିବିଦ୍ୟା ଆଜି ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ଉପରେ ଗୁରୁତ୍ଵ
  • ମହିଳା ଓ ଶିଶୁବିକାଶ ବିଭାଗ ପାଇଁ ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଓଡ଼ିଶାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ଶୁକ୍ରବାର ଭୁବନେଶ୍ଵର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ। ଏହି ମାସ୍କଟ ଝିଅମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାଛଡ଼ା ଓଡ଼ିଶାର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ର ଉନ୍ମୋଚନ କରିଥିଲେ।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହେବ। ୨୦୨୩ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଲିଙ୍ଗଗତ ସମାନତା ହାସଲ’।

ସାଧାରଣ ଜୀବନରେ ଯେଉଁ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପରିଶ୍ରମ ଜାରି ରଖିଛନ୍ତି ଓ ସମାଜରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମହିଳା ଦିବସକୁ ସମର୍ପିତ କରିଛନ୍ତି।

“ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା ପାଲଟିଛି। ଓଡିଶାର ମା’ ମାନେ ନିଜର ପ୍ରତିଭା ଓ ଦକ୍ଷତା ଦ୍ଵାରା ସମାଜରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସେମାନେ ଆଜି ସମାଜରେ ହେଉଥିବା ପରିବର୍ତ୍ତନର ସାରଥୀ ହୋଇଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସେ ଆହୁରି ମଧ୍ୟ କହିଛନ୍ତି,“ଆଜି ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି। ଇନୋଭେସନ ଓ ଟେକ୍‌ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୋଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହା ଫଳରେ ଆମେ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରିପାରିବା।”

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଯୋଜନାର ଏମଆଇଏସ୍ ପୋର୍ଟାଲ୍ ଓ ଓ୍ଵାନଷ୍ଟପ ସେଣ୍ଟର ଏବଂ ମହିଳା ହେଲ୍ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଆଧାରିତ ଏକ ବୁକଲେଟକୁ ଉନ୍ମୋଚନ କରିଥିଲେ।

“ମହିଳା ଓ ଶିଶୁବିକାଶ ବିଭାଗ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଓ ଅଧିକାରର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛି। ମହିଳାମାନେ ଆଜି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି। ସେମାନଙ୍କ ପାଇଁ ଆଜି ଅନେକ ସୁଯୋଗ ସୃଷ୍ଟି ହୋଇପାରିଛି”, କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  ଓଡ଼ିଶା ମହିଳା ଆୟୋଗର ଅଧ୍ୟକ୍ଷା ଅନିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ମହିଳା ଓ ଶିଶୁ ବିକାଶ ବିଭାଗର ଅନେକ ଅଧିକାରୀ, ଓଡ଼ିଶାର ବିଭିନ୍ନ ଜିଲ୍ଲାର ସମାଜ କଲ୍ୟାଣ ଅଧିକାରୀ ଏବଂ ଅନେକ ସମାଜ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Tags: #InternationalWomen’sDay #SpecialProgramme #ChiefMinister #WomenandchildDevelopmentDept #Odisha

Comment