ଓଡ଼ିଶାଲାଇଭ୍ ବ୍ୟୁରୋ

ଜମି ରେକର୍ଡର କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଜମି ରେକର୍ଡ ଡିଜିଟାଇଜେସନ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ଏହି ୧୯ଟି ଜିଲ୍ଲାକୁ ରାଷ୍ଟ୍ରପତି ‘ଭୂମି ସମ୍ମାନ‌’ରେ ସମ୍ମାନିତ କରିଥିଲେ।

ଶୁକ୍ରବାର ସମ୍ବର୍ଦ୍ଧିତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଏବଂ ସମ୍ବଲପୁର ସାମିଲ ହୋଇଥିଲେ। ଏହିସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ରଫି ଦେଇ ସମ୍ମାନିତ କରିଥିଲେ।

“ଜମି ରେକର୍ଡ ଡିଜିଟାଇଜେସନରେ ଓଡ଼ିଶା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏଥିପାଇଁ ଗତ ଜୁଲାଇ ମାସରେ ରାଷ୍ଟ୍ରପତିଙ୍କଠାରୁ ସମ୍ମାନିତ ହୋଇଥିବା ଦେଶର ୬୮ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା ରହିବା ଅତ୍ୟନ୍ତ ଗର୍ବର କଥା। ୫-ଟି ଓ ମୋ ସରକାର ନୀତି ଯୋଗୁଁ ଜମି ରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ସଫଳତା ପାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ବାକି ୧୧ଟି ଜିଲ୍ଲାରେ ଜମି ରେକର୍ଡ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହେବ”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଗୋଟିଏ ଯୋଜନା ଆରମ୍ଭ କରିବା ଯେତିକି ଗୁରୁତ୍ଵପୂର୍ଣ୍ଣ ତା’ଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ହେଉଛି ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା। ଜମି ରେକର୍ଡ ଡିଜିଟାଇଜେସନ ଫଳରେ ଏବେ ଲୋକମାନେ ଯେକୌଣସି ସ୍ଥାନରେ ରହି ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ଜମିଜମା ସେବାଗୁଡ଼ିକର ସୁବିଧା ପାଉଛନ୍ତି। ଏହା ଦ୍ଵାରା ଦୀର୍ଘଦିନ ଧରି ଚାଲିଥିବା ଜମିଜମା ମାମଲାଗୁଡ଼ିକର ସମାଧାନ କରାଯାଇପାରୁଛି।”

ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ରାଜସ୍ଵ ବିଭାଗର କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛା ଜଣାଇଥିଲେ। ଏହାସହ ଲୋକଙ୍କୁ ସୁବିଧା ହେଲା ଭଳି ସେବା ଯୋଗାଇଦେବାକୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ ଓ ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ରାଜସ୍ଵ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #LandRecordsDigitization #BhumiSamman #ChiefMinister #RevenueDept #Odisha

LEAVE A REPLY

Please enter your comment!
Please enter your name here