ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରୁଥିବା ଖେଳାଳି ଓ ମ୍ୟାଚ୍ ଅଫିସିଆଲମାନଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା ବିଶ୍ଵକପ ଭିଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ବିର୍ସା ମୁଣ୍ଡା ଷ୍ଟାଡିୟମ ପରିସରରେ ଏହି ବିଶ୍ଵକପ୍ ଭିଲେଜ୍ ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଗୁରୁବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନରେ ଆସି ଏହାକୁ ଉଦ୍‌ଘାଟନ କରିଛନ୍ତି।

୨୦୨୩ ପୁରୁଷ ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ବିଶ୍ଵକପ୍ ଭିଲେଜ୍ ନିର୍ମାଣ କରାଯାଇଛି। ଭିଲେଜରେ ଖେଳାଳିମାନଙ୍କ ରହିବାପାଇଁ ୨୨୫ଟି ରୁମ୍ ନିର୍ମାଣ ହୋଇଛି। ଏଠାରେ ଖେଳାଳିମାନଙ୍କ ପାଇଁ ଉନ୍ନତ ଜିମ୍,ସୁଇମିଂପୁଲ, ଡାଇନିଂ ଭଳି ଅନ୍ୟାନ୍ୟ ସୁବିଧା ରହିଛି। ଖେଳାଳିମାନଙ୍କ ସୁବିଧାକୁ ଧ୍ୟାନରେ ରଖି ସବୁ ପ୍ରକାର ବ୍ୟବସ୍ଥା ଏହି ଭିଲେଜରେ କରାଯାଇଛି।

ବିଶ୍ଵକପ ଭିଲେଜ୍ ଉଦ୍‌ଘାଟନ ଅବସରରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ୫ଟି ସଚିବ ଭି କେ ପାଣ୍ଡିଆନ, କ୍ରୀଡ଼ା ବିଭାଗ ସଚିବ ଆର ଭିନେଲ କ୍ରୀଷ୍ଣା, ଇଡକୋର ମୁଖ୍ୟକାର୍ଜୀନିର୍ବାହୀ ଭୁପେନ୍ଦ୍ର ସିଂ ପୁନିୟା, ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଲନାଥ ସିଂ ଏବଂ ଓଡିଶା ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଉରକେଲାରେ ପହଞ୍ଚି, ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯାଇଥିଲେ। ସେ ଷ୍ଟାଡିୟମରେ ଭାରତୀୟ ହକି ଦଳର ଖେଳାଳିମାନଙ୍କ ସହ ସାକ୍ଷାତ କରିଥିଲେ। ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଲୋକାର୍ପଣ କରିବେ।

Tags: #HockeyVillage #innaguration#NaveenPattanaik #CM #RourkelaVisit #BirsaMundaHockeyStadium #Rourkela #Odisha

Comment