ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ ଦେଖିବା ପାଇଁ ରାଜ୍ୟ ସରକାର ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ଓଡ଼ିଶାର ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ବିଶ୍ଵକପ୍ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି। ଏ ପର୍ଯ୍ୟନ୍ତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆ ସରିଲାଣି।

ବୁଧବାର ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନୂଆଦିଲ୍ଲୀଠାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ସାକ୍ଷାତ କରି ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ରୁପାର ଅଶୋକଚକ୍ର ଓ ବିଶ୍ୱକପ୍‌ ହକିର ଜର୍ସି ପ୍ରଦାନ କରିଛନ୍ତି। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିମନ୍ତ୍ରଣ କରାଯାଇଛି। ଏସ୍‌ସି,ଏସ୍‌ଟି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ରାଞ୍ଚିଠାରେ ସୋରେନଙ୍କୁ ଭେଟି ନିମନ୍ତ୍ରଣପତ୍ର ଦେଇଛନ୍ତି।

ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଚେନ୍ନାଇଠାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନଙ୍କୁ ସାକ୍ଷାତ କରି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ସେ ପୁଡୁଚେରି ମୁଖ୍ୟମନ୍ତ୍ରୀ ଏନ୍‌. ରଙ୍ଗାସ୍ଵାମୀଙ୍କୁ ମଧ୍ୟ ହକି ବିଶ୍ୱକପ୍‌କୁ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିମନ୍ତ୍ରଣପତ୍ର ଦେଇଛନ୍ତି।

ସେହିପରି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପାଟନାଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହକି ବିଶ୍ୱକପ୍‌ ପାଇଁ ଆମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଦିତ୍ୟନାଥଙ୍କୁ ଲକ୍ଷ୍ମୌଠାରେ ସାକ୍ଷାତ କରି ନିମନ୍ତ୍ରଣପତ୍ର ସହ ବିଶ୍ୱକପ୍‌ ଜର୍ସି ପ୍ରଦାନ କରିଛନ୍ତି।

ସେହିପରି ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଡେରାଡୁନଠାରେ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣପତ୍ର ଓ ଜର୍ସି ପ୍ରଦାନ କରିଛନ୍ତି। ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଜୟପୁରଠାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣପତ୍ର ଓ ହକି ଜର୍ସି ପ୍ରଦାନ କରିଛନ୍ତି।

ହକି ବିଶ୍ୱକପ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୯ ଜଣ ମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଯାଇ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣପତ୍ର ପ୍ରଦାନ କରୁଛନ୍ତି। ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିମନ୍ତ୍ରଣ କରିଥିଲେ।

Tags: #HockeyMen’sWorldCup #NaveenPattanaik #Invited #ChiefMinisters #GovtofOdisha

Comment