ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ପ୍ରସିଦ୍ଧ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ ଉଦଯାପିତ ହୋଇଛି। ସୋମାବାର ପାରମ୍ପରିକ ରୀତିନୀତି ଓ ପୂଜା ପାର୍ବଣ ମଧ୍ୟରେ ଶ୍ରୀରଘୁନାଥ ଜୀଉଙ୍କ ନବଦିନାତ୍ମକ ଯାତ୍ରା ସରିଥିଲା। ପବିତ୍ର ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତି ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା।  

ଏହି ଜନ୍ମ ମହୋତ୍ସବ ଅବସରରେ ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ବେଦ ଓ ପୁରାଣ ବର୍ଣ୍ଣିତ ଶ୍ରୀରାମ ଭଗବାନଙ୍କ ଅବତାରର ସବୁ ଲୀଳା ଖେଳା ପ୍ରଦର୍ଶିତ ହୋଇଥିଲା। ମହୋତ୍ସବ ପ୍ରାରମ୍ଭରୁ ପ୍ରଭୁ ଜନ୍ମନାରାୟଣ ବେଶ, ତାଡ଼କା ବଦ୍ଧ, ଅହଲ୍ୟା ଉଦ୍ଧାରଣ, ଗଙ୍ଗାପାର, ଧନୁଭଗ୍ନ ଓ ସୀତାବିବାହ ଭଳି ମନୋହର ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇଥିଲେ।

ସେହିପରି ବନବାସ ଯାତ୍ରା ସୋପାନରେ ଚିତ୍ରକୂଟ ଆରୋହଣ, ଅଷ୍ଠାବଧାନ, ଯୁଦ୍ଧଯାତ୍ରା, ଅଭିଷେକ ଓ ପାଣିଖେଳ ଆଦି ପ୍ରଦର୍ଶିତ ହୋଇଥିଲା। ପ୍ରତ୍ୟେହ ସନ୍ଧ୍ୟାର ପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ଓ ଲୀଲା ଦେଖିବାକୁ ଓଡ଼ଗାଁରେ ଭକ୍ତଙ୍କ ସମାଗମ ଅଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା।

ସୋମବାର ଯାତ୍ରାର ଶେଷ ଦିନରେ ପ୍ରଭୁ ଶ୍ରୀରାମ ରାବଣ ବଦ୍ଧ ପରେ ଦେବୀ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପ୍ରଦର୍ଶିତ ହୋଇଥିଲା। ଏଥିରେ ଶ୍ରୀରଘୁନାଥ ଜୀଉଙ୍କ ଚଳନ୍ତି ପ୍ରତିମା ମନ୍ଦିର ବେଢ଼ା ପରିକ୍ରମା କରିବା ସହିତ ଚଳିତ ବର୍ଷର ଏହି ନବଦିନାତ୍ମକ ଯାତ୍ରା ମହୋତ୍ସବ ସମ୍ପନ୍ନ ହୋଇଥିଲା।

“ଚଳିତ ବର୍ଷ ଶ୍ରୀରଘୁନାଥ ଜୀଉଙ୍କ ଜନ୍ମ ମହୋତ୍ସବ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶାନ୍ତି ଓ ଶୃଙ୍ଖଳାର ସହ ଯାତ୍ରାରେ ଦର୍ଶନ, ପୂଜା ବେଶ ଆଦି ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ସହଯୋଗରେ ଏହି ଯାତ୍ରାର ସଫଳ ଆୟୋଜନ ହୋଇପାରିଛି”, କହିଛନ୍ତି ଶ୍ରୀରଘୁନାଥ ଜୀଉ ମନ୍ଦିରର ନିରୀକ୍ଷକ ଯିତେନ୍ଦ୍ର କୁମାର ମିଶ୍ର।

ଜନ୍ମ ମହୋତ୍ସବ ପରେ ମଙ୍ଗଳବାରଠାରୁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ସାଧାରଣ ନୀତି ଓ ସେବା ପୂଜା ଆରମ୍ଭ ହୋଇଛି।

Tags: #SriRaghunathJewTemple #SriRamJanmaMahotsav #SriramNavami #Odogaon #Nayagarh

Comment