ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର। ମେ’ ୧ ତାରିଖରେ ସେ ଦଳର ପ୍ରାଥମିକ ସଦସ୍ୟତା ସମେତ ସବୁ ପଦ ଛାଡ଼ିଛନ୍ତି। ଏନେଇ ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

“ଆଜିର ଦିନରେ ବିଜେଡ଼ି ନିଜ ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି। ନବୀନ ବାବୁଙ୍କ ଅସୁସ୍ଥତାର ସୁଯୋଗ ନେଇ ଦଳରେ କିଛି ନେତା ଫାଇଦା ଉଠାଉଛନ୍ତି। ଏହା ଦଳ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହେଉଛି। ଦଳରେ ଆଉ ପୁରୁଣା ନେତାଙ୍କୁ ବିଶେଷ ସମ୍ମାନ ମିଳୁନାହିଁ। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଛି”, କହିଛନ୍ତି ରବିନାରାୟଣ ମହାପାତ୍ର।

୧୯୮୪ ମସିହାରେ ସରପଞ୍ଚ ଥାଇ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ରବିନାରାୟଣ ମହାପାତ୍ର। ପରେ ସେ ଜନତା ଦଳ ଏବଂ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଭ୍ୟ ରୂପେ କାର୍ଯ୍ୟ କରି ଆସିଛନ୍ତି ରବିନାରାୟଣ ମହାପାତ୍ର। ନୟାଗଡ଼ରେ ଜିଲ୍ଲାରେ ତୃଣମୂଳସ୍ତ ସ୍ତରରେ ବିଜେଡିର ସଂଗଠନକୁ ମଜଭୁତ କରିବାରେ ତାଙ୍କର ବିଶେଷ ଭୂମିକା ରହିଥିଲା।

ସେ ୨୦୦୩ରୁ ୨୦୧୯ ଯାଏଁ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରୂପେ ଦାୟିତ୍ଵ ବହନ କରିଥିଲେ। ୨୦୧୨ରେ ଦଳ ପକ୍ଷରୁ ସେ ରାଜ୍ୟସଭା ସାଂସଦ ହୋଇଥିଲେ। ଏହାପରେ ୨୦୧୪ ନିର୍ବାଚନରେ ସେ ରଣପୁରରୁ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ।  

ରବିନାରାୟଣ ମହାପାତ୍ର ଆଗାମୀ ଦିନରେ ରାଜନୀତିରେ ସକ୍ରିୟ ରହିଲେ ମଧ୍ୟ ଅନ୍ୟ ଦଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ହେଲେ ସେ ଚଳିତ ନିର୍ବାଚନରେ ରଣପୁରରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ନେଇ କିଛି ସ୍ପଷ୍ଟ କରିନାହାନ୍ତି।  

Tags: #RabinarayanMohapatra #BJD #Politics #Ranpur #Nayagarh

Comment