ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ସହାୟିକାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଙ୍ଗନୱାଡ଼ି ସହାୟିକା ସୁମତି ଅଳତିଆ ଅସ୍ଥାୟୀ ଭାବେ କାର୍ଯ୍ୟରୁ ଛଟେଇ ହୋଇଛନ୍ତି। ଏନେଇ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ୱଧାଦେବ ସିଂହ ନିର୍ଦ୍ଦେଶ ଦେଇଛନ୍ତି।  

ସୁମତି ଅଳତିଆ ଏପ୍ରିଲ ୨୦ ତାରିଖରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଓଡ଼ଗାଁ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏନେଇ ତାଙ୍କର ଫଟୋ ଭାଇରାଲ ହେବାପରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଥିଲା। ଏହାର ବିଚାର କରି ନିର୍ବାଚନ ଆଚରଣ ବିଧି କମିଟି ଅଙ୍ଗନୱାଡ଼ି ସହାୟିକା ସୁମତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

ଏହାପରେ ସୁମତିଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।

ସରକାରୀ କାର୍ଯ୍ୟ କରୁଥିବା କର୍ମଚାରୀ କୌଣସି ରାଜନୈତିକ ଦଳ ସମର୍ଥନରେ କିମ୍ବା ଏହାର ଶୋଭାଯାତ୍ରାରେ ସାମିଲ ହେବା ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନିର୍ବାଚନ ଆଚରଣ ବିଧି ମାର୍ଗଦର୍ଶିକାରେ ବାରଣ କରାଯାଇଛି।

ଜଣେ ମହିଳାଙ୍କୁ ନ୍ୟାୟ ଦେବା ଦାବିରେ ଏପ୍ରିଲ ୨୦ ତାରିଖ ଦିନ ଓଡ଼ଗାଁ ଥାନା ସମ୍ମୁଖରେ ବିକ୍ଷୋଭ ଚାଲିଥିଲା। ସେଥିରେ ବିଜେପିର ବହୁ କର୍ମକର୍ତ୍ତା ଯୋଗ ଦେଇ ପ୍ରତିବାଦ ଜଣାଇଥିଲେ। ଏଥିରେ ଅନେକ ମହିଳା ମଧ୍ୟ ସାମିଲ ହୋଇଥିଲେ।

ତେବେ ଏହି ବିକ୍ଷୋଭରେ ସାମିଲ ହୋଇଥିବା ମହିଳାଙ୍କ ମଧ୍ୟରେ ସୁମତି ଅଳତିଆ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଥିଲା। ଏନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରତିବାଦ ସଭାରେ ଯୋଗ ଦେବା ସୁମତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Tags: #AnganwadiWorker #ModelCodeofConduct #Elections #Nayagarh

LEAVE A REPLY

Please enter your comment!
Please enter your name here