ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବାହାର ରାଜ୍ୟର ଅନେକ ଲୋକ ସହର ଦେଇ ଯାତାୟତ କରୁଛନ୍ତି। ତେବେ ଜନବହୁଳ ନୟାଗଡ଼ ସହରରେ ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କର (ଏସବିଆଇ) ଏଟିଏମଗୁଡ଼ିକ ଅଧିକାଂଶ ସମୟରେ ଅଚଳ ରହୁଥିବାରୁ ଏହାର ଉପଭୋକ୍ତା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ନୟାଗଡ଼ ସହରର ୬ଟି ସ୍ଥାନରେ ଏସବିଆଇ ଏଟିଏମ୍ ମେସିନ ବୁଥ ରହିଛି। ସେଥିମଧ୍ୟରୁ ଅଧିକାଂଶ ଏଟିଏମ ଟଙ୍କା ନ ଥିବା କାରଣରୁ ଅଚଳ ରହୁଛି। ଏହାଛଡ଼ା ଅନ୍ୟାନ୍ୟ କାରଣରୁ ଆର୍ଥିକ ସେବା ଯୋଗାଇବାରେ ଏଟିଏମ ଅସମର୍ଥ ହେଉଥିବାରୁ ଗ୍ରହକମାନେ ହତାଶ ହେଉଥିବା ଅଭିଯୋଗ ହେଉଛି।

ବିଗତ ୩ ଦିନ ଧରି ନୟାଗଡ଼ରେ ଏସବିଆଇର ଅନେକ ଏଟିଏମ ଅଚଳ ରହିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଗ୍ରହାକଙ୍କ ସମେତ ନିର୍ବାଚନ କାର୍ଯ୍ୟରେ ନୟାଗଡ଼ ସହରକୁ ଆସୁଥିବା ଲୋକେ ଟଙ୍କା ଉଠାଣ ପାଇଁ ପ୍ରଚଣ୍ଡ ଖରାରେ ଏଠା ସେଠା ବୁଲି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ନୟାଗଡ଼ ସହରରେ ବିଭିନ୍ନ ବ୍ୟାଙ୍କ ମଧ୍ୟରେ ଏସବିଆଇ ଅଗ୍ରଣୀ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ଏସବିଆଇ ବ୍ୟାଙ୍କ ସେବା ସହିତ ଯୋଡ଼ି ହୋଇଛନ୍ତି। ତେବେ ଏଟିଏମର ଅଚଳାବସ୍ଥା ବାବଦରେ ବ୍ୟାଙ୍କ କର୍ତ୍ତୃପକ୍ଷ ଅବଗତ ଥାଇ ମଧ୍ୟ ଏ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ ନକରିବା ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କରିଛି।

Tags: #SBI #ATMService #MonetaryTransaction #Banking #Nayagarh

Comment