ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଦେଶରେ ନିର୍ବାଚନ ହୁଏ ତେବେ ପୁଣିଥରେ ବିଜେପି ସରକାର ଗଢ଼ିବ ବୋଲି ଏକ ସର୍ଭେ ରିପୋର୍ଟରେ କୁହାଯାଇଛି।

ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଏକଜୁଟ ହେଉଛନ୍ତି ବିରୋଧୀ। କିନ୍ତୁ ଏକ ସର୍ବେକ୍ଷେଣରେ କୁହଯାଇଛି କି ଯଦି ଆଜି ଦେଶରେ ସାଧାରଣ ନିର୍ବାଚନ ସମେତ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହୁଏ ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବେ। କିନ୍ତୁ ୨୦୧୪ନିର୍ବାଚନ ଫଳଫଳ ତୁଳନାରେ ବିଜେପିକୁ କମ୍ ଆସନ ମିଳିପାରେ ବୋଲି ଏହି ସର୍ଭେରେ କୁହାଯାଇଛି।

ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବୃଦ୍ଧି

ଏବିପି ନ୍ୟୁଜ୍‍-ସିଏସ୍‍ଡିଏସ୍‍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିବି ଦେଶର ସର୍ବାଧିକ ଲୋକପ୍ରିୟ ରାଜନେତା। କିନ୍ତୁ ଗତକିଛି ଦିନ ହେଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକ୍ରପ୍ରିୟତା ବୃଦ୍ଧି ପାଇଛି। ରାହୁଲ୍‍ ଗାନ୍ଧିଙ୍କ ଲୋକପ୍ରିୟତା ୨୦୧୪ରେ ୧୬ପ୍ରତିଶତରୁ ବୃଦ୍ଧି ପାଇ ୨୦୧୮ରେ ୨୪ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ପରିସ୍ଥିତିରେ ମୋଦିଙ୍କ ଲୋକପ୍ରିୟତା ସାମାନ୍ୟ ହ୍ରାସ ପାଇ ୩୪ପ୍ରତିଶତକୁ ଖସି ଆସିଛି।

ବର୍ତ୍ତମାନ ସ୍ଥିତି
୧୯ଟି ରାଜ୍ୟକୁ ନେଇ ସଂସ୍ଥା ପକ୍ଷରୁ ହୋଇଥିବା ଏହି ସର୍ବେକ୍ଷଣର ଅନୁଯାୟୀ ଏବେ ଯଦି ଦେଶରେ ନିର୍ବାଚନ ହୁଏ ତେବେ ଏନ୍‍ଡିଏକୁ ୩୭ପ୍ରତିଶତ, ଉପାକୁ ୩୧ପ୍ରତିଶତ ଓ ଅନ୍ୟାନ୍ୟ ଦଳକୁ ୩୨ପ୍ରତିଶତ ଭୋଟ ମିଳିପାରେ। ଏହି ଆଧାରରେ ମୋଟ ୫୪୫ ଲୋକସଭା ଆସନରୁ ଏନ୍‍ଡିଏକୁ ୨୭୪ଟି, ଉପାକୁ ୧୬୪ଟି ଓ ଅନ୍ୟାନ୍ୟ ଦଳଙ୍କୁ ୧୦୫ଟି ଆସନ ମିଳିବାର ସମ୍ଭାବନା ରହିଛି।

ଉତ୍ତର ଭାରତ

ଉତ୍ତର ଭାରତରେ ଏନ୍‍ଡିଏକୁ ୩୯ପ୍ରତିଶତ, ଉପାକୁ ୨୧ପ୍ରତିଶତ, ଅନ୍ୟାନ୍ୟ ଦଳଙ୍କୁ ୪୦ପ୍ରତିଶତ ଭୋଟ ମିଳିବ। ମୋଟ୍‍ ୧୫୧ଟି ଲୋକସଭା ଆସନରୁ ଏନ୍‍ଡିଏ୍‍କୁ ୯୦ଟି, ଉପାକୁ ୨୫ଟି ଓ ଅନ୍ୟାନ୍ୟ ଦଳଙ୍କୁ ୩୬ଟି ଆସନ ମିଳିପାରେ।

ଉତ୍ତର ପ୍ରଦେଶ
ଉତ୍ତର ପ୍ରଦେଶରେ ଏନ୍‍ଡିଏ ୩୫ପ୍ରତିଶତ ଭୋଟ ପାଇବାର ସମ୍ଭାବନା ରହିଛି। ସେଠାରେ ଯଦି ଏସ୍‍ପି ଓ ବିଏସ୍‍ପି ମିଳିତ ଭାବେ ନିର୍ବାଚନ ଲଢ଼ନ୍ତି ତେବେ ବିଜେପି ହାରିଯିବାର ସମ୍ଭାବନା ରହିଛି। କାରଣ ଏସ୍‍ପି-ବିଏସ୍‍ପି ମେଣ୍ଟ ୪୬ପ୍ରତିଶତ ଭୋଟ ପାଇବେ। ସେଠାରେ ଉପାକୁ ମାତ୍ର ୧୨ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି।

ଗୁଜୁରାଟ
ମୋଦିଙ୍କ ନିଜ ରାଜ୍ୟରେ ମଧ୍ୟ ଭୋଟ ପ୍ରତିଶତ କମିପାରେ ବୋଲି ସର୍ବେକ୍ଷଣରେ କୁହାଯାଇଛି। ଗୁଜରାଟରେ ଏନ୍‍ଡିଏ ୫୪ପ୍ରତିଶତ, ଉପା ୪୨ପ୍ରତିଶତ ଓ ଅନ୍ୟାନ୍ୟ ୪ପ୍ରତିଶତ ଭୋଟ ପାଇବାର ସମ୍ଭାବନା ରହିଛି। ସେଠାରେ ୨୦୧୪ରେ ବିଜେପିକୁ ୫୯ପ୍ରତିଶତ ଭୋଟ ମିଳିଥିବାବେଳେ ୩୩ପ୍ରତିଶତ ଭୋଟ ଉପାକୁ ମିଳିଥିଲ। ସେହି ତୁଳନାରେ ଏଷ ଉପାର ଭୋଟ ୯ପ୍ରତିଶତ ବଢ଼ିପାରେ ବୋଲି ସର୍ବକ୍ଷେଣରେ କୁହାଯାଇଛି।

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ଏନ୍‍ଡିଏ ୪୮ପ୍ରତିଶତ, ଉପା ୪୦ପ୍ରତିଶତ, ଅନ୍ୟାନ୍ୟ ୨୧ପ୍ରତିଶତ ଭୋଟ ପାଇବେ। ୨୦୧୪ରେ ଏନ୍‍ଡିଏର ଭୋଟ ହାର ସେଠାରେ ୫୧ପ୍ରତିଶତ ଥିବାବେଳେ ଏଥର ସେଥିରେ ସାମାନ୍ୟ ହ୍ରାସ ପାଇବ।
ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ କଂଗ୍ରେସ ବାଜି ମାରିବ। କଂଗ୍ରେସକୁ ସେଠାରେ ୪୯ପ୍ରତିଶତ ଭୋଟ ମିଳିବାକୁ ଥିବାବେଳେ ବିଜେପିକୁ ୩୪ପ୍ରତିଶତ ଓ ଅନ୍ୟାନ୍ୟ ଦଳଙ୍କୁ ୧୭ପ୍ରତିଶତ ଭୋଟ ମିଳିବ।

ପଶ୍ଚିମବଙ୍ଗ

ପଶ୍ଚିମବଙ୍ଗରେ ଏନ୍‍ଡିଏକୁ ପୂର୍ବାପେକ୍ଷା ସଫଳତା ମିଳିବ କିନ୍ତୁ ମମତା ବାନାର୍ଜିଙ୍କଠାରୁ ପଛରେ ରହିବ ବିଜେପି ବୋଲି ସର୍ଭେରେ କୁହାଯାଇଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୪୪ପ୍ରତିଶତ ଆସନ ପାଇବାକୁ ଥିବା ବେଳେ ବିଜେପି ୨୪ପ୍ରତିଶତ ଓ ବାମଦଳ ୧୭ପ୍ରତିଶତ ଓ କଂଗ୍ରେସକୁ ୧୧ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

ରାଜସ୍ଥାନ

ବିଜେପି ଶାସିତ ରାଜସ୍ଥାନରେ ବିଜେପକୁ ପରାଜୟର ମୁହଁ ଦେଖିବାକୁ ପଡ଼ିପାରେ। ସେଠାରେ କଂଗ୍ରେସ ୪୪ପ୍ରତିଶତ ଭୋଟ ପାଇ ସରକାର ଗଢ଼ିବାର ସମ୍ଭାବନା ରହିଛି। ଅପରପକ୍ଷରେ ବିଜେପି ୩୯ ପ୍ରତିଶତ, ଅନ୍ୟାନ୍ୟ ଦଳ ୧୭ ପ୍ରତିଶତ ଭୋଟ ପାଇବେ। ୨୦୧୪ରେ ସେଠାରେ ବିଜେପି ୪୫ ପ୍ରତିଶତ, କଂଗ୍ରେସ ୩୩ ପ୍ରତିଶତ ଓ ଅନ୍ୟାନ୍ୟ ୨୨ ପ୍ରତିଶତ ଭୋଟ ପାଇଥିଲେ। ଏହି ରାଜ୍ୟରେ କଂଗ୍ରେସ ଭୋଟ ୧୨ ପ୍ରତିଶତରୁ ଅଧିକ ହେବାର ସମ୍ଭାବନା ରହିଛି।

ବିହାର

ବିହାରରେ ବିଜେପି ଜେଡିୟୁ ମେଣ୍ଟ ୬୦ପ୍ରତିଶତ ଭୋଟ ପାଇବେ ବୋଲି ସର୍ଭେରେ କୁହାଯାଇଛି। ଅପରପକ୍ଷରେ କଂଗ୍ରେସ ଆରଜେଡି ମେଣ୍ଟ ବା ଉପା ୩୪ପ୍ରତିଶତ ଓ ଅନ୍ୟାନ୍ୟ ଦଳ ମାତ୍ର ୬ପ୍ରତିଶତ ଭୋଟ ପାଇବେ।

ଦକ୍ଷିଣ ଭାରତରେ ୟୁପିଏକୁ ଫାଇଦା

ଦକ୍ଷିଣ ଭାରତର ୬ରାଜ୍ୟର ମୋଟ ୧୩୨ଟି ଲୋକସଭା ଆସନରେ ବିଜେପିକୁ କ୍ଷତି ସହିବାକୁ ପଡ଼ିପାରେ। ଏନ୍‍ଡିଏକୁ ୧୮ରୁ ୨୨, ଉପାକୁ ୬୭ରୁ ୭୫ ଓ ଅନ୍ୟାନ୍ୟ ଦଳଙ୍କୁ ୩୮ଟିରୁ ୪୪ଟି ଆସନ ମିଳିପାରେ। ଗତ ନିର୍ବାଚନରେ ଏଠାରେ ବିଜେପିକୁ ଏନ୍‌ଡିଏକୁ ୨୩, ୟୁପିଏକୁ ୨୧ ଓ ଅନ୍ୟାନ୍ୟ ଦଳକୁ ୮୮ଟି ଆସନ ମିଳିଥିଲା।

ପୂର୍ବ ଭାରତରେ ବିଜେପିକୁ ଫାଇଦା

ପୂର୍ବ ଭାରତରେ ମୋଦିଙ୍କୁ ଅଭୂତପୂର୍ବ ସଫଳତା ମିଳିବାର ସମ୍ଭାବନା ରହିଛି। ମୋଟ ୧୪୨ଟି ଲୋକସଭା ଆସନରୁ ଏନ୍‍ଡିଏକୁ ୯୦ରୁ ଅଧିକ ଆସନ ମିଳିପାରେ। ଉପା ୨୨ରୁ ୨୬ଟି ଓ ଅନ୍ୟାନ୍ୟ ଦଳ ୨୬ରୁ ୩୦ଟି ଆସନ ପାଇବେ। ୨୦୧୪ରେ ପୂର୍ବ ଭାରତରେ ଏନ୍‍ଡିଏ ୫୮ଟି ଆସନ ପାଇଥିବାବେଳେ ଉପା ୨୧ଟି ଓ ଅନ୍ୟାନ୍ୟ ଦଳ ୬୩ଟି ଆସନ ପାଇଥିଲେ। ପୂର୍ବ ନିର୍ବାଚନ ତୁଳନାରେ ୩୨ରୁ ଅଧିକ ଆସନ ଏନଡିଏ ଖାତାକୁ ଯାଇପାରେ କାରଣ ବିହାରରେ ନୀତିଶ କୁମାରଙ୍କ ସହ ବିଜେପି ମେଣ୍ଟ କରି ସରକାର ଗଢ଼ିଛି। ତା’ର ଫାଇଦା ବିଜେପି ନେବ।

ପଶ୍ଚିମ ଭାରତ

ପଶ୍ଚିମ ଭାରତରେ ୧୮୮ଟି ସିଟ୍‌ ମଧ୍ୟରୁ ଏନଡିଏକୁ ୭୦ରୁ ଅଧିକ ସିଟ୍‌ ମିଳିପାରେ। ୟୁପିଏକୁ ୪୧ରୁ ୪୭ଟି ସିଟ୍‌ ମିଳିପାରେ। ୨୦୧୪ନିର୍ବାଚନ ଅପେକ୍ଷା ପଶ୍ଚିମ ଭାରତରେ ବିଜେପିକୁ ପାଖାପାଖି  ୧୪ପ୍ରତିଶତ ଭୋଟ କମ ମିଳିପାରେ।

ଏବିପି ନ୍ୟୁଜ୍‍-ସିଏସ୍‍ଡିଏସ୍‍ ପକ୍ଷରୁ କରାଯାଇଥିବା ଏହି ସର୍ଭେ କରଯାଇଥିଲା। ୨୮ଏପ୍ରିଲ ୨୦୧୮ରୁ ମେ ୧୭ ୨୦୧୮ ପର୍ଯ୍ୟନ୍ତ ୧୯ଟି ରାଜ୍ୟର ୧୫୮୫୯ଜଣ ଲୋକଙ୍କ ସହ କଥାବାର୍ତ୍ତା ଆଧାରରେ ଏହି ସର୍ଭେ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here