ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏମିତି ଅନେକ ନିର୍ଦ୍ଦେଶକ, ସଙ୍ଗୀତକାର, ଗୀତିକାର ଓ କଣ୍ଠଶିଳ୍ପୀମାନଙ୍କ ମିଳନରୁ ବହୁ ଶ୍ରୁତିମଧୁର ଗୀତ ସୃଷ୍ଟି ହୋଇଛି। ଏଥିମଧ୍ୟରୁ ଅନେକ ଗୀତ ‘ଅମର’ ବି ହୋଇରହିବ ଏମିତି ଗୋଟିଏ ଗୀତ ହେଲା- ୧୯୭୦ରେ ମୁକ୍ତିପ୍ରାପ୍ତ ହିଟ୍ ‘ପୂରବ ଔର ପଶ୍ଚିମ’ର କୋଇ ଜବ୍ ତୁହ୍ମାରା..।
‘ପୂରବ ଔର ପଶ୍ଚିମ’ ଫିଲ୍ମର କୋଇ ଜବ୍ ତୁହ୍ମାରା.. ଗୀତର ସର୍ଜନାକୁ ପାଖାପାଖି ୪୫ବର୍ଷ ହୋଇଯାଇଥିଲେ ହେଁ, ଆଜିବି ଏହା ପୂର୍ବଭଳି ‘ସଦାବାହାର’ ହୋଇ ରହିଛି। ଏହି ସୁନେଲି ସଙ୍ଗୀତର ସୃଷ୍ଟି ହୋଇଥିଲା ନିର୍ଦ୍ଦେଶକ- ଅଭିନେତା ମନୋଜ କୁମାର, ସଙ୍ଗୀତ ନିର୍ଦ୍ଦେଶକ କଲ୍ୟାଣଜୀ- ଆନନ୍ଦଜୀ, ଗୀତିକାର ଇନ୍ଦିଭର୍ ଏବଂ କଣ୍ଠଶିଳ୍ପୀ ମୁକେଶଙ୍କ ମହାମିଳନରୁ।
ଗୀତିକାର ଇନ୍ଦିଭର୍ ଜଣେ କବି ମଧ୍ୟ। କୋଇ ଜବ୍ ତୁହ୍ମାରା ହୃଦୟ ତୋଡ୍ ଦେ… ବି ତାଙ୍କର ଏକ କବିତା। ଦିନେ ମନୋଜ କୁମାର ଇନ୍ଦିଭରଙ୍କ ଗୀତ ବହିରୁ ଏହି କବିତାଟି ପଢ଼ିଲେ। ତାଙ୍କୁ ଏହି ଗୀତି କବିତାଟି ଏତେ ଭଲ ଲାଗିଲା ଯେ ସେ ତତ୍କ୍ଷଣାତ୍ ଇନ୍ଦିଭରଙ୍କ ପାଖକୁ ଗଲେ। ପୂର୍ବରୁ ଗୀତିକାର ଇନ୍ଦିଭର୍ ମନୋଜ କୁମାରଙ୍କ ନିର୍ଦ୍ଦେଶିତ ‘ଉପକାର’ ଫିଲ୍ମ ପାଇଁ ବି ଦିୱାନୋ ସେ ୟେ ମତ୍ ପୁଛୋ… ଭଳି ସ୍ମରଣୀୟ ଗୀତ ଲେଖିସାରିଥିଲେ। ଏଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଥିଲା।
ମିଷ୍ଟର ଭାରତ ମନୋଜ କୁମାର କୋଇ ଜନ୍ ତୁହ୍ମାରା…ଗୀତଟି ତାଙ୍କ ଆଗାମୀ ସିନେମା ‘ପୂରବ ଔର ପଶ୍ଚିମ’ରେ ବ୍ୟବହାର କରିବା ଲାଗି ଇନ୍ଦିଭରଙ୍କ ଅନୁମତି ଲୋଡ଼ିଥିଲେ। ହେଲେ ଇନ୍ଦିଭର୍ ରାଜି ହୋଇ ସେ କହିଲେ ଯେ ଏହି ଗୀତଟି ଅନ୍ୟ ଏକ ଚଳଚ୍ଚିତ୍ରରେ ବ୍ୟବହୃତ ହେବ ବୋଲି ସଙ୍ଗୀତ ନିର୍ଦ୍ଦେଶକଙ୍କୁ ପ୍ରତିଶ୍ରୁତି ଦେଇ ସାରିଛନ୍ତି। ସେହି ଗୀତର ସଙ୍ଗୀତକାର ବି ଥିଲେ କଲ୍ୟାଣ ଜୀ- ଆନନ୍ଦଜୀ। ତା’ପରେ ମନୋଜ କୁମାର କଲ୍ୟାଣ ଜୀ- ଆନନ୍ଦଜୀଙ୍କ ପାଖକୁ ଯାଇଥିଲେ ଏବଂ ଏହି ଗୀତ ବିଷୟରେ କଥା ହୋଇଥିଲେ। ସେଇଠି ସେ ସଙ୍ଗୀତକାର ଯୋଡ଼ିଙ୍କୁ ‘ପୂରବ ଔର ପଶ୍ଚିମ’ର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଅଫର୍ ଦେଇଥିଲେ, ଯାହାକୁ ସେ ଦୁହେଁ ସ୍ୱୀକାର କରିଥିଲେ ଏବଂ ସେହି ଗୀତଟା ମଧ୍ୟ ଫିଲ୍ମରେ ରହିବ ବୋଲି ପ୍ରତିଶ୍ରୁତି ଦେଲେ।
ସଙ୍ଗୀତକାର କଲ୍ୟାଣଜୀ ମନୋଜ କୁମାରଙ୍କୁ କୋଇ ଜବ୍ ତୁହ୍ମାରା… ଗୀତର ସ୍ୱର ବି ଶୁଣାଇଥିଲେ ଓ କିପରି କମ୍ପୋଜିସନ୍ ହେବ, କିଏ ଗାଇବେ ଓ କେମିତି ମ୍ୟୁଜିକ୍ ଆରେଞ୍ଜମେଣ୍ଟ ହେବ, ସେ ବିଷୟରେ ବିଶଦ୍ ଭାବେ ବର୍ଣ୍ଣନା କରିଥିଲେ। ଏସବୁ ଶୁଣି ପରେ ମନୋଜ କୁମାର ଅଧିକ ଉତ୍ସାହିତ ହୋଇଉଠିଥିଲେ।
ଏହି ଗୀତ ମୁକେଶଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା। ଲାଇଭ୍ ରେକର୍ଡିଂ ଆରମ୍ଭ ହୁଏ ଠିକ୍ ଅପରାହ୍ନ ତିନିଟାରେ। ଷ୍ଟୁଡିଓରେ ମ୍ୟୁଜିକ୍ କମ୍ପୋଜର୍ କଲ୍ୟାଣଜୀ ଆନନ୍ଦଜୀ, ନିର୍ଦ୍ଦେଶକ ମନୋଜ କୁମାର, ଗୀତିକାର ଇନ୍ଦିଭର୍ ଓ ଗାୟକ ମୁକେଶ ଉପସ୍ଥିତ ଥାଆନ୍ତି। ମୁକେଶ ବେଶ୍ ସାବଲୀଳ ଢ଼ଙ୍ଗରେ ସହଜତାର ସହିତ ଗୀତଟିକୁ ଗାଇଥିଲେ। ହେଲେ ତିନିଟା ଟେକ୍ ପରେ ବି ମୁକେଶଙ୍କ ପ୍ରିୟ ଶବ୍ଦର ଉଚ୍ଚାରଣ ଠିକ୍ ହେଲାନି। ଏଣୁ ସଂଗୀତକାର ଆନନ୍ଦଜୀ ବ୍ୟସ୍ତ ହୋଇ ମୁକେଶଙ୍କୁ କହିଥିଲେ ଯେ ଆଜି ରେକର୍ଡିଂ ବନ୍ଦ ହେଉ, ଆପଣ କାଲି ଆରାମରେ ଗାଇବେ। ଏ କଥା ଶୁଣି ମୁକେଶ କହିଲେ, ‘‘କାଲି କାହିଁକି, ଆଜି କାହିଁକି ନୁହେଁ।’’ ସେତେବେଳକୁ ରାତି ବାରଟା ବାଜି ସାରିଥିଲା। ମୁକେଶଙ୍କ ଜିଦ୍ ଆଗରେ ସଙ୍ଗୀତକାର ମୁଣ୍ଡ ନୁଆଁଇଥିଲେ। ଇନ୍ଦିଭର୍ ମୁକେଶଙ୍କୁ ପ୍ରିୟେର ଉଚ୍ଚାରଣ ଶିଖାଇଲେ ତା’ପରେ ପୁଣି ଲାଇଭ୍ ରେକର୍ଡ ଆରମ୍ଭ ହେଲା। ପ୍ରାୟ ଷୋହଳ ଘଣ୍ଟା ପରେ ସକାଳ ୭ଟା ବେଳକୁ ଏହି ଗୀତର ଫାଇନାଲ୍ ରେକର୍ଡିଂ ସରିଥିଲା।

















