ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୈଳ ଦର ବୃଦ୍ଧିକୁ ନେଇ ସୋମବାର କଂଗ୍ରେସ ପକ୍ଷରୁ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧିରେ କଂଗ୍ରେସ ତରଫରୁ ପ୍ରତିବାଦ। ଏହି ପ୍ରତିବାଦ ସକାଳ ୬ରୁ ହୋଇ ଦିନ ୧୨ଟା ପର୍ୟ୍ୟନ୍ତ ଚାଲିଛି। କଟକର ବାଦାମବାଡ଼ି, ମଧୁପାଟଣା, ଜଗତପୁର, ଶିଖରପୁର, ପ୍ରେସଛକ ଓ ବକ୍ସିବଜାର ଛକ ନିକଟରେ ଟାୟର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାର ପ୍ରଭାବରେ କଟକ ସହରରେ ଦୁଇ ଚକିଆ ଗାଡି ଚଳାଚଳ କରୁଥିବା ବେଳେ ଚାରି ଚକିଆ ଗାଡି ବନ୍ଦ ରହିଛି। କଟକର କାଠଯୋଡ଼ି ପୋଲ ଉପରୁ ଜଗତ୍‌ପୁର ଯାଏଁ ଯାତ୍ରୀବାହୀ ବସ୍‌, ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡ଼ି ମଟର ଅଟକି ରହିଛି। ଦୂରଗାମୀ ବସ୍‌ରେ ଆସୁଥିବା ଯାତ୍ରୀମାନେ ବଡ଼ ହଟହଟା ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସହରରେ ବିଭିନ୍ନ ସ୍ଥାନରେ ପାଞ୍ଚ ପ୍ଲାଟୁନ୍‌ପୁଲିସ ମୁତୟନ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୩୭ଟି ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାଘାଟରେ ଗାଡି ଚଳାଚଳ ବନ୍ଦ ରହିଛି। ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର ଓ ଅନ୍ୟନ୍ୟା ସ୍ଥାନରେ ଚକାଜାମର ପ୍ରଭାବ ପଡ଼ିଛି। ସେପଟେ କଟକରେ ସକାଳୁ ସକାଳୁ କଂଗ୍ରେସ ଚକାଜାମ ପାଇଁ ଅଂଟା ଭିଡିଛି। ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ। ତେବେ ଲୋକଙ୍କୁ ଗାଡି ଛାଡିବାକୁ ଅନୁରୋଧ କରିଥିବା କଂଗ୍ରେସ, ଜବରଦସ୍ତ ଗାଡି ଅଟକାଉଥିବା ଦେଖିବାକୁ ମିଳିଛି।

କଂଗ୍ରେସ କର୍ମାଙ୍କ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଜାତୀୟ ରାଜପଥ ଉପରେ ଶହ ଶହ ଗାଡି ଠିଆ ହୋଇ ରହିଛି। ସେହିପରି ଉତ୍ତରାଛକରେ ଆନ୍ଦୋଳନ ଫଳରେ ପୁରୀ-ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଛି।

Comment