ଓଡ଼ିଶାଲାଇଭ୍ ବ୍ୟୁରୋ
ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଜପତି ମହାରାଜ ନୀରବ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଆଜି ଗଜପତି ମହାରାଜ ପ୍ରତିକ୍ରିୟା ଦେଇଛନ୍ତି।
- ଗଜପତି ଦେଲେ ପ୍ରତିକ୍ରିୟା
- ବାହାର ଭଣ୍ଡାର ଚାବି ଗଜପତିଙ୍କ ପାଖରେ ରହେ
- ଭିତର ରତ୍ନଭଣ୍ଡାର ଚାବି ସରକାରଙ୍କ ଦାୟିତ୍ୱରେ
- ୧୯୬୦ ପରେ ଗଜପତିଙ୍କ ପାଖରେ ରହୁନି ଚାବି
ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁହଁ ଖୋଲିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାବି ହଜିବା ସମ୍ପର୍କରେ ନିଜର ମତ ରଖିଛନ୍ତି। ଗଜପତିଙ୍କ ପାଖରେ ଭିତର ରତ୍ନଭଣ୍ଡାର ଚାବି ରହେନି କହିବା ପରେ ଚାବି ରହସ୍ୟ ପୁଣି କୁହେଳିକା ସୃଷ୍ଟି କରିଛି।
ଭିତର ରତ୍ନଭଣ୍ଡାର ଚାବି କିଏ ଏବଂ କୁଆଡ଼େ ନେଲା ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଗଜପତି ମହାରାଜ କହିଛନ୍ତି, “୧୯୬୦ ମସିହା ପୂର୍ବରୁ ଗଜପତି ମହାରାଜ ଶ୍ରୀମନ୍ଦିରର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ୱ ବୁଝୁଥିଲେ। ଏଣୁ ତାଙ୍କ ପାଖରେ ଭିତର ରତ୍ନଭଣ୍ଡାର ଚାବି ରହୁଥିଲା। ହେଲେ ୧୯୬୦ ମସିହା ପରେ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ବୁଝୁଛନ୍ତି। ସେବେଠାରୁ ଚାବି ସରକାରଙ୍କ ପାଖରେ ରହୁଛି।”
ଗଜପତି ମହାରାଜ ଆହୁରି ସ୍ପଷ୍ଟ କରିଛନ୍ତି ଯେ ବାହାର ରତ୍ନଭଣ୍ଡାରର ଚାବି ତିନି ଜଣଙ୍କ ପାଖରେ ରହିଥାଏ। ସେଥିରୁ ଗୋଟିଏ ଚାବି ଆମ ପାଖରେ ରହିଛି। ବାହାର ରତ୍ନଭଣ୍ଡାର ଖୋଲିବା ବେଳେ ଗଜପତିଙ୍କ ପ୍ରତିନିଧି ଉପସ୍ଥିତ ରହିଥାନ୍ତି। ହେଲେ ଭିତର ରତ୍ନଭଣ୍ଡାର ଚାବି ସରକାରଙ୍କ ଅଧିନରେ ରହିଛି।
“ଏପ୍ରିଲ ୪ ତାରିଖରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ଚାବି ନଥିବା ଜଣାପଡ଼ିଥିଲା। ଏହାକୁ ନେଇ ଆମେ ଚିନ୍ତା ପ୍ରକଟ କରିଥିଲୁ। ଚାବି ଶୀଘ୍ର ଖୋଜିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ କହିଥିଲୁ। ପରିଚାଳନା କମିଟି ବୈଠକରେ ଆମେ କେବଳ ଅଧ୍ୟକ୍ଷତା କରିଥାଉ ଏବଂ ପ୍ରୋସିଡିଂ ଖାତାରେ ଦସ୍ତଖତ କରିଥାଉ। କମିଟିରେ ସାଧାରଣ ସଦସ୍ୟଙ୍କ ଭୂମିକା ଯାହା ଗଜପତିଙ୍କ ଭୂମିକା ତାହା। ଅଯଥାରେ ଚାବି ବିବାଦରେ ଗଜପତିଙ୍କୁ ଟଣା ନଯାଉ”, କହିଛନ୍ତି ଦିବ୍ୟସିଂହ ଦେବ।
ଭିତର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ୬ ଦିନ ହେଲା ହଲ୍ଲାପଟା ଲାଗି ରହିଛି। ଚାବି କିଏ ନେଲା ଏବଂ କୁଆଡ଼େ ଗଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗଜପତି ମହାରାଜଙ୍କୁ ଏହି ବିବାଦକୁ କିଛି ସେବାୟତ ଟାଣିଥିଲେ। ଚାବି ହଜିବା ସମ୍ପର୍କରେ ଗଜପତି କାହିଁକି ଚୁପ୍ ରହୁଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହୋଇଥିଲା। ଶେଷରେ ଗଜପତି ଏହି ସମ୍ବଦେନଶୀଳ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।
ଚାବି ହଜିବା ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ହେଲେ ବିରୋଧୀ ଏହି ତଦନ୍ତକୁ କଟାକ୍ଷ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ବାଣ ମାରିଛନ୍ତି। ଚାବି ହଜିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି। ଜଗନ୍ନାଥ ସେନା ସିବିଆଇ ତଦନ୍ତ ପାଇଁ ଦାବି କରିଛି।