ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ସେବାୟତଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ଭକ୍ତଙ୍କଠାରୁ ସେମାନେ ସିଧାସଳଖ ଦାନ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି।
ପୁରୀ ଶ୍ରୀମନ୍ଦିରର ସେବାୟତଙ୍କୁ ଲାଗିଛି ବଡ଼ ଝଟକା। ଭକ୍ତଙ୍କଠାରୁ ସେବାୟତମାନେ ସିଧାସଳଖ ଦାନ ନେଇ ପାରିବେ ନାହିଁ। ଭକ୍ତ ଦେଉଥିବା ଦାନ ସିଧା ହୁଣ୍ଡିକୁ ଯିବ ବୋଲି ସୁପ୍ରିମକୋର୍ଟ ଆଜି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କହିଛନ୍ତି।
ସେବାୟତମାନଙ୍କୁ ଜଗିବା ପାଇଁ ମନ୍ଦିର ଭିତରେ ଅଧିକ ସିସିଟିଭି ଲଗାଇବା ପାଇଁ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଭକ୍ତମାନେ ଦେଉଥିବା ଦାନକୁ ନେଇ ଅନେକ ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟ ଦେଖାଦେଉଥିଲା। ଏପରିକି ଭକ୍ତମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା।
ମେ’ ମାସରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ସେବାୟତମାନେ ଶୋଷଣ କରିବା ଘଟଣା ଲୋକଲୋଚନକୁ ଆସିଥିଲା। ଭକ୍ତ ଜଣକ ଦାନ ନଦେବାରୁ ସେବାୟତ ତାଙ୍କ ସୁନା ଚେନ ଛିଣ୍ଡାଇବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ଏପଟେ ଶ୍ରୀମନ୍ଦିର ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ମହାପ୍ରଭୁଙ୍କୁ ଦାନ ଆକାରରେ ମିଳୁଥିବା ସୁନା ଏବଂ ରୂପା ଅଳଙ୍କାରକୁ ବ୍ୟାଙ୍କ ଲକର୍ରେ ରଖିବା ପାଇଁ ନିଷ୍ପତ୍ତି ନେଇଛି। ୨୩ ବର୍ଷ ହେଲା ଅଳକଙ୍କାରକୁ ଲକର୍ରେ ରଖା ନଯାଇ ଶ୍ରୀମନ୍ଦିର ଟ୍ରେଜେରିରେ ରଖାଯାଇଥିଲା।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଯେଉଁ ହଟଚମଟ ଲାଗି ରହିଛି ତାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ଆକାରରେ ଆସୁଥିବା ଅଳଙ୍କାରକୁ ମାସେ କିମ୍ବା ଦୁଇ ମାସରେ ବ୍ୟାଙ୍କ ଲକର୍ରେ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।








ଶ୍ରୀମନ୍ଦିର ସେବାୟତଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ଭକ୍ତଙ୍କଠାରୁ ସେମାନେ ସିଧାସଳଖ ଦାନ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି।





