ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରକୁ ନେଇ ଦେଖାଦେଇଥିବା ବିବାଦରେ ବଳି ପଡ଼ିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା। ତାଙ୍କ ଜାଗାରେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।
ନରମିଲେ ସରକାର। ଭିନ୍ନମୋଡ଼ ନେଲା ରତ୍ନଭଣ୍ଡାର ଚାବି ହଜିବା ବିବାଦ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କୁ ଆଜି ହଟାଇ ଦେଇଛନ୍ତି ସରକାର। ଛତିଶା ନିଯୋଗ ବୈଠକ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଦୀପଙ୍କ ଜାଗାରେ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଏବଂ ସେବାୟତଙ୍କ ଦାନକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ଛତିଶା ନିଯୋଗ ବୈଠକ। ଏହି ବୈଠକରେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ଜଜଙ୍କ ସମେତ ଜିଲ୍ଲାପାଳ ଏବଂ ଏସ୍ପି।
ସେବାୟତମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ଚାଲିଥିଲା। ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଇ ଦିଆଯାଇଥିଲା।
ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଦିନରୁ ଶ୍ରୀମନ୍ଦିର ପ୍ରଶାସନକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଯାଞ୍ଚକାରୀ ଟିମ୍ ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରି ଫେରି ଆସିଥିବାରୁ ଶ୍ରୀମନ୍ଦିର ପ୍ରଶାସକ ସମାଲୋଚିତ ହୋଇଥିଲେ। ସେତେବେଳେ ପ୍ରଶାସକ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ସେବାୟତ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ଏହି ଘଟଣା ସେତେବେଳେ ଥଣ୍ଡା ପଡ଼ିଯାଇଥିଲା।
ମେ ୧୬ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ଚର୍ଚ୍ଚାରେ ରହିଥିଲା। ଗର୍ଭଗୃହକୁ ପାଳିଆ ସେବାୟତଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ହାଇକୋର୍ଟ। ଯେଉଁଦିନ ଯାହାର ପାଳି କେବଳ ସେ ହିଁ ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ବୋଲି ହାଇକୋର୍ଟ କହିଥିଲେ। ଏହାକୁ କେନ୍ଦ୍ରକରି ବିବାଦ ଦେଖାଦେଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। ସେବାୟତମାନେ ଧାରଣା ଦେବାରୁ ଚାରି ଦିନ ଯାଏଁ ମହାପ୍ରସାଦ ବାହାରି ପାରିନଥିଲା।
ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ବିବାଦକୁ ଆସିଥିଲା। ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ଚାବି ହଜିବାକୁ ନେଇ ବିବାଦ ଥମୁନି। ଏଣୁ ଏସବୁ ଘଟଣାକୁ ଟାଳିବା ପାଇଁ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱରୁ ହଟାଇ ଦେଇଥିବା ଆଲୋଚନା ହେଉଛି।
ଭିତର ରତ୍ନଭଣ୍ଡାର ଚାବି ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱରେ ରୁହେନି ଏହା ସରକାର ଭଲଭାବେ ଜାଣିଛନ୍ତି। ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ରହିଥାଏ। ରତ୍ନଭଣ୍ଡାରକୁ ନେଇ ଦେଖାଦେଇଥିବା ବିବାଦକୁ କିଛିମାତ୍ରାରେ ଥଣ୍ଡା କରିବା ପାଇଁ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହଟାଇ ଦେଇଛନ୍ତି। କେବଳ ପ୍ରଶାସକ ନୁହନ୍ତି ଏହି ଘଟଣାରେ ଯୋଡ଼ି ହୋଇ ରହୁଥିବା ସମସ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।








ଶ୍ରୀମନ୍ଦିରକୁ ନେଇ ଦେଖାଦେଇଥିବା ବିବାଦରେ ବଳି ପଡ଼ିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା। ତାଙ୍କ ଜାଗାରେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।


