ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ସାହିଦ୍‌ କପୁରଙ୍କ ସାନଭାଇ ଇଶାନ୍‌ ଖଟ୍ଟରଙ୍କ ବଲିଉଡ୍‌ ଡେବ୍ୟୁ ଚଳଚ୍ଚିତ୍ର ‘ଧଡକ’ର ଟ୍ରେଲର୍‌ ସୋମବାର ରିଲିଜ୍‌ ହୋଇଛି।

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ବହୁ ପତିକ୍ଷୀତ ଚଳଚ୍ଚିତ୍ର ‘ଧଡକ’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଟ୍ରେଲର ରିଲିଜ ହେବା ପରେ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

‘ଧଡକ’ ଫିଲ୍ମରେ ଜାହ୍ନବୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସାହିଦ କପୁରଙ୍କ ଭାଇ ଇସାନ ଖଟ୍ଟର। ସୋମବାରଦିନ ଟ୍ରେଲର ରିଲିଜ୍ ହେବା ସମୟରେ ଜାହ୍ନବୀଙ୍କୁ ଉତ୍ସାହିତ କରିବା ପାଇଁ ସବରବାନ ଥିଏଟର୍‌ରେ ଉପସ୍ଥିତ ରହିଥିଲେ ବାପା ବନି କପୁର୍‌, ଅନୀଲ କପୁର୍‌, ହର୍ଷବର୍ଦ୍ଧନ କପୁର୍‌, ସଞ୍ଜୟ ପକୁର୍‌, ମାହିପ କପୁର୍‌, ଏବଂ ସାନ ଭଉଣୀ ଖୁସି।

ସେଠାରେ ଗଣମାଧ୍ୟମ ପ୍ରତିନିଧୀମାନେ ଜାହ୍ନବୀଙ୍କୁ ଭେଟି ତାଙ୍କ ମାଆ ଶ୍ରୀଦେବୀଙ୍କ ସଂପର୍କରେ ପ୍ରଶ୍ନ ପଚାରିଥିଲେ। ଜାହ୍ନବୀ ଭାବପ୍ରବଣ ହୋଇ ଉତ୍ତର ଦେଇଥିଲେ, “ମୁଁ ଆଜି ତାଙ୍କୁ ବହୁତ ମନେ ପକାଉଛି। ସେ ଆଜି ଥିଲେ ବହୁତ ଖୁସି ହୋଇଥାନ୍ତେ”।

ଚଳିତବର୍ଷ ଫେବ୍ରୁଆରି ୨୪ ତାରିଖରେ ଦୁବାଇରେ ଥିବା ସମୟରେ ଗାଧୁଆଘରେ ଥିବା ବାଥ୍‌ ଟବ୍‌ରେ ପଡ଼ିଯିବାରୁ ଶ୍ରୀଦେବୀଙ୍କ ପରଲୋକ ହୋଇଥିଲା।

ଜାହ୍ନବୀଙ୍କ ଟ୍ରେଲର ରିଲିଜ୍‌ ହେବା ପରେ ଭଉଣୀ ଖୁସି ଭାବପ୍ରବଣ ହୋଇଯାଇଥିଲେ। ସେ ନିଜର କୋହ ସମ୍ଭାଳି ପାରି ନଥିଲେ। ସାନ ଭଉଣୀଙ୍କୁ ଏହି ସ୍ଥିତିରେ ଦେଖି କୁଣ୍ଡାଇ ପକାଇଥିଲେ ଜାହ୍ନବୀ। ଖୁସିଙ୍କ ଆଖିରୁ ବହୁଥିବା ଖୁସିର ଲୁହର  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

‘ଧଡକ’ ଚଳଚ୍ଚତ୍ରଟି ଧର୍ମା ପ୍ରଡ଼କ୍ସନ୍‌ ବ୍ୟାନରରେ ର୍ନିମିତ ହୋଇଥିବା ବେଳେ ଏହା ସୁପରହିଟ୍‌ ମରାଠୀ ଚଳଚ୍ଚିତ୍ର ‘ସୈରାଟ’ର କାହାଣୀ ଉପରେ ଆଧାରିତ। ତେବେ ଦୁଇ ନବାଗତ କଳାକାରଙ୍କୁ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ରେ ରାଜସ୍ଥାନୀ ଲୁକ୍‌ ସହ ରାଜସ୍ଥାନୀ ଭାଷାରେ ସଂଳାପ କହୁଥିବାର ଦେଖିବାକୁ ମିଳିଛି।

ଜାହ୍ନବୀ କପୁର ଏବଂ ଇଶାନ୍‌ ଖଟ୍ଟର ଚଳଚ୍ଚିତ୍ରର ସୁଟିଂ ଆରମ୍ଭରୁ ହିଁ ମିଡ଼ିଆରେ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ଏହି ଚଳଚ୍ଚିତ୍ରଟି ଜାହ୍ନବୀଙ୍କ ପ୍ରଥମ ଚଳଚ୍ଚିତ୍ର ହୋଇଥିବା ବେଳେ ଇଶାନ ଏହା ପୂର୍ବରୁ ‘ବିୟଣ୍ଡ ଦ କ୍ଲାଉଡ଼୍ସ’ ଚଳଚ୍ଚିତ୍ର ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ରଖିସାରିଛନ୍ତି।

ଟ୍ରେଲର୍‌ରେ ଦୁଇ କଳାକାରଙ୍କ ମଧ୍ୟରେ ଭରପୂର କେମେଷ୍ଟ୍ରି ଦେଖିବାକୁ ମିଳିଥିବା ବେଳେ ଏହା ଜୁଲାଇ ୨୦ ତାରିଖରେ ରିଲିଜ୍‌ ହେବାକୁ ଯାଉଛି।

ଦୁହିଁଙ୍କ ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍‌ ଅବସରରେ ଅନେକ ଶୁଭେଚ୍ଛା ବଲିଉଡ୍‌ର ବିଭିନ୍ନ କଳାକାର ଦେଇଥିବାର ଦେଖିବାକୁ ମିଳିଛି। ଅନେକ ଦର୍ଶକ ଟ୍ରେଲର ଦେଖି ମତ ଦେଉଛନ୍ତି ‘ଶ୍ରୀଦେବୀ ଇଜ୍ ବ୍ୟାକ୍’।

ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ଶଶାଙ୍କ ଖୈତାନ୍‌ ରହିଥିବାବେଳେ ପ୍ରଯୋଜନା କରିଛନ୍ତି କରଣ ଜୋହର।

 

LEAVE A REPLY

Please enter your comment!
Please enter your name here