ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ତେଜୁଛି। ଚାବିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଜି ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଡୁପ୍ଲିକେଟ ଚାବି କୁଆଡ଼ୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି।

ରତ୍ନଭଣ୍ଡାର ଚାବିକୁ ନେଇ ଆଜି ପୁରୀ ଜିଲ୍ଲାପାଳଙ୍କୁ ବାଣ ମାରିଛନ୍ତି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି ଯେ ଅରିଜିନାଲ ଚାବି ହଜିଛି। ହେଲେ ଡୁପ୍ଲିକେଟ ଚାବି କୁଆଡ଼ୁ ଆସିଲା। ଅରିଜିନାଲ ଥିଲେ ହିଁ ଡୁପ୍ଲିକେଟ କରିହେବ। ଡୁପ୍ଲିକେଟ କୁଆଡୁ ଆସିଲା ଏବଂ କିଏ କଲା ତାହା ଆଗେ ସ୍ପଷ୍ଟ କରାଯାଉ।

ଦାମ କହିଛନ୍ତି, “୪୫ ବର୍ଷ ହେଲା ମୁଁ ରାଜନୀତିରେ ରହିଛି। ୪୫ ବର୍ଷ ଭିତରେ ରତ୍ନଭଣ୍ଡାର ଖୋଲା ହେବା କଥା ମୁଁ ଶୁଣିନାହିଁ। ୧୯୭୮ରେ ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିବା ବେଳେ ରତ୍ନଭଣ୍ଡାର ଖୋଲାଯାଇଥିବା କୁହାଯାଉଛି। ସେତେବେଳେ ରତ୍ନଭଣ୍ଡାରରୁ କ’ଣ ମିଳିଲା ଏବଂ ଚାବି କୁଆଡ଼େ ଗଲା ସେ ହିଁ କହିପାରିବେ। ତେବେ ଚାବି ବିବାଦ ରାଜନୈତିକ ଖେଳ ଭଳି ଲାଗୁଛି।”

୩ ମାସ ତଳେ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଞ୍ଚକାରୀ ଟିମ୍ ଯାଇଥିଲେ। ହେଲେ ଚାବି ନମିଳିବାରୁ ପଳାଇ ଆସିଥିଲେ। ଯଦି ଡୁପ୍ଲିକେଟ ଚାବି ଥିଲା ଆଜି ପର୍ଯ୍ୟନ୍ତ କେମିତି ପାଇ ନଥିଲେ? ଏସବୁ ଘଟଣା ସନ୍ଦେହ ସୃଷ୍ଟି କରିଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ। ତାଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁ ରାଜନୀତି ଚାଲିଛି ତାହା ଜଗନ୍ନାଥ ବୁଝିବେ ବୋଲି ଦାମ କହିଛନ୍ତି।

ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି, “ଡୁପ୍ଲିକେଟ ଚାବି କ’ଣ ତାହା ମୁଁ ଜାଣି ନାହିଁ। ଡୁପ୍ଲିକେଟ ଚାବି ବିଷୟରେ ଆଇନରେ କିଛି ବ୍ୟବସ୍ଥା ନାହିଁ। ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି। ଜିଲ୍ଲାପାଳ କାହା ନିର୍ଦ୍ଦେଶରେ କାମ କରୁଛନ୍ତି ବୁଝାପଡ଼ୁନି।”

ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଥିବା ପୁରୀ ଜିଲ୍ଲାପାଳ କହିବା ପରେ ବିବାଦ ଜଟିଳ ହୋଇଛି। ଡୁପ୍ଲିକେଟ ଚାବି କ’ଣ ତାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନବାଣ ମାରି ଚାଲିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବୋଲି ପ୍ରଶ୍ନ ପଚାରିଛନ୍ତି।

Comment