ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜିଲ୍ଲାରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ପୁରୀରେ ଗୁଣପୁର-ପୁରୀ ପାସେଞ୍ଜର ଟ୍ରେନର ଟଏଲେଟ୍‌ରୁ ମୁଣ୍ଡବିହୀନ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଡେଲାଙ୍ଗ ଥାନା ଅନ୍ତର୍ଗତ ଗାନ୍ଧିଛକ ରେଳବାଇ ଫାଟକ ନିକଟରେ ଜଣେ ମହିଳାଙ୍କ କଟାମୁଣ୍ଡ ମିଳିଛି। ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ଯାଗାରୁ ମିଳିଥିବାରୁ ମହିଳାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।

ବୁଧବାରଦିନ ସକାଳେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗାନ୍ଧିଛକ ରେଳବାଇ ଫାଟକ ନିକଟରେ ଜଣେ ମହିଳାଙ୍କ କଟାମୁଣ୍ଡ ମିଳିଛି। କଟାମୁଣ୍ଡ ନିକଟରେ ଏକ କଳା ଜରି ଓ ଏକ ଲାଲ ବ୍ୟାଗ୍‌ ପଡ଼ିଛି। ତେଣୁ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରିବା ପରେ ମୁଣ୍ଡକୁ କାଟି ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ପୁରୀ ଷ୍ଟେସନରେ ମହିଳାଙ୍କ ଗଣ୍ଡି ଏକ ଟ୍ରେନ ବଗିର ପାଇଖାନାରୁ ମିଳିଛି।

ଡେଲାଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରରେ ବେରବୁଇ ଗାନ୍ଧିଛକ ଫାଟକ ନିକଟରେ ରେଲେଓ୍ଵ ଟ୍ରାକରେ ଜଣେ ମହିଳାଙ୍କ କଟାମୁଣ୍ଡଟିଏ ଥୁଆ ହୋଇଥିବା ବୁଧବାର ସକାଳେ ସ୍ଥାନୀୟ ଲୋକ ଦେଖିଥିଲେ। ଏହି କଟାମୁଣ୍ଡର ମୁହଁରେ କଟା ଦାଗ ରହିଥିଲା। କଟାମୁଣ୍ଡଠାରୁ ଅଳ୍ପ ଦୂରରେ ବାଡ଼ି, କଳା ଜରି ଓ ଲାଲ ରଙ୍ଗର ଏକ ବ୍ୟାଗ୍‌ ପଡ଼ିଛି।

ଉଭୟ କଳା ଜରି ଓ ଲାଲ ବ୍ୟାଗ୍‌ରେ ରକ୍ତ ଲାଗିଥିବାରୁ ଯୁବତୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ କଟାମୁଣ୍ଡଟିକୁ ଏହି କଳା ଜରି ଓ ଲାଲ ବ୍ୟାଗରେ ଭର୍ତ୍ତି କରି ଆଣି ଡେଲାଙ୍ଗରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି।

ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ବୟସ ଭିତରେ ହେବ। ମୃତ ଯୁବତୀଙ୍କ ଦୁଇ କାନରେ ସୁନା କାନଫୁଲ ପିନ୍ଧିଛନ୍ତି। ତେଣୁ ଯୁବତୀଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ କଟାମୁଣ୍ଡକୁ ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

ପୁରୀ ରେଳବାଇ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment