ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ମାସ ୧୮ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୦ତାରିଖ ଯାଏଁ ଚାଲିବ। ସୋମବାର ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ କମିଟି ଅଫ୍ ପାର୍ଲିଆମେଣ୍ଟାରି ଆଫାୟାର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଗୃହ ମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର, ରାମବିଳାଶ ପାସଓ୍ବାନ ଓ ପ୍ରକାଶ ଜାବେଦକର ପ୍ରମୁଖ ଉପସ୍ଥିତ ଥିଲେ।
ଏଥର ମୌସୁମୀ ଅଧିବେଶନରେ ୩ଟି ଗୁରୁତ୍ଵପୁର୍ଣ୍ଣ ବିଲ୍ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଓବିସି ସଂରକ୍ଷଣ, ତିନ ତଲାକ ଓ ଟ୍ରାନ୍ସଜେଣ୍ଡର ବିଲ୍ ଉପରେ ଚର୍ଚ୍ଚା ହୋଇପାରେ।
ଗତ ଏପ୍ରିିଲ ମାସରେ ସଂସଦର ବଜେଟ୍ ଅଧିବେଶନ ବିରୋଧୀଙ୍କ ବିରୋଧ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ଉପୁଜିଥିଲା। ବଜେଟ୍ ଅଧିବେଶନ ପାଇଁ ଲୋକସଭାରେ ସ୍ଥିର ହୋଇଥିବା ସମୟର ମାତ୍ର ୧ ପ୍ରତିଶତ କାର୍ଯ୍ୟ ହୋଇଥିବାବେଳେ ରାଜ୍ୟସଭାରେ ୬ ପ୍ରତିଶତ ସମୟ କାର୍ଯ୍ୟ ହୋଇଥିଲା।
ଏହି ଅଧିବେଶନରେ ମୋଟ୍ ୨୫୦ ଘଣ୍ଟାର କାର୍ଯ୍ୟକାଳ ନଷ୍ଟ ହୋଇଯାଇଥିଲା। ତେଣୁ ୨୦୦୦ ମସିହାଠାରୁ ଗତ ବଜେଟ୍ ଅଧିବେଶନରେ ସବୁଠାରୁ କମ୍ ସମୟ କାର୍ଯ୍ୟ ହୋଇଥିଲା।















