ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ପ୍ରଖ୍ୟାତ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅର୍ଜୁନ ଚରଣ ସାମଲଙ୍କ ଲୋକପ୍ରିୟ ଗୀତ ‘ମିଛ ମାୟା ଭରା ଏ ସାରା ଦୁନିଆ’ ପ୍ରସ୍ତୁତି ପଛର କାହାଣୀ…
ବଡ଼ଭାଇ ଓ ଭାଉଜ ସାନଭାଇକୁ ଖୁବ୍ କଷ୍ଟରେ ପାଠ ପଢ଼ିବା ପାଇଁ ସହରକୁ ପଠାନ୍ତି। ସାନଭାଇ ପାଠପଢ଼ା ସାରି ଚାକିରି କରେ। ହେଲେ ସେ ଉଗ୍ର-ଆଧୁନିକ ଯୁବତୀଙ୍କୁ ବାହାହେବା ପରେ ସ୍ତ୍ରୀ କଥାରେ ପରିଚାଳିତ ହୁଏ ଓ ବଡ଼ଭାଇ, ଭାଉଜଙ୍କ ସହ ସମ୍ପର୍କ ଛିନ୍ନ କରେ। ସାନଭାଇକୁ ପାଠ ପଢ଼ାଇବା ଲାଗି ବଡ଼ଭାଇ ଋଣ କରିଥାଏ। ତାକୁ ପରିଶୋଧ କରିନପାରି ବାଧ୍ୟ ହୋଇ ଗାଁ ଛାଡେ। ନୌକାରେ ବସି ବଡ଼ଭାଇ ନିଜ ପରିବାର ସହିତ ଯାଉଥାଏ। ଏଣେ ବଡ଼ଭାଇ ଓ ତା’ର ପରିବାର ଭୋକରେ ଆଉଟୁପାଉଟୁ ହୋଇଥାଆନ୍ତି। ହେଲେ ସେପଟେ ସାନ ଭାଇ ଓ ତା’ର ସ୍ତ୍ରୀ ଆନନ୍ଦରେ ମାଂସ ଖାଉଥାନ୍ତି।…
ଏହା ଥିଲା ଲୋକପ୍ରିୟ ଓଡ଼ିଆ ସିନେମା ‘ସୁନା ସଂସାର’ର ଏକ ଦୃଶ୍ୟ| ଏଭଳି ଏକ କରୁଣ ସାମାଜିକ ଚିତ୍ରକୁ ‘ମିଛମାୟା ଭରା ଏ ସାରା ଦୁନିଆ’ ଗୀତ ମାଧ୍ୟମରେ ଜୀବନ୍ତ ଭାବେ ଫୁଟାଇଥିଲେ ଗୀତିକାର ନିଶାକର ବେହେରା।
୧୯୭୮ର ଏକ ଲୋକପ୍ରିୟ ଓଡ଼ିଆ ସିନେମା ‘ସୁନା ସଂସାର’। ଏହା ଥିଲା ଏକ ପାରିବାରିକ ସିନେମା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର।
‘ସୁନା ସଂସାର’ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ସେ ସମୟର ଦୁଇ ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ସୁନାକର ସାହୁ ଓ ଅର୍ଜୁନ ଚରଣ ସାମଲ। ତେବେ ଏ ଦୁହେଁ ଛଦ୍ମନାମରେ ସ୍ୱର ସଂଯୋଜନା କରିଥିଲେ। ରୂପେଲି ପରଦା ଉପରେ ଏହି ସଙ୍ଗୀତକାର ଯୋଡ଼ିଙ୍କର ନାଁ ଥିଲା ସ୍ୱରୂପ-ଅରୂପ।
‘ସୁନା ସଂସାର’ର ଚାରିଟି ଗୀତ ଲେଖିଥିଲେ ଗୀତିକାର ନିଶାକର ବେହେରା। ସଙ୍ଗୀତକାର ସ୍ୱରୂପ-ଅରୂପଙ୍କ ସହିତ ତାଙ୍କର ପୂର୍ବରୁ ଘନିଷ୍ଠ ସମ୍ପର୍କ ଥିଲା। ନିଶାକର ଆଗରୁ ଅନ୍ନପୂର୍ଣ୍ଣା ଏ ଗ୍ରୁପ୍ ଦ୍ୱାରା ମଞ୍ଚସ୍ଥ କେତେକ ନାଟକରେ ମଧ୍ୟ ଗୀତ ରଚନା କରିଥିଲେ।
ନିଶାକର ବେହେରାଙ୍କୁ ନିର୍ଦ୍ଦେଶକ ଶିଶିର ମିଶ୍ର ଏକ ଗୀତ ଲେଖିବାକୁ କହିଥିଲେ। ଶିଶିର ମିଶ୍ର ଏକାସାଙ୍ଗେ ନିଶାକର ବେହେରା ଓ ଅରୂପ-ସ୍ୱରୂପଙ୍କୁ ବସାଇ ଫିଲ୍ମରେ ଥିବା ଏକ ସିକ୍ୱେନ୍ସ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ତାଙ୍କୁ କେଉଁଭଳି ଗୀତ ଦରକାର ତାହା ବି ସ୍ପଷ୍ଟ ଭାବେ କହିଥିଲେ।
ଏହି ଗୀତର ମୁଖୁଡ଼ା ଲେଖିବା ପାଇଁ ନିଶାକର ବେହେରାଙ୍କୁ ଲାଗିଥିଲା ପ୍ରାୟ ଦୁଇଦିନ। ସେ ସଙ୍ଗୀତକାର ଓ ନିର୍ଦ୍ଦେଶକଙ୍କୁ ପ୍ରାୟ ଏଗାରଟା ଭିନ୍ନ ଭିନ୍ନ ଘୋଷା ପଦ ଲେଖି ଦେଖାଇଥିଲେ। ସେଥିମଧ୍ୟରୁ ଯେଉଁଟି ପସନ୍ଦ ହୋଇଥିଲା, ତାହା ହିଁ ଫିଲ୍ମରେ ରହିଲା। ସେହି ଘୋଷାପଦ ହେଲା- ‘ମିଛ ମାୟା ଭରା ଏ ସାରା ଦୁନିଆ, କେହି ନୁହେଁ ଆପଣାର ନିମିଷକେ ଚୁନା ସୁନାର ସଂସାର, ସତେ ଅବା ବାଲିଘର’।
ଗୀତର ମୁଖୁଡ଼ା ପ୍ରସ୍ତୁତ ହୋଇଯିବା ପରେ ସ୍ୱରକାର ଯୋଡ଼ି ଅରୂପ-ସ୍ୱରୂପ ମାତ୍ର ପାଞ୍ଚ ମିନିଟ୍ରେ ତା’ର ସ୍ୱର କରିଥିଲେ। ସେହି ଗୀତର ମୁଖୁଡ଼ାର ପ୍ରଥମ ସ୍ୱରଟି ହିଁ ନିର୍ଦ୍ଦେଶକଙ୍କୁ ମନକୁ ପାଇଲା।
‘ସୁନା ସଂସାର’ର ମ୍ୟୁଜିକ୍ ରେକର୍ଡିଂ କଟକର ତିନିକୋଣିଆ ବଗିଚାରେ ଥିବା ଆହୁଜା ଷ୍ଟୁଡିଓରେ ହୋଇଥିଲା। ମୁଖୁଡ଼ା ପଦ ଲେଖା ଓ ସ୍ୱର ସରିବା ପରେ ଉଭୟ ଗୀତିକାର ଓ ସଙ୍ଗୀତକାରଙ୍କୁ ଦୁଇଟି ଅନ୍ତରାର ଲେଖା ଓ ସ୍ୱର ପାଇଁ ମଧ୍ୟ ବେଶୀ ସମୟ ଲାଗି ନଥିଲା।
‘ମିଛ ମାୟା ଭରା ଏ ସାରା ଦୁନିଆ’ ଗୀତରେ କଣ୍ଠଦାନ କରିଥିଲେ ଅର୍ଜୁନ ଚରଣ ସାମଲ। ସେତେବେଳେ ଏହି ଗୀତଟିର ଲାଇଭ୍ ରେକର୍ଡିଂ ହୋଇଥିଲା। ସେ ଗୋଟିଏ ଟେକ୍ରେ ଗୀତଟିକୁ ଗାଇଥିଲେ। କିନ୍ତୁ ନିର୍ଦ୍ଦେଶକ ଆଉ ଗୋଟିଏ ଟେକ୍ ଦେବା ଲାଗି କହିଥିଲେ। ଏଭଳି ଭାବେ ପ୍ରାୟ ଏକ ଘଣ୍ଟା ଭିତରେ ଗୀତଟିର ରେକର୍ଡିଂ ଶେଷ ହୋଇଥିଲା।
ପ୍ରାୟ ଚାରି ଦଶକ ତଳେ ସୃଷ୍ଟି ହୋଇଥିବା ‘ମିଛ ମାୟା ସଂସାର’ ଗୀତ ଆଜି ବି ସେତିକି ଲୋକପ୍ରିୟ, ଯେତିକି ସେ ସମୟରେ ଥିଲା।