ଓଡ଼ିଶାଲାଇଭ୍ ବ୍ୟୁରୋ

ମୌସୁମୀ ବର୍ଷାରେ ଆଜି ଭିଜିଛି ସାରା ଓଡ଼ିଶା। ଉପକୂଳ ଓ ଉତ୍ତର ଓଡ଼ିଶାର ୧୬ଟି ଜିଲ୍ଲାରେ ନିର୍ଧୁମ ବର୍ଷା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ୨୯ ତାରିଖ ଯାଏଁ ନିସ୍ତାର ନାହିଁ। ଆହୁରି ଦୁଇଦିନ ପ୍ରବଳ ବର୍ଷା ଅଛି।

ବୁଧବାର ଦିନ ତମାମ୍ ହୋଇଥିବା ବର୍ଷାରେ ବେହାଲ ହୋଇଯାଇଛି ପ୍ରମୁଖ ସହର। ପୁରୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ତାଳଚେର, ବୌଦ୍ଧ, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଞ୍ଜାମରେ ବର୍ଷା ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବୁଧବାର ହୋଇଥିବା ବର୍ଷାରେ କଟକ, ଭୁବନେଶ୍ବର, ରାଉରକେଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି। ସବୁଠୁ କଟକର ଅବସ୍ଥା ବେହାଲ ହୋଇଯାଇଛି। ବାଦାମାବଡ଼ି, ରକ୍ସି ଲେନ୍ ଅଞ୍ଚଳରୁ ପାଣି ଛାଡ଼ୁନି। ବର୍ଷା ପାଣି ନିଷ୍କାସନ କରିବା ପାଇଁ ୧୪୦ଟି ପମ୍ପ ଲଗାଯାଇଛି।

ସେହିପରି ରାଉରକେଲା, ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା। ପାଣିଘେରରେ ଲୋକେ ଦିନ କାଟିଛନ୍ତି। ସୂର୍ଯ୍ୟ ମନ୍ଦିର କୋଣାର୍କ ବି ବର୍ଷାରେ ବେହାଲ ହୋଇଯାଇଛି। ସୂର୍ଯ୍ୟମନ୍ଦିର ବେଢ଼ାରେ ପାଣି ଭର୍ତ୍ତି ହୋଇଯିବାରୁ ପର୍ଯ୍ୟଟକ ଅସୁବିଧା ଭୋଗିଛନ୍ତି।

Comment