ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶ୍ରୀତମ ଜଣେ ଅଭିନେତାନିର୍ଦ୍ଦେଶକ ଭାବେ ବେଶ୍‌ ସଫଳ ଶ୍ରୀତମଙ୍କ ସପକ୍ଷରେ ଏବେ ସମୟ ଜାଣନ୍ତୁ ଏପରି କହିବା ପଛର ରାଜ୍‌ ବିଷୟରେ…

ଶ୍ରୀତମ ଦାସଙ୍କୁ ଓଲିଉଡରେ ହିରୋ ଭାବେ ବ୍ରେକ୍ ଦେଇଥିଲେ ପ୍ରଖ୍ୟାତ ଦିବଂଗତ ପ୍ରଯୋଜକ ବାସୁଦେବ ତ୍ରିପାଠୀ। ବାସୁଦେବଙ୍କ ପ୍ରଯୋଜିତ ହିଟ୍ ସିନେମା ‘ସାବିତ୍ରୀ’ରେ ପ୍ରଥମେ କ୍ୟାମେରା ଫେସ୍ କରିଥିଲେ ଶ୍ରୀତମ୍ ଦାସ।

ଏକଥା ବହୁତ କମ୍‌ ଲୋକଙ୍କୁ ଜଣା ଯେ ଶ୍ରୀତମ ଦାସଙ୍କ ପ୍ରକୃତ ନାଆଁ ହେଲା ଉତ୍ତମ ଦାସ। ଯେହେତୁ ଓଲିଉଡରେ ଉତ୍ତମ ମହାନ୍ତିଙ୍କ ନାଁରେ ଜଣେ ଖ୍ୟାତାନାମା କଳାକାର ଅଛନ୍ତି, ତେଣୁ ପ୍ରଯୋଜକ ବାସୁଦେବ ତ୍ରିପାଠୀ ଉତ୍ତମ ପରିବର୍ତ୍ତେ ତାଙ୍କର ସ୍କ୍ରିନ୍ ନେମ ରଖିଥିଲେ ଶ୍ରୀତମ୍ ଦାସ। ତା’ପରଠୁ ଶ୍ରୀତମ୍ ନିଜର ପ୍ରକୃତ ନାଁ ପରିବର୍ତ୍ତେ ଏହି ନାଁକୁ ପରଦାରେ ରଖିଥିଲେ।

ଶ୍ରୀତମଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ସିନେମା କିନ୍ତୁ ‘ସାବିତ୍ରୀ’ ନଥିଲା। ତାହା ଥିଲା ‘ଜୀବନସାଥୀ’। ଏହାର ପ୍ରଯୋଜକ ଥିଲେ ପ୍ରଖ୍ୟାତ ନିର୍ମାତା ସୁବାସ ରାଉତ। ବାସୁଦେବ ତ୍ରିପାଠୀଙ୍କଠାରୁ ସୁବାସ ରାଉତ ଶ୍ରୀତମ୍ ଦାସଙ୍କ ଅଭିନୟ ପ୍ରତିଭା ସମ୍ପର୍କରେ ଜାଣିବା ପରେ ତାଙ୍କୁ ‘ଜୀବନସାଥୀ’ ପାଇଁ ସାଇନ୍ କରିଥିଲେ। ‘ଜୀବନସାଥୀ’ ଆଗେ ରିଲିଜ୍ ହେଲା, ତାପରେ ‘ସାବିତ୍ରୀ’ ଆସିଥିଲା ସିନେମା ହଲକୁ।

ଏହାପରେ ଶ୍ରୀତମ୍ ବେଶ୍ କେତୋଟି ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିବା ପରେ ଖଳନାୟକ ଚରିତ୍ରକୁ ଆପଣାଇ ନେଇଥିଲେ। ସୁବାସ ରାଉତଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ସନ୍ତାନ’ରୁ ପ୍ରକୃତରେ ଖଳନାୟକ ଭୂମିକା ଆରମ୍ଭ ହୋଇଥିଲା ଶ୍ରୀତମଙ୍କର। ତା’ ପରେ ଆଜିଯାଏଁ ସେ ପରଦାରେ ନିଜର ଖଳନାୟକ ରୂପ ଦେଖାଇ ଚାଲିଛନ୍ତି।।

ପୁଣି ତାଙ୍କ କ୍ୟାରିଅର୍ ଏକ ନୂଆ ମୋଡ ନେଇଥିଲା। ‘ତୁ ଥା ମୁଁ ଯାଉଛି ରୁଷି’ ଶୀର୍ଷକ ଏକ ଫିଲ୍ମର ନିର୍ଦ୍ଦେଶନା ଦେଲେ ଶ୍ରୀତମ। ତ୍ରିବେଣୀ ମହାନ୍ତି ଏହାର ପ୍ରଯୋଜନା କରିଥିଲେ। ଏଥିରେ ଅରିନ୍ଦମ୍, କୋଏଲ୍, ମିହିର ଦାସ ଓ ଉଷସୀ ମିଶ୍ରଙ୍କ ସହିତ ନିଜେ ଶ୍ରୀତମ୍ ଦାସ ବି ନଜର ଆସିଥିଲେ। ଫିଲ୍ମ ଦର୍ଶକମାନଙ୍କର ବେଶ୍‌ ପସନ୍ଦ ଆସିଥିଲା।

ଓଲିଉଡର ଅଲରାଉଣ୍ଡର ଶ୍ରୀତମ ଦାସଙ୍କ ସମୟ ଏବେ ଭଲ ଚାଲିଛି ବୋଲି କହିଲେ କିଛି ଭୁଲ ହେବ ନାହିଁ।

ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ସିନେମା ‘ଦିୱାନା ହେଲି ତୋ’ ପାଇଁ’କୁ ବ୍ୟାବସାୟିକ ସଫଳତା ମିଳିଛି। ଏହି ଫିଲ୍ମରେ ନିଜେ ଶ୍ରୀତମ ଦାସ ମଧ୍ୟ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମାରେ ଶ୍ରୀତମଙ୍କ ବ୍ୟତୀତ ରୀୟା ଦେ, ନବାଗତ ଅଭିନେତା ମୁନ୍ନା, ଉଷସୀ ମିଶ୍ର, ସିଦ୍ଧାନ୍ତ, ପପୁ ପମ୍‌ପମ୍‌, ଅମର ଗୁଡ଼ୁ ଏବଂ ଦେବୁ ପଟ୍ଟନାୟକ ପ୍ରମୁଖ ଅଭିନୟ କରିଛନ୍ତି।

କିଛିମାସ ହେବ ଦର୍ଶକ ଶ୍ରୀତମଙ୍କୁ ପରଦା ଉପରେ ଦେଖିବାକୁ ପାଉନଥିଲେ। ‘ଦିୱାନା ହେଲି ତୋ’ ପାଇଁ’ରେ ଏକ ଭିନ୍ନ ଗେଟଅପରେ ଶ୍ରୀତମଙ୍କୁ ଦେଖି ଦର୍ଶକମାନେ ଖୁବ୍‍ ପସନ୍ଦ କରିଛନ୍ତି।

ଏବେ ଶ୍ରୀତମ୍ ପୁଣି ଓଲିଉଡରେ ଚଳଚଞ୍ଚଳ ହୋଇଉଠିଲେଣି। ସେ ଏବେ ଦୁଇଟି ନୂଆ ଓଡ଼ିଆ ସିନେମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି। ଏଥିମଧ୍ୟରୁ ଗୋଟିଏ ହେଲା ନିରଞ୍ଜନ ବେହେରାଙ୍କ ‘ପ୍ରେମ ପାଇଁ ମହାଭାରତ’। ଏହି ଫିଲ୍ମରେ ଶ୍ରୀତମ ଦାସଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବିତ୍, ରୀୟା, ସମରେଶ, ପିଣ୍ଟୁ ନନ୍ଦ, ମିହିର ଦାସ, ଅରବିନ୍ଦ ଓ ରବି ମିଶ୍ର ପ୍ରମୁଖ ମଧ୍ୟ ଅଛନ୍ତି।

ଶ୍ରୀତମ୍ ଅନ୍ୟ ଯେଉଁ ନୂଆ ଓଡ଼ିଆ ସିନେମାରେ କାମ କରୁଛନ୍ତି, ତାହାର ଶୀର୍ଷକ ହେଲା ‘ସାଥୀ ତୁ ଫେରିଆ’। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରୀତମ ଦାସଙ୍କ ଭୂମିକାଟି ବେଶ୍ ପ୍ରଭାବଶାଳୀ ବୋଲି କୁହାଯାଇଛି। ଏହି ସିନେମାରେ ଜ୍ୟୋତି, ଅନୁଭା ଓ ମହାଶ୍ୱେତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଏସବୁ ସିନେମା ବ୍ୟତୀତ ଶ୍ରୀତମ୍ ଦାସଙ୍କ ଅନ୍ୟ ଏକ ସିନେମା ବି ରିଲିଜ୍ ପାଇଁ ସଜବାଜ ହେଉଥିବା ଜଣାଯାଇଛି। ସେହି ସିନେମାର ଟାଇଟଲ୍ ରହିଛି ‘ଆଣ୍ଟି ନମସ୍କାର’। ନିରଞ୍ଜନ ବେହେରା ଏହାର ନିର୍ଦ୍ଦେଶକ। ଏଥିରେ ଶ୍ରୀତମ ଦାସ ହିଁ ‘ଆଣ୍ଟି’ ଭୂମିକାରେ ଅଛନ୍ତି। ତା’ ଛଡ଼ା ଜୀନା, ରବି ମିଶ୍ର, ଜର୍ଜ ତିଆଡ଼ି, ସାତ୍ତ୍ୱକି ମିଶ୍ର, ସୁମନ୍, ମୀନକେତନ ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଯାହା ଜଣାଯାଉଛି ଶ୍ରୀତମଙ୍କ ପାଇଁ ଏ ବର୍ଷ ବହୁତ ଶୁଭ।

LEAVE A REPLY

Please enter your comment!
Please enter your name here