ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି କିଛି ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ପୁଅକୁ ଫିଲ୍ମରେ ହିରୋ ଭାବେ ଲଞ୍ଚ୍ କରିଛନ୍ତି ହେଲେ ଏମାନଙ୍କ ଭିତରୁ କେତେକ ସଫଳ ପୁଣି କେତେକ ଅସଫଳ ହୋଇଛନ୍ତି ଆସନ୍ତୁ ଜାଣିବା ଏହି ହିରୋମାନଙ୍କ ବିଷୟରେ…

ଋଷି କପୁର

ବଲିଉଡର ପ୍ରଥମ ସୋ’ ମ୍ୟାନ୍ ରାଜକପୁର ତାଙ୍କର ମଝିଆଁ ପୁଅ ଋଷି କପୁରଙ୍କୁ ତାଙ୍କର ବହୁ ଚର୍ଚ୍ଚିତ ସିନେମା ‘ବବି’ରେ ହିରୋ ଭାବେ ଲଞ୍ଚ କରିଥିଲେ। ଏଥିରେ ଋଷିଙ୍କ ଅପୋଜିଟରେ ଥିଲେ ନବାଗତା ଡିମ୍ପଲ କାପାଡିଆ। ‘ବବି’ ବ୍ଲକବଷ୍ଟର ହିଟ୍ ହେବା ପରେ ଋଷି କପୁର ଷ୍ଟାର ବନିଥିଲେ। ସେ ଆଜିଯାଏଁ ଅଭିନେତା ଭାବେ ସକ୍ରିୟ ଅଛନ୍ତି।

ହରମନ ବାୱେଜା

ହ୍ରିତ୍ୱିକ ରୋଶନଙ୍କ ଭଳି ଦିଶୁଥିବା ହରମନ ବାୱେଜା ତାଙ୍କର ପିତା ତଥା ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ହରି ବାୱେଜାଙ୍କ ଫିଲ୍ମ ‘ଲଭ୍ ଷ୍ଟୋରି-୨୦୫୦’ରୁ ଡେବ୍ୟୁ କରିଥିଲେ। ଏହି ସିନେମାରେ ହରମନଙ୍କ ବିପକ୍ଷରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଏହା ଫ୍ଲପ୍ ହୋଇଥିଲା।

ସଞ୍ଜୟ ଦତ୍ତ

ବଲିଉଡର ଲୋକପ୍ରିୟ ନାୟକ ସଞ୍ଜୟ ଦତ୍ତଙ୍କୁ ବି ତାଙ୍କ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ପିତା ସୁନିଲ ଦତ୍ତ ଲଞ୍ଚ୍ କରିଥିଲେ। ସଞ୍ଜୟ ସୁନିଲ ଦତ୍ତଙ୍କ ନିର୍ଦ୍ଦେଶିତ ‘ରକି’ରୁ ହିରୋ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ସୁପରହିଟ୍ ହୋଇଥିଲା। ସଞ୍ଜୟ ପ୍ରାୟ ଦୁଇ ଦଶକ ଧରି ବଲିଉଡରେ ସକ୍ରିୟ ଅଛନ୍ତି।

ହ୍ରିତ୍ୱିକ୍ ରୋଶନ

ବଲିଉଡର ସୁପରଷ୍ଟାର୍ ହ୍ରିତ୍ୱିକ ରୋଶନଙ୍କୁ ତାଙ୍କ ପିତା ତଥା ପ୍ରଖ୍ୟାତ ନିର୍ମାତା-ଅଭିନେତା-ନିର୍ଦ୍ଦେଶକ ରାକେଶ ରୋଶନ ହିଁ ଲଞ୍ଚ କରିଥିଲେ। ହ୍ରିତ୍ୱିକଙ୍କୁ ତାଙ୍କ ପିତା ‘କହୋ ନା ପ୍ୟାର ହେ’ରେ ହିରୋ ଭାବେ ଲଞ୍ଚ କରିଥିଲେ। ଏହା ବକ୍ସ ଅଫିସରେ ବ୍ଲକବଷ୍ଟର ମୁଭି ହେବା ପରେ ରାତାରାତି ଷ୍ଟାର ବନିଯାଇଥିଲେ ହ୍ରିତ୍ୱିକ। ୨୦୦୦ ମସିହାରେ ରିଲିଜ୍ ହୋଇଥିବା ‘କହୋ ନା ପ୍ୟାର ହେ’ ପାଇଁ ହ୍ରିତ୍ୱିକ୍ ରୋଶନ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ନବାଗତ ଭାବେ ଫିଲ୍ମ ଫେଆର୍ ଆୱାର୍ଡ ହାସଲ କରିଥିଲେ।

ଫରଦୀନ୍ ଖାନ୍

୧୯୯୮ରେ ରିଲିଜ୍ ହୋଇଥିଲା ଏକ ସିନେମା ଯାହାର ଟାଇଟଲ୍ ଥିଲା ‘ପ୍ରେମ୍ ଅଗନ’। ଏଥିରେ ଫରଦୀନ୍ ଖାନଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଫରଦୀନଙ୍କ ପିତା ତଥା ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଫିରୋଜ୍ ଖାନ୍ ପୁଅଙ୍କୁ ହିରୋ ଭାବେ ଲଞ୍ଚ କରିଥିଲେ। ଏହି ଫିଲ୍ମଟି କିନ୍ତୁ ସୁପରଫ୍ଲପ୍ ହୋଇଥିଲା।

ସୁନିଲ ଆନନ୍ଦ

ବଲିଉଡର ଖ୍ୟାତାନାମା ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଦେବ ଆନନ୍ଦ ତାଙ୍କ ପୁଅ ସୁନିଲ ଆନନ୍ଦଙ୍କୁ ଫିଲ୍ମ ‘ଆନନ୍ଦ ଔର ଆନନ୍ଦରେ’ ହିରୋ ଭାବେ ଲଞ୍ଚ କରିଥିଲେ। ସୁନିଲଙ୍କ ପ୍ରଥମ ଫିଲ୍ମ ଫ୍ଲପ୍ ହେଲା।

ରାଜୀବ କପୁର

ସୋ ମ୍ୟାନ୍ ରାଜକପୁର ତାଙ୍କ ସାନ ପୁଅ ରାଜୀବ କପୁରଙ୍କୁ ହିରୋ ଭାବେ ଲଞ୍ଚ କରିଥିଲେ ଏକ ଫିଲ୍ମରେ। ଏହି ସିନେମାର ଟାଇଟଲ୍‌ ହେଲା ‘ରାମ୍ ତେରି ଗଙ୍ଗା ମେଲି’। ଏହି ସିନେମା ସୁପରହିଟ୍ ହୋଇଥିଲା। ଏହାପରେ ରାଜୀବ କପୁରଙ୍କୁ ଅଳ୍ପ କେତୋଟି ସିନେମାରେ ହିରୋ ହୋଇଥିଲେ। ମାତ୍ର ତାଙ୍କୁ ବିଶେଷ ସଫଳତା ମିଳିନଥିଲା।

କରଣ ଦେଓଲ

ଏବେ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ସନ୍ନି ଦେଓଲ ତାଙ୍କ ପୁଅ କରଣ ଦେଓଲଙ୍କୁ ହିରୋ ଭାବେ ଲଞ୍ଚ କରୁଛନ୍ତି। ଏହି ଫିଲ୍ମର ଟାଇଟଲ୍ ହେଲା ‘ପଲ୍ ପଲ୍ ଦିଲ୍‌କେ ପାସ୍‍’।

LEAVE A REPLY

Please enter your comment!
Please enter your name here