ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଆସିଥିବା ସେବାୟତ ବ୍ୟବସ୍ଥାକୁ ଉଠାଇଦେବା ପାଇଁ ପୁରୀ ଜିଲ୍ଲା ଜଜ୍ ଯେଉଁ ସୁପାରିଶ କରିଛନ୍ତି ତାହାକୁ କିଛି ଅଣଓଡ଼ିଆଙ୍କ ଚକ୍ରାନ୍ତ ବୋଲି ଏକ ଶକ୍ତିଶାଳୀ ସେବାୟତ ଗୋଷ୍ଠି କହିଛି।

ଜଗନ୍ନାଥ ସଂସ୍କୃତିର କିଛି ଗବେଷକଙ୍କ ମତ ହେଉଛି ଯେ ସେବାୟତ ପ୍ରଥା ଉଠାଇବା କଷ୍ଟ। ସେହିଭଳି ଶ୍ରୀମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶକୁ ମଧ୍ୟ କିଛି ସେବାୟତ ବିରୋଧ କରିବା ସହ କହିଛନ୍ତି ଏହା ହିନ୍ଦୁଧର୍ମର ନୀତିନିୟମର ଉଲ୍ଲଂଘନ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନେଇ ଆସିଥିବା ଜନସ୍ୱାର୍ଥ ମାମଲାର ପ୍ରଥମ ଶୁଣାଣୀରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ପୁରୀ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇ ମନ୍ଦିର ପରିଚାଳନା ପାଇଁ ଦୀର୍ଘସ୍ଥାୟୀ ସୁପାରିଶ କରିବା ପାଇଁ କହିଥିଲେ।

ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଓ ଜଷ୍ଟିସ ଏସ ଅବଦୁଲ ନଜୀରଙ୍କ ଖଣ୍ଡପୀଠ ରାୟରେ ପୁରୀ ଜିଲ୍ଲା ଜଜଙ୍କ ସୁପାରିସକୁ କେବଳ ଦୋହରାଇଛନ୍ତି। ସେବାୟତ ବ୍ୟବସ୍ଥା ବଦଳରେ ଆଉ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ କୋର୍ଟ କିନ୍ତୁ କିଛି କହିନାହାନ୍ତି।

ବର୍ତ୍ତମାନ ଶ୍ରମନ୍ଦିରରେ ୧୨,୧୪୭ ସେବାୟତଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ଶ୍ରୀଜୀଉଙ୍କ ବିଭିନ୍ନ ସେବାରେ ଲିପ୍ତ ଅଛନ୍ତି ଓ ଉତ୍ତରାଧିକାର ସୂତ୍ରରେ ସେମାନେ ଏହା କରିଆସୁଛନ୍ତି। ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀର ସାଧାରଣ ସମ୍ପାଦକ ସୋମନାଥ ଖୁଣ୍ଟିଆଙ୍କ କହିବା ଅନୁଯାୟୀ ଏହି ଉତ୍ତରାଧିକାର ବ୍ୟବସ୍ଥା ଉଠାଇଦିଆଯିବା କଥା କେଉଁଠି ବି କୁହାଯାଇନାହିଁ। ସେ ଆଉ ଦି ପାଦ ଆଗେଇ ଯାଇ କହିଛନ୍ତି ଶ୍ରୀମନ୍ଦିର ବ୍ୟବସ୍ଥା ଉପରେ ଏହିସବୁ ଆକ୍ରମଣ ଅଣଓଡ଼ିଆଙ୍କ ଚକ୍ରାନ୍ତ ଛଡ଼ା ଆଉ କିଛି ନୁହେଁ।

ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରିଥିବା ଡକ୍ଟର ହରିହର କାନୁନଗୋଙ୍କ ମତରେ ପଟ୍ଟା ବା ରେକର୍ଡ ଅଫ ରାଇଟ୍ସ ଅନୁସାରେ ପୁରୁଷ ପୁରୁଷ ଧରି ସେବାୟତମାନେ ଯେଉଁ ଅଧିକାର ଉପଭୋଗ କରିଆସିଛନ୍ତି ସେହି ଅଧିକାରକୁ ସୁପ୍ରିମକୋର୍ଟ ବାତିଲ କରିପାରିବେ ନାହିଁ। ସେ କହିଛନ୍ତି କେଉଁ ଭିତ୍ତିରେ ପୁରୀ ଜିଲ୍ଲା ଜଜ୍ ଏହିଭଳି ଏକ ସୁପାରିଶ କରିଛନ୍ତି ତାହା ବୁଝିବା ମୁସ୍କିଲ।

ଶ୍ରୀମନ୍ଦିରର ୧୯୫୨ ମସିହା ଆଇନରେ କୁହାଯାଇଛି କେଉଁ ସେବାୟତଙ୍କ ଦାୟୀତ୍ୱ କ’ଣ ଓ ସେ କି ପ୍ରକାର ସେବା ପ୍ରଦାନ କରିବେ। ଏହି ଆଇନ ଅନୁଯାୟୀ ଶ୍ରୀମନ୍ଦିର ସହିତ ଜଡ଼ିତ ୩୬ ପ୍ରକାର ନିଯୋଗ ଉତ୍ତରାଧିକାର ଭାବରେ ଯୁଗ ଯୁଗ ଧରି ଚଳି ଆସିଛି।

ସୁପ୍ରିମକୋର୍ଟର ଅନ୍ୟ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଠାକୁରଙ୍କୁ ଦିଆଯାଉଥିବା ଦାନ ଦକ୍ଷିଣା ମନ୍ଦିର ହୁଣ୍ଡିକୁ ହିଁ ଯିବ। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ସେବାୟତ କହିଛନ୍ତି ହଜାର ହଜାର ସେବାୟତ ପରିବାର ଦାନ ଦକ୍ଷିଣା ଉପରେ ଚଳୁଛନ୍ତି। ଯଦି ସରକାର ଏସବୁ ବନ୍ଦ କରିବାକୁ ଚାହୁଁଛନ୍ତି ପ୍ରଥମେ ଆମମାନଙ୍କ ପାଇଁ ଅନ୍ନ- ବସ୍ତ୍ର -ଆଶ୍ରୟ ବ୍ୟବସ୍ଥା କରନ୍ତୁ ତା ପରେ ଯାଇ ଦକ୍ଷିଣା ପ୍ରଥା ଉଠାଇବେ।

Comment