ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରହିଟ୍‌ ସିନେମା ‘ଥ୍ରି ଇଡିଅଟସ’ରେ ଅମୀରଙ୍କୁ ନୁହେଁ, ରଣବୀର କପୁରଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ନିର୍ଦ୍ଦେଶକ ରାଜକୁମାର ହିରାନୀ

ବଲିଉଡର ପପୁଲାର ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ନୂଆ ସିନେମା ‘ସଞ୍ଜୁ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଇତିମଧ୍ୟରେ ‘ମୁନ୍ନାଭାଇ ଏମବିବିଏସ୍’, ‘ଲଗେ ରହୋ ମୁନ୍ନା ଭାଇ’, ‘ଥ୍ରି ଇଡିଅଟସ’ ଓ ‘ପିକେ’ ଭଳି ସୁପରହିଟ୍‍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

ରାଜକୁମାରଙ୍କ ବହୁଚର୍ଚ୍ଚିତ ସିନେମା ଭିତରୁ ଗୋଟିଏ ହେଲା ‘ଥ୍ରି ଇଡିଅଟସ୍’। ଏଥିରେ ଅମୀର ଖାନ୍, ଆର. ମାଧବନ୍, ଶରମନ୍ ଯୋଶୀ, କରିନା କପୁର ଓ ବୋମନ୍ ଇରାନୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ହେଲେ ଆପଣ ଜାଣନ୍ତି କି ‘ଥ୍ରି ଇଡିଅଟସ’ରେ ଅମୀର ଖାନ୍ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କର ପ୍ରଥମ ପସନ୍ଦ ନଥିଲେ। ସେ  ଚାହୁଁଥିଲେ ଏହି ଭୂମିକାଟି ରଣବୀର କପୁର ନିଭାନ୍ତୁ, ଏକଥା କହିଛନ୍ତି ନିଜେ ରାଜୁ ହିରାନୀ ।

ରାଜୁ ହିରାନୀ ‘ଥ୍ରି ଇଡିଅଟସ’ ସିନେମାରେ କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସମୟରେ ରଣବୀରଙ୍କୁ ଭେଟିଥିଲେ ଓ ତାଙ୍କୁ କାହାଣୀ ମଧ୍ୟ ଶୁଣାଇଥିଲେ। ହେଲେ ରଣବୀର ଟିକେ ସମୟ ନେବାକୁ ଚାହିଁଥିଲେ।

ଏହାପରେ ଅମୀର ଖାନଙ୍କ ସହ ସାକ୍ଷାତ ହୋ‍ଇଥିଲା ହିରାନୀଙ୍କର। ସେ ଏହି କାହାଣୀକୁ ପସନ୍ଦ ମଧ୍ୟ କରିଥିଲେ। ତେବେ ‘କଲେଜ୍ ବୟ’ ଭୂମିକା ପାଇଁ ତାଙ୍କୁ ଓଜନ କମ୍ କରିବାକୁ ପଡ଼ିବ ବୋଲି ଜାଣିବା ପରେ ବି ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ୍ ସେଥିରୁ ପଛଘୁଞ୍ଚା ଦେଲେ ନାହିଁ। ସେ ଓଜନ କମାଇ ନିଜର ଲୁକ୍ ବଦଳାଇଲେ ଓ ‘ଥ୍ରିଇଡିଅଟସ’ରେ କାମ କରିଥିଲେ।

ଏବେ ଶୁଣିବାକୁ ମିଳୁଛି ଯେ ଯଦି ରାଜକୁମାର ‘ଥ୍ରି ଇଡିଅଟସ’ର ସିକ୍ୱେଲ ତିଆରି କରିବେ, ତେବେ ସେଥିରେ ରଣବୀରଙ୍କୁ ନେବେ।

ନିର୍ଦ୍ଦେଶକ ରାଜକୁମାର ହିରାନୀ ତାଙ୍କର ଅନ୍ୟ ଏକ ଫିଲ୍ମରେ ବି ଅମୀର ଖାନଙ୍କୁ ନାୟକ ଭୂମିକାରେ ନେଇଥିଲେ। ଏହି ଫିଲ୍ମ ହେଲା ‘ପିକେ’। ଏହି ବ୍ଲକବଷ୍ଟର ମୁଭିରେ ଅମୀର ଖାନଙ୍କ ଲୁକ୍ ଓ ଅଭିନୟ ବି ବେଶ୍ ଚର୍ଚ୍ଚିତ ହୋଇଥିଲା।

କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ ରାଜୁ ହିରାନୀ ‘ପିକେ’ର ସିକ୍ୱେଲ ତିଆରି କରିବେ। ଏହି ଫିଲ୍ମରେ ପୁଣି ଥରେ କ’ଣ ଦର୍ଶକ ଅମୀର ଖାନଙ୍କୁ ପରଦାରେ ଦେଖିବାକୁ ପାଇବେ? ଏହି ପ୍ରଶ୍ନ ଅନେକଙ୍କ ମନରେ ଆସିବା ବି ସ୍ୱାଭାବିକ।

ଏ ସମ୍ପର୍କରେ ମନକଥା କହିଛନ୍ତି ନିର୍ଦ୍ଦେଶକ ରାଜକୁମାର। ସେ କହିଛନ୍ତି ଯେ ଏବେ ‘ପିକେ’ର ସିକ୍ୱେଲ ବନାଇବା ତାଙ୍କ ଯୋଜନାରେ ନାହିଁ। ତେବେ ଯଦି ଏହି ସିନେମାର ସିକ୍ୱେଲ ନିର୍ମାଣ କରିବେ, ତେବେ ସେଥିରେ ଅମୀର ଖାନ ଆଉ ହିରୋ ହେବେ ନାହିଁ।

‘ପିକେ’ ସିନେମା ତିଆରି କରିବା ସମୟରେ ସେ ରଣବୀର କପୁରଙ୍କୁ ଗେଷ୍ଟ ଆପିଅରାନ୍ସ ପାଇଁ ଅନୁରୋଧ କରିଥିଲେ। ସେ ରାଜି ହୋଇଥିଲେ ବୋଲି ଫିଲ୍ମର କ୍ଲାଇମାକ୍ସରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଏହି ସିନେମାର କ୍ଲାଇମେକ୍ସ ସିନ୍‌କୁ ଦେଖି ଲାଗୁଥିଲା ନିର୍ଦ୍ଦେଶକ ନିଶ୍ଚିତ ଭାବେ ଏହି ସିନେମାର ସିକ୍ୱେଲ ବନାଇବେ। କିନ୍ତୁ ସେ ଯଦି ଏହାର ସିକ୍ୱେଲ ନିର୍ମାଣ କରିବେ, ସେଥିରେ ରଣବୀର ନାୟକ ଭୂମିକାରେ ନଜର ଆସିବେ କି ନାହିଁ, ତାହା କହିବା ଏବେଠୁଁ ମୁସ୍କିଲ୍ ବୋଲି ସୂଚନା ଦେଇଛନ୍ତି ରାଜକୁମାର ହିରାନୀ।

Comment