ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦ ନଭେମ୍ବର ୨୭ରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏ ସମ୍ପର୍କରେ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ।
ଏହି ଖବର ଜଣାପଡ଼ିବା ପରେ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ୨୫ ବର୍ଷ ପରେ ଏହି ଅଲୌକିକ ବେଶ ଅନୁଷ୍ଠିତ ହେଉଥିବାରୁ ପୁରୀରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି।
ବିଶ୍ୱାସ ରହିଛି ଯେ ଏହି ବେଶରେ ପର୍ଶୁରାମ ଅତ୍ୟାଚାରୀ ସହସ୍ରାର୍ଜୁନକୁ ବଧ କରିଥିଲେ। ଏହାସହ ନାଗା ସାଧୁମାନେ ଏହି ବେଶରେ ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଇ ଆସୁଥିଲେ। ଏଣୁ ମହାପ୍ରଭୁ ଏହି ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।
୨୦୨୦ରେ କାର୍ତ୍ତିକ ମାସରେ ପଞ୍ଚକ ୬ ଦିନ ପଡ଼ୁଛି। ଏଣୁ ଅତିରିକ୍ତ ଦିନରେ ମହାପ୍ରଭୁ ନାଗାର୍ଜୁନ ବେଶ ଧାରଣ କରିବେ। ନାଗାର୍ଜୁନ ବେଶ ବେଳେ ଶ୍ରୀଜୀଉ ଯୋଦ୍ଧା ବେଶରେ ସଜାଇ ହୋଇଥାନ୍ତି।
ମହାପ୍ରଭୁଙ୍କ ଅଣ୍ଟାରେ ନାଗା ତାଟି ଭିଡ଼ା ଯାଏ। ମହାପ୍ରଭୁଙ୍କୁ ଧନୁଶରପୂର୍ଣ୍ଣ ତୂଣୀ, କଟାରୀ, ଛୁରୀ, ବାଘ ନଖ, ଏରାପକ୍ଷୀର ପରରେ ସଜ୍ଜିତ କରାଯାଇଥାଏ। ଜଗନ୍ନାଥ ଓ ବଳଭଦ୍ରଙ୍କ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ଲାଗି ହୋଇଥାଏ।
ଘାଗଡ଼ା ମାଳି, ହରିଡ଼ା ମାଳି, ବାଘନଖ ମାଳି ଓ ପଦ୍ମ ମାଳିରେ ମହାପ୍ରଭୁଙ୍କୁ ସଜେଇ ଦିଆଯାଏ। ସୁଭଦ୍ରାଙ୍କ ମସ୍ତକରେ ସୁନା ମୁକୁଟ, ଚନ୍ଦ୍ରିକା ଓ କର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ।
୧୯୬୬, ୧୯୮୩, ୧୯୯୩, ୧୯୯୪ରେ ନାଗାର୍ଜୁନ ବେଶ ହୋଇଥିଲା। ୧୯୯୩ରେ ଏକ ଅଘଟଣ ଘଟିଥିଲା। ଦଳାଚକଟାରେ ୬ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା।
“ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନନ୍ଦର ସହ ହେବ। ଭକ୍ତମାନେ କିପରି ଏହି ବେଶ ସୁରୁଖୁରୁରେ ଦର୍ଶନ କରିବେ ସେ ସମ୍ପର୍କରେ ପ୍ରଶାସନ ଉଚିତ୍ ପଦକ୍ଷେପ ନେବେ”, କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ













