ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୁଲାଇ ୧୪ରେ ରଥଯାତ୍ରା
  • ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କଲେ ଡିଜି
  • ପୁରୀରେ ମୁତୟନ ହେବେ ୧୪୨ ପ୍ଲାଟୁନ ପୋଲିସ
  • ଯାତ୍ରୀଙ୍କୁ ଜଗିବ ସିସିଟିଭି

ଆଉ ଦୁଇ ଦିନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀକୁ ଶ୍ରଦ୍ଧାଳୁମାନେ ଆସିବା ଆରମ୍ଭ କଲେଣି। ଶ୍ରୀକ୍ଷେତ୍ର ପୁରୀରେ ଏବେଠାରୁ ଭିଡ଼ ଜମିଲାଣି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁତ୍ୱ ଦେଇଛନ୍ତି।

ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଡିଜି ଆଜି ପୁରୀରେ ମାନସମନ୍ଥନ କରିଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ସହ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଡିଜି ପରାମର୍ଶ ଦେଇଛନ୍ତି।

ରଥଯାତ୍ରା ପାଇଁ ପୁରୀରେ ୧୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ ଡିଜି କହିଛନ୍ତି। ଏହାସହ ୧ ହଜାରରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀମାନେ ବିଭିନ୍ନ ସମ୍ବେଦନଶୀଳ ଛକରେ ରହିବେ। ରଥଯାତ୍ରା ପାଇଁ ୧୪୫ଟି ସିସିଟିଭି ଲାଗିବ ବୋଲି ଡିଜି କହିଛନ୍ତି।

ପୁରୀର ବିଭିନ୍ନ ସାହି ରାସ୍ତାରେ ପୋଲିସ ନିୟୋଜିତ ହେବେ ଏବଂ ଯାତ୍ରୀମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଡିଜି ପରାମର୍ଶ ଦେଇଛନ୍ତି।

ବରିଷ୍ଠ ଅଧିକାରୀମାନଙ୍କ ସହ ଡିଜି ଆଜି ଆଲୋଚନା କରିବା ପରେ ଗୁରୁବାର ଦିନ ମକ୍‌ଡ୍ରିଲ୍ କରାଯିବ। ମକ୍‌ଡ୍ରିଲ ପରେ କେଉଁଠି କେତେ ପୋଲିସ ମୁତୟନ ହେବେ ତାହା ସ୍ପଷ୍ଟ ହୋଇଯିବ।

ଏହାସହ ପୁରୀରେ ୨ ହଜାର ହୋମଗାର୍ଡ, ୨ ୟୁନିଟ୍ ଆର୍‌ପିଏଫ୍, ୨ ୟୁନିଟ୍ ଏସ୍‌ଟିଏଫ୍‌ ଏବଂ ୨ ୟୁନିଟ୍ ଏନଏସ୍‌ଜି ପୁରୀରେ ନିୟୋଜିତ ହେବେ। ପୁରୀରୁ ପିପିଲି ୱାନୱେ ଟ୍ରାଫିକ ବ୍ୟବସ୍ଥା କରାଯିବ।

Comment