ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଯାତ୍ରାଜଗତର ଭୀଷ୍ମ ପିତାମହ ଭାବେ ପରିଚିତ ବରିଷ୍ଠ ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ଖୋଲାକଥା ବି ଖୁବ୍ ରୋକ୍ଠୋକ୍।
ସଚ୍ଚି ଦାସ ଯଲିଉଡର ‘ଭୀଷ୍ମ ପିତାମହ’ ଭାବେ ବେଶ୍ ଜଣାଶୁଣା। ସେଭଳି ସମ୍ମାନ ମଧ୍ୟ ମିଳେ ତାଙ୍କୁ ଯାତ୍ରାଜଗତରେ। ତାଙ୍କର ବୟସ ଏବେ ୮୦ ବର୍ଷ। ଏହି ପରିଣତ ବୟସରେ ବି ସେ ଯାତ୍ରାକୁ ଛାଡ଼ି ନାହାନ୍ତି କି ଯଲିଉଡ ତାଙ୍କୁ ଦୂରେଇ ଦେଇନାହିଁ। ଏବେ ବି ଯାତ୍ରାଜଗତରେ ସକ୍ରିୟ ଥିବା ବର୍ଷିୟାନ ନିର୍ଦ୍ଦେଶକ ଜଣକ ହେଲେ ସଚ୍ଚି ଦାସ।
ସଚ୍ଚି ଦାସ ଏବେ ଅଶିବର୍ଷ ବୟସରେ ପଦାର୍ପଣ କରିଲେଣି। ତଥାପି ସେ ନାଟକରେ ନିର୍ଦ୍ଦେଶନା ଦେଉଛନ୍ତି। କିନ୍ତୁ ଗୋଟିଏ କିମ୍ବା ଦୁଇଟି ଯାତ୍ରାର ନିର୍ଦ୍ଦେଶନା ଦେଇ ସନ୍ତୁଷ୍ଟ ରହୁଛନ୍ତି ସଚ୍ଚି ଦାସ। ଅନ୍ୟାନ୍ୟ ନିର୍ଦ୍ଦେଶକମାନେ ଦଶଦିନ ଭିତରେ ନାଟକ ନିର୍ଦ୍ଦେଶନା କାମ ଶେଷ କରନ୍ତି ବୋଲି କୁହାଯାଏ। ହେଲେ ବରିଷ୍ଠ ନିର୍ଦ୍ଦେଶକ ସଚ୍ଚି ଦାସ ପ୍ରାୟ ଏକମାସ ସମୟ ଦେଇଥା’ନ୍ତି।
କେବଳ କେତେକ ପାର୍ଟିରେ ବିଶୃଙ୍ଖଳା ଥାଇପାରେ, କିନ୍ତୁ ତା’ଦ୍ୱାରା ଯାତ୍ରା ବ୍ୟବସାୟ ବିଶେଷ ପ୍ରଭାବିତ ହୁଏନାହିଁ ବୋଲି କହନ୍ତି ଏହି ବର୍ଷିୟାନ୍ ନିର୍ଦ୍ଦେଶକ।
ନିର୍ଦ୍ଦେଶକ ସଚ୍ଚି ଦାସ ଇତିମଧ୍ୟରେ ବହୁ ଲୋକପ୍ରିୟ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ସେଥିମଧ୍ୟରୁ ବଡ଼ ସୁପରହିଟ୍ ନାଟକ ହେଲା ‘ଶାଗୁଣା ବସିଛି ଡେଣା ମେଲାଇ’। ଏହାକୁ ସଚ୍ଚି ଦାସଙ୍କର ‘ମାଷ୍ଟର ପିସ୍’ ବୋଲି କୁହାଯାଏ। ତେବେ ତାଙ୍କ ମତରେ ସେ ପ୍ରତିଟି ନାଟକକୁ ସେହି ନିଷ୍ଠାରେ ନିର୍ଦ୍ଦେଶନା ଦେଇଥା’ନ୍ତି। ଜଣେ ଶିକ୍ଷକ ଭାବେ ତାଙ୍କର ଇଛା ଅନେକ ଶାଗୁଣା ସୃଷ୍ଟି ହୁଅନ୍ତୁ ଓ ଯାତ୍ରା ମହାକାଶରେ ଉଡନ୍ତୁ। କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ।
ଏମିତି ଅନେକ ଦର୍ଶକ ଅଛନ୍ତି, ଯେଉଁମାନେ ଯାତ୍ରା ନାଟକ ଦେଖିବାକୁ ଆସନ୍ତି, ଆଉ କେତେକ ରେକର୍ଡ ଡ୍ୟାନ୍ସ ଓ ନଗ୍ନ ଦେହକୁ ଦେଖି ମତୁଆଲା ହେବା ପାଇଁ ଆସିଥାନ୍ତି। ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ମତରେ ସତୁରି ଭାଗ ଦର୍ଶକ ଆଜିକାଲି ରେକର୍ଡ ଡ୍ୟାନ୍ସ ଉପଭୋଗ କରିବାକୁ ଯାତ୍ରା ଟେଣ୍ଟ ଭିତରକୁ ଆସନ୍ତି। ଅପରପକ୍ଷରେ ତରିଶି ପ୍ରତିଶତ ଦର୍ଶକ ନାଟକର ମଜା ନେବାକୁ ଆସିଥାନ୍ତି। ଯେଉଁ ଦର୍ଶକମାନେ କେବଳ ନଗ୍ନତାକୁ ଉପଭୋଗ କରିବାକୁ ଆସନ୍ତି, ସେମାନଙ୍କୁ ସନ୍ତୁଷ୍ଟ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ବି କହନ୍ତି ସଚ୍ଚି ଦାସ।
ନିର୍ଦ୍ଦେଶକ ସଚ୍ଚି ଦାସ ଆଶାବାଦୀ ଯେ ଦିନେ ନା ଦିନେ ଦର୍ଶକ କେବଳ ଯାତ୍ରା ନାଟକକୁ ଗୁରୁତ୍ୱ ଦେବେ, ରେକର୍ଡ ଡ୍ୟାନ୍ସକୁ ନୁହେଁ। ସମୟ ସହିତ ଦର୍ଶକଙ୍କ ରୁଚି ବଦଳୁଛି। ସମ୍ପ୍ରତି ଯେଉଁ ଧରଣର ନାଟକ ପ୍ରସ୍ତୁତ ହେଉଛି, ତାକୁ ନେଇ ସେ ସନ୍ତୁଷ୍ଟ ନୁହଁନ୍ତି। କେବଳ ଦର୍ଶକଙ୍କ ରୁଚିକୁ ଖାପଖୁଆଇବା ଲାଗି ସେଭଳି କରିବାକୁ ବାଧ୍ୟ ହେଉଛନ୍ତି।
“ଏବେ ଯାତ୍ରାଜଗତରେ କଳାକାର, ନାଟ୍ୟକାର ଓ ନିର୍ଦ୍ଦେଶକମାନଙ୍କୁ ମନପସନ୍ଦ ପାରିଶ୍ରମିକ ମିଳୁଛି। ଏହି କାରଣରୁ ସମସ୍ତେ ଯାତ୍ରା ମୁହାଁ ହୋଇଛନ୍ତି। କିନ୍ତୁ ଯେଉଁମାନେ ଏହି ଲାଇନରେ ନାଁ କରିବାକୁ ଚାହାଁନ୍ତି ବା ତିଷ୍ଠି ରହିବାକୁ ଚାହାଁନ୍ତି, ତେବେ ସେମାନେ ପ୍ରଥମେ ଯାତ୍ରା କ’ଣ ଓ ଦର୍ଶକ କିଏ ଏ ବିଷୟରେ ଜାଣିବା ଆବଶ୍ୟକ। ରାତାରାତି ସଫଳତାର ସ୍ୱପ୍ନ ନ ନେଇ ଏଠି ଆସିଲେ, ଜଣେ ବର୍ଷ ବର୍ଷ ଧରି ଯଲିଉଡରେ ତିଷ୍ଠି ରହିପାରିବ”, କହନ୍ତି ବରିଷ୍ଠ ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ମତ।