ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ମହାମେଣ୍ଟ ଉପରେ ହୋଇଛି ଜୋରଦାର ଆଲୋଚନା।

୨୦୧୯ ସାଧାରଣ ନିର୍ବାଚନକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଆଜି ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ମହାମେଣ୍ଟ ଉପରେ ଜୋରଦାର ଆଲୋଚନା ହୋଇଛି। ବିଜେପି ବିଜୟରେ ରୋକ୍ ଲଗାଇବା ପାଇଁ ମହାମେଣ୍ଟ ନିହାତି ଆବଶ୍ୟକ ଏବଂ ଏହାର ନେତୃତ୍ୱ କଂଗ୍ରେସ ନେଉ ବୋଲି କଂଗ୍ରେସର ବହୁ ବରିଷ୍ଠ ନେତା ବୈଠକରେ ମତ ଦେଇଛନ୍ତି।

ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ବିଜୟରେ ବ୍ରେକ୍ ଲଗାଇବା ପାଇଁ ୨୦୧୯ରେ ମହାମେଣ୍ଟ ଗଠନ କରିବାକୁ ହେଉଛି ଆଲୋଚନା। ହେଲେ ମହାମେଣ୍ଟର କିଏ ନେତୃତ୍ୱ ନେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କେତେବେଳେ ମମତା ବାନାର୍ଜୀ ମହାମେଣ୍ଟ ନେତା ହେବେ ବୋଲି ଚର୍ଚ୍ଚା ହେଉଛି ତ ପୁଣି କେତେବେଳେ ମାୟାବତୀ, କେ ଚନ୍ଦ୍ରଶେଖର ରାଓଙ୍କ ନାଁ ଉଠୁଥିଲା। ହେଲେ ଏବେ ରାହୁଲ ଗାନ୍ଧିଙ୍କ ନାଁ ଉଠାଇଇଛନ୍ତି କଂଗ୍ରେସ ନେତା।

ସିଡବ୍ଲ୍ୟୁସି ବୈଠକରେ ରାଜସ୍ଥାନର କଂଗ୍ରେସ ନେତା ସଚିନ୍ ପାଇଲଟ୍, ଶକ୍ତି ସିଂହ ଗୋହିଲ୍, ରମେଶ ଚେନ୍ନିଥଲାଙ୍କ ଭଳି ନେତା ଯୁକ୍ତି ବାଢ଼ିଥିଲେ କି ୨୦୧୯ରେ ଏକ ରଣନୀତିକ ମହାମେଣ୍ଟ ଗଠନ କରିବା ଦରକାର। ଆଉ ଏହି ମହାମେଣ୍ଟର ନେତୃତ୍ୱ କଂଗ୍ରେସ ହିଁ ନେବା ଦରକାର। ଏହାର ନେତା ରାହୁଲ ଗାନ୍ଧି ହୁଅନ୍ତୁ ବୋଲି ସେମାନେ ମତ ଦେଇଥିଲେ।

ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ସିଡବ୍ଲ୍ୟୁସି ବୈଠକରେ ମହାମେଣ୍ଟ ଉପରେ ସହମତି ଜଣାଇଥିଲେ। ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ସମଭାବାପନ୍ନ ରାଜନୈତିକ ଦଳ ଆଗେଇ ଆସିବା ଦରକାର।

ସୋନିଆ ଗାନ୍ଧି କହିଛନ୍ତି, “ଆମକୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡ଼ିବ। ନରେନ୍ଦ୍ର ମୋଦିଙ୍କ ନେତୃ୍ତ୍ୱାଧୀନ ସରକାର ଗଣତନ୍ତ୍ରକୁ ବିପଦରେ ପକାଇ ଦେଇଛନ୍ତି। ଲୋକମାନଙ୍କୁ ଭଲ ଶାସନ ଦେବା ପାଇଁ ମହାମେଣ୍ଟ ଗଠନ କରିବା ନିହାତି ଦରକାର। ଏଥିପାଇଁ ସମସ୍ତ କଂଗ୍ରେସ ନେତୃବୃନ୍ଦ ସଙ୍କଳ୍ପ ନେବା ଦରକାର। ସମସ୍ତେ ରାହୁଲ ଗାନ୍ଧିଙ୍କୁ ନେତୃତ୍ୱକୁ ସମର୍ଥନ କରିବା ଦରକାର।”

Comment