ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ମୋଦିଙ୍କୁ କୋଳେଇ ନେବା ପରେ ରାହୁଲ୍ ଗାନ୍ଧି ଚର୍ଚ୍ଚାରେ ଅଛନ୍ତି। ତେବେ ଏହା କରିବା ପାଇଁ ରାହୁଲ ଫେବ୍ରୁଆରୀ ମାସରୁ ଯୋଜନା କରିଥିବା ଏବେ ଚର୍ଚ୍ଚା ହେଉଛି।
ନିକଟରେ ମୋଦି ସରକାରଙ୍କ ବିରୋଧରେ ଲୋକସଭାରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ଆଲୋଚନାରେ ଭାଗ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଦ୍ବୋଧନ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କଲେ। ଏହାକୁ ନେଇ ବିଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି। ହେଲେ ଏହି ଆଲିଙ୍ଗନ ଆକସ୍ମିକ ନଥିଲା ବୋଲି କୁହାଯାଉଛି। ମୋଦିଙ୍କୁ ଆଲିଙ୍ଗନ କରିବା ପାଇଁ ରାହୁଲ ଗାନ୍ଧି ଗତ ଫେବ୍ରୁଆରୀ ମାସରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।
ଫେବ୍ରୁଆରୀ ମାସରେ ସଂସଦରେ ମୋଦି ଦେଇଥିବା ଏକ ଭାଷଣ ପରଠାରୁ ହିଁ ଏହି ଆଲିଙ୍ଗନ ବା ଝପ୍ପୀର ଯୋଜନା ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି। ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ସାରିବା ପରେ ରାହୁଲ ଯେଉଁଭଳି ଅଚାନକ ମୋଦିଙ୍କ ଆଡ଼କୁ କୁଦି ପଡ଼ିଲେ ତାହା କଦାପି ସମ୍ଭବ ହୋଇନଥାନ୍ତା ଯଦି ରାହୁଲ ଆଗରୁ ଏକଥା ଭାବି ନଥାନ୍ତେ।
ମୋଦିଙ୍କୁ କୋଳେଇବା ପରେ ସଂସଦରେ ଉପସ୍ଥିତ ସମସ୍ତ ସାଂସଦ ଆଚମ୍ବିତ ହୋଇ ଯାଇଥିଲେ। ଏପରିକି ରାହୁଲଙ୍କ ଦଳର ସାଂସଦ ମଧ୍ୟ ଏଥିରେ ଚିହିଁକି ପଡ଼ିଥିଲେ। କଂଗ୍ରେସର ଜଣେ ନେତାଙ୍କ କହିବା ଅନୁଯାୟୀ, ରାହୁଲଙ୍କ ମନକୁ ଏହି ବିଚାରଟି ଆସିଥିଲା ଗତ ଫେବୃଆରୀ ମାସରେ। ସେହି ସମୟରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ମୋଦି ଭାଷଣ ପ୍ରଦାନ କରୁଥିଲେ। ସେହି ଭାଷଣରେ ମୋଦି କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଏହି ଦଳ ଗୋଟିଏ ପରିବାର ପାଇଁ କାର୍ଯ୍ୟ କରି ଆସିଛି। ସେହି ଭାଷଣରେ ମୋଦି ସମସ୍ତଙ୍କୁ ସମାଲୋଚନା କରିଥିଲେ। ଜବହାରଲଲ ନେହରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ଛାଡ଼ି ନଥିଲେ ମୋଦି।
ମୋଦିଙ୍କ ଭାଷଣ ଶୁଣିବା ପରେ ରାହୁଲଙ୍କ ମୁଣ୍ଡକୁ ଆସିଥିଲା ଯେ ମୋଦି ତାଙ୍କ ପରିବାର ଉପରେ ଭୀଷଣ ରାଗିଛନ୍ତି। ଆଉ ଏଇଥିପାଇଁ ତାଙ୍କୁ ଥରେ କୋଳାଗ୍ରତ କରାଯିବା ଆବଶ୍ୟକ। ରାହୁଲଙ୍କ ଏହି ଆଲିଙ୍ଗନ ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ବିପରୀତ ବିଚାରଧାରା ସତ୍ତ୍ୱେ ଜଣେ ଆଉ ଜଣକ ସହ ବିନା ଘୃଣା ଓ ଦ୍ଵେଷର ସହିତ ରହିପାରେ। ଏହି ସନ୍ଦେଶ ଦେବା ପାଇଁ ସଂସଦ ଅଧିବେଶନ ହିଁ ଠିକ୍ ବୋଲି ଧରି ନେଇଥିଲେ ରାହୁଲ୍।
ଫେବୃୟାରୀ ଭାଷଣରେ ମୋଦି ବୋଫର୍ସ ଦୁର୍ନୀତିରେ କଂଗ୍ରେସ ଦଳ ଉପରେ ଜୋରଦାର ଆକ୍ରମଣ କରିଥିଲେ। ସେହି ସମୟରେ କିନ୍ତୁ ଏହି ଝପ୍ପୀ ଦେବା ପାଇଁ ରାହୁଲ ପ୍ରସ୍ତୁତ ନଥିଲେ। ରାହୁଲଙ୍କ ମୁଣ୍ଡରେ କିନ୍ତୁ ଏହି ଚିନ୍ତାଟି ବରାବର ରହି ଆସିଥିଲା। ବଡ଼ କଥା ହେଉଛି ଏନେଇ ସେ ଦଳ ଭିତରେ କାହା ସହିତ ଆଲୋଚନା ବି କରିନଥିଲେ ଓ ଏହାକୁ ଗୋପନୀୟ ରଖିଥିଲେ।
ରାହୁଲ ମୋଦିଙ୍କୁ ଝପ୍ପୀ ଦେବା ପାଇଁ ଯେତେବେଳେ ଅଗ୍ରସର ହେଲେ ତାଙ୍କ ଦଳର ସଦସ୍ୟମାନେ ଭାବୁଥିଲେ ରାହୁଲ ଏକ ବ୍ରେକ ନେବାକୁ ଚାହୁଁଛନ୍ତି। କିନ୍ତୁ ରାହୁଲ ଯେତେବେଳେ ସିଧାସଳଖ ମୋଦିଙ୍କ ସଂସ୍ପର୍ଶରେ ଆସିଲେ ସେଥିରେ କଂଗ୍ରେସ ସାଂସଦମାନେ ଚକିତ ହୋଇ ପଡ଼ିଥିଲେ। ପ୍ରିୟା ଷ୍ଟାଇଲରେ ରାହୁଲ ଯେଉଁଭଳି ଆଖି ମାରିଲେ ତାହା ମୂଳ ଯୋଜନାର ଅଂଶ ବିଶେଷ ନଥିଲା। ନିଜ ଦଳର ସାଂସଦଙ୍କ ଆଡ଼କୁ ଚାହିଁ ଉଇଙ୍କ୍ କରିବା ରାହୁଲଙ୍କ ମୁଣ୍ଡକୁ ସାଙ୍ଗେ ସାଙ୍ଗେସାଙ୍ଗେ ଆସିଥିଲା।








ଲୋକସଭାରେ ମୋଦିଙ୍କୁ କୋଳେଇ ନେବା ପରେ ରାହୁଲ୍ ଗାନ୍ଧି ଚର୍ଚ୍ଚାରେ ଅଛନ୍ତି। ତେବେ ଏହା କରିବା ପାଇଁ ରାହୁଲ ଫେବ୍ରୁଆରୀ ମାସରୁ ଯୋଜନା କରିଥିବା ଏବେ ଚର୍ଚ୍ଚା ହେଉଛି।









