ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁପରଷ୍ଟାରମାନେ ଏବେ ସ୍ପୋର୍ଟସ ଫିଲ୍ମ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଶାହାରୁଖ୍ ଖାନ୍, ଅକ୍ଷୟ କୁମାର, ସୁଶାନ୍ତ ସିଂହ ରାଜପୁତ୍, ଫରହାନ୍ ଅଖତରଙ୍କ ପରେ ଏବେ ପାଳିପଡ଼ିଛି ଅଜୟ ଦେବଗନ୍ ରଣବୀର ସିଂହଙ୍କର

ରଣବୀର ସିଂହ

ରଣବୀର ସିଂହ ବି ଏକ କ୍ରୀଡ଼ାଭିତ୍ତିକ ସିନେମାରେ ନଜର ଆସିବେ। ଏହି ଫିଲ୍ମଟି ହେଉଛି କ୍ରିକେଟ୍ ତାରକା କପିଲଦେବଙ୍କ ବାୟୋପିକ୍‌। ଏଥିରେ ‘କପିଲ ଦେବ’ଙ୍କ ଭୂମିକାରେ ଅଭିନୟ କରିବେ ରଣବୀର ସିଂହ। ୧୯୮୩ ବିଶ୍ୱକପ୍‌ରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଜେତା ହୋଇଥିଲେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ କବୀର ଖାନ୍‌। ଅନୁରାଗ କଶ୍ୟପ, ବିକାଶ ବହଲ, ବିକ୍ରମାନ୍ଦିତ୍ୟ ମୋଟୱାନି ଓ ମଧୁ ମଣ୍ଟେନା ଏହାର ପ୍ରଯୋଜନା କରୁଛନ୍ତି।

ରଣବୀର ଏହି ସିନେମା ପାଇଁ ଇତିମଧ୍ୟରେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସେ କ୍ରିକେଟ୍ ତାରକା କପିଲଦେବଙ୍କ ସହ ମଧ୍ୟ ନିଜର ଫଟୋ ସେଆର୍ କରିଛନ୍ତି ସୋସିଆଲ୍‌ ମିଡିଆରେ।

ଅଜୟ ଦେବଗନ୍

ବଲିଉଡର ପ୍ରତିଭାବାନ୍‌ ନାୟକ ଅଜୟ ଦେବଗନ୍‌ ନିଜର ଚମତ୍କାର ଅଭିନୟ ଲାଗି ଦୁଇଥର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି। ଶ୍ରେଷ୍ଠ ଅଭିନେତା ଭାବେ ସେ ‘ଜଖମ’ ଓ ‘ଦ ଲୈଜେଣ୍ଡ ଅଫ୍‌ ଭଗତ ସିଂହ’ରେ ସେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ।

ଏବେ ଅଜୟ ଦେବଗନ୍‌ ଏକ ସ୍ପୋର୍ଟସ ଡ୍ରାମା ଫିଲ୍ମରେ ଅଭିନୟ କରୁଥିବା ଜଣାଯାଇଛି। ଏହି ଫିଲ୍ମର ଟାଇଟଲ୍ ଏଯାଏଁ ଫାଇନାଲ୍‌ ହୋଇନାହିଁ। ତେବେ ଏହାର କାହାଣୀ ଜଣେ ଫୁଟବଲ୍ କୋଚ୍‌ଙ୍କ ଜୀବନୀ ଉପରେ ଆଧାରିତ। ଏହି ଫୁଟବଲ୍‌ କୋଚ୍‌ ଜଣକ ହେଲେ ସୟଦ୍‌ ଅବଦୁଲ୍ ରହିମ। ସେ ୧୯୫୦ରୁ ୧୯୬୩ ମଧ୍ୟରେ ଭାରତୀୟ ଫୁଟବଲ୍ ଦଳର କୋଚ୍‌ ଓ ମ୍ୟାନେଜର୍‌ ଭାବେ ଦାୟିତ୍ୱ ନିର୍ବାସ କରିଥିଲେ। ଇଣ୍ଡୋନେସିଆର ଜାକର୍ତ୍ତାରେ ୧୯୬୨ରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସୟଦ୍‌ ଅବଦୁଲ ରହିମଙ୍କ ପାଇଁ ଭାରତୀୟ ଫୁଟବଲ୍ ଦଳ ବିଜୟ ଲାଭ କରିଥିଲେ। ଅଜୟ ‘ସୟଦ୍‌ ଅବଦୁଲ୍ ରହିମ’ଙ୍କ ଭୂମିକା ନିଭାଇବେ।

ଏହି ସିନେମାର ପ୍ରଯୋଜନା କରୁଛନ୍ତି ଜି ଷ୍ଟୁଡିଓଜ୍ ଓ ବୋନି କପୁର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ଶର୍ମା। ଅମିତ୍‌ ଏହା ପୂର୍ବରୁ ଅର୍ଜୁନ କପୁର, ସୋନାକ୍ଷୀ ସିହ୍ନା ଓ ମନୋଜ ବାଜପେୟୀ ଷ୍ଟାରର୍‌ ‘ତେବର୍‌’ର ନିର୍ଦ୍ଦେଶନା ଦେଇଥିଲେ।

ଏହି ସ୍ପୋର୍ଟସ ବାୟୋପିକ୍‌ର ଚିତ୍ରନାଟ୍ୟ ଲେଖୁଛନ୍ତି ସାଇୱିନ୍‌ କାଦ୍ରି, ଯିଏ ଅତୀତରେ ‘ମେରିକମ୍‌’ ଓ ‘ନୀରଜା’ ଭଳି ସିନେମା ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ଏହାର ସଂଳାପ ଲେଖିଛନ୍ତି ‘ଏୟାରଲିଫ୍ଟ’ ଓ ‘ନମସ୍ତେ ଲଣ୍ଡନ’ ଫେମ୍‌ ରିତେଶ ଶାହା। ଖୁବ୍ ଶୀଘ୍ର ଏହି ଫିଲ୍ମର ଟାଇଟଲ୍‌ ଘୋଷଣା କରାଯିବ ଓ ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ଫୁଟବଲ୍‌ ଖେଳକୁ ଅଧିକ ଲୋକପ୍ରିୟ କରିବ ବୋଲି ପ୍ରଯୋଜକ ଆଶାବାଦୀ।

ସୁଶାନ୍ତ ସିଂହ ରାଜପୁତ

୧୯୭୨ରେ ୫୦ ମିଟର ସନ୍ତରଣରେ ଜଣେ କ୍ରୀଡ଼ାବିତ୍‌ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ସେ ଜାଭେଲିନ୍ ଥ୍ରୋରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି କ୍ରୀଡ଼ାବିତ୍ ଜଣକ ହେଲେ ମୁରଲୀକାନ୍ତ ପେଟକର୍‌।

ଏବେ ଏହି ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କ ଜୀବନୀ ଉପରେ ମଧ୍ୟ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଜଣାଯାଇଛି। ଏହି ଫିଲ୍ମର ଟାଇଟଲ୍‌ ଏଯାଏଁ ଫାଇନାଲ୍‌ ହୋଇନାହିଁ। ତେବେ ଏଥିରେ ମୁରଲୀକାନ୍ତ ପେଟକରଙ୍କ ଭୂମିକାରେ ଜଣାଶୁଣା ନାୟକ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିବେ ବୋଲି ଶୁଣାଯାଉଛି।

ସୁଶାନ୍ତ ଏହା ପୂର୍ବରୁ ‘ଏମ୍.ଏସ୍‌. ଧୋନି- ଦ ଅନ୍‌ଟୋଲ୍ଡ ଷ୍ଟୋରି’ ଫିଲ୍ମରେ କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା ନିଭାଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ମଧ୍ୟ ହୋଇଥିଲା। ଏଥିରେ ସୁଶାନ୍ତଙ୍କ ଅଭିନୟର ମଧ୍ୟ ବେଶ୍‍ ପ୍ରଶଂସା ହୋଇଥିଲା।

LEAVE A REPLY

Please enter your comment!
Please enter your name here