ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସାଧାରଣତଃ ଯାତ୍ରା ନାଟକର ନାମକରଣ ପ୍ରଚଳିତ କଥାକୁ ନେଇ କରାଯାଏ। ଏମିତି ଏକ ନାଟକର ଶୀର୍ଷକ ହେଲା ‘ମଣିଷ ଦେଖିଲେ ଡର ଲାଗୁଛି’। ଆସନ୍ତୁ ଜାଣିବା ଏହି ବହୁଚର୍ଚ୍ଚିତ ନାଟକ ନାମକରଣ ପଛର କାହାଣୀ …
ଯଲିଉଡର ଏକ ଲୋକପ୍ରିୟ ନାଟକ ଭାବେ ପରିଗଣିତ ହୁଏ ‘ମଣିଷ ଦେଖିଲେ ଡର ଲାଗୁଛି’। ଏହାର ନାଟ୍ୟକାର ହେଲେ ଗଣେଶ ରାଉତ। ଏହି ଜନପ୍ରିୟ ନାଟକର ନିର୍ଦ୍ଦେଶନା ଦେଇଥିଲେ ଗୁରୁପ୍ରସାଦ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିହିର ମହାନ୍ତି ଓ ଗୀତ ରଚନା କରିଥିଲେ ପଞ୍ଚାନନ ନାୟକ। ଏବେ ଆସନ୍ତୁ ଜାଣିବା ‘ମଣିଷ ଦେଖିଲେ ଡର ଲାଗୁଛି’ର ସଂକ୍ଷିପ୍ତ କାହାଣୀ।
ସମାଜରେ ଚାରିଆଡେ ବ୍ୟାପିଛି ଭ୍ରଷ୍ଟାଚାର, ବ୍ୟଭିଚାର, ଅନ୍ୟାୟ ଓ ହତ୍ୟାର ତାଣ୍ଡବ। ଏଠି କିଏ ହିନ୍ଦୁ, ପୁଣି କିଏ ମୁସଲମାନ୍ ଓ ପୁଣି କିଏ ଖ୍ରୀଷ୍ଟିଆନ୍। ଏହି ପ୍ରମୁଖ ତିନିଧର୍ମ ଶାନ୍ତିରେ ସହାବସ୍ଥାନ ଲାଗି ବାର୍ତ୍ତା ଦେଇଛି, ହେଲେ ଆଜିର ମଣିଷ ସମାଜ ସେଥିପ୍ରତି ଧ୍ୟାନ ଦେଇନାହିଁ।
ଅବନ୍ତୀ ନାରାୟଣ ମହାପାତ୍ରଙ୍କ ପୁତ୍ର ପାର୍ଥ। ସେ ଅଧିକ ବୟସରେ ବିବାହ କରନ୍ତି ଉଚ୍ଚ ଶିକ୍ଷିତା ଓ ଉଗ୍ର ଆଧୁନିକା ବନ୍ଦନାଙ୍କୁ। ପାର୍ଥ ହୋମଗାର୍ଡ ଭାବେ ଚାକିରି କରନ୍ତି। ବନ୍ଦନାଙ୍କର ଚାହିଦାକୁ ପୂରଣ କରିପାରୁଥିଲେ ପାର୍ଥ।
ଏହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟରେ କନ୍ଦଳ ହୁଏ। ପାର୍ଥ ବନ୍ଦନାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରନ୍ତି। ହେଲେ ସେ ଅବୁଝା। ଏହି କାରଣରୁ ବନ୍ଦନା ପାଞ୍ଚବର୍ଷ ଧରି ବୈବାହିକ ଜୀବନ ବିତାଇସାରିବା ପରେ ମଧ୍ୟ ମା’ ହେବାର ସୌଭାଗ୍ୟ ପାଇଲେ ନାହିଁ। ଏଥିପାଇଁ ଅବନ୍ତୀ ନାରାୟଣ ଚିନ୍ତାରେ ପଡ଼ନ୍ତି। ତାଙ୍କ ପରାମର୍ଶରେ ବନ୍ଦନା ସହରର ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଡେଭିଡଙ୍କ ପାଖକୁ ଯାଆନ୍ତି।
ଡାକ୍ତର ଡେଭିଡ ଜଣେ ନାରୀ ମାଂସଲୋଭୀ ମଣିଷ। ଏଣୁ ସେ ସୁଯୋଗ ପାଇବା ମାତ୍ରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି। ଏପରିକି ତାଙ୍କର ଶଯ୍ୟାସଙ୍ଗିନୀମାନଙ୍କୁ ପ୍ରଚୁର ଅର୍ଥ ବି ଦିଅନ୍ତି। ଡାକ୍ତର ଡେଭିଡ ବନ୍ଦନାଙ୍କୁ କହନ୍ତି ଯେ ତାଙ୍କ ସ୍ୱାମୀ ଜଣେ ନପୁଂସକ। ଏହି କାରଣରୁ ବନ୍ଦନା ମାଆ ହୋଇ ପାରିବେ ନାହିଁ। ଏଣୁ ବନ୍ଦନା ଗୋପନରେ ଡାକ୍ତର ଡେଭିଡଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୁଅନ୍ତି।
ଏଣେ ଘଟଣାଚକ୍ରରେ ପାର୍ଥଙ୍କର ଦେଖା ହୁଏ ନିଜ ଗାଁର ଝିଅ ତୁଳସୀ ସହିତ। ତୁଳସୀ ନିଜର ଦୁଃଖ କାହାଣୀ ଶୁଣାଏ ପାର୍ଥଙ୍କୁ। ତୁଳସୀ କହେ ଯେ ଡାକ୍ତର ଡେଭିଡ୍ ଏକ ପଶୁ। ସେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଖାଲି ସେତିକି ନୁହେଁ, ଡାକ୍ତର ଡେଭିଡ୍ ତାଙ୍କୁ ବନ୍ଦୀ କରି ରଖିଥିଲା ବୋଲି ମଧ୍ୟ କହେ ତୁଳସୀ।
ପାର୍ଥଙ୍କର ଭଉଣୀ ରଶ୍ମୀ ମହାପାତ୍ର ଜଣେ ମୁସଲମାନ ଯୁବକ ସଲିମ୍ ଖାଁଙ୍କୁ ପ୍ରେମ ବିବାହ କରେ। ସେ ଶାଶୁଘରେ ବାରମ୍ବାର ନିର୍ଯାତନାର ଶିକାର ହୁଏ। ତା’ର ଶାଶୁ ତାକୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିନ୍ତି। କିନ୍ତୁ ରଶ୍ମୀ ରାଜି ହୁଏନା। ଅବଶ୍ୟ ସଲିମର ଭଉଣୀ ରୋଜା ଏହାର ପ୍ରତିବାଦ କରନ୍ତି କିନ୍ତୁ କିଛି ସୁଫଳ ମିଳେନା।
ଏଣେ ଭଉଣୀ ତେଣେ ପତ୍ନୀର ବିଷମ ପରିସ୍ଥିତି ଉଦ୍ବିଗ୍ନ କରିପକାଏ ପାର୍ଥଙ୍କୁ। ସେ ନିଷ୍ପତ୍ତି ନିଅନ୍ତି ଉଭୟଙ୍କୁ ରକ୍ଷା କରିବେ। ତା’ପରେ ପାର୍ଥ କୌଶଳକ୍ରମେ ଡାକ୍ତର ଡେଭିଡଙ୍କ କବଳରୁ ପତ୍ନୀ ବନ୍ଦନାଙ୍କୁ ରକ୍ଷା କରନ୍ତି। ଖାଲି ସେତିକି ନୁହେଁ, ଭଉଣୀ ରଶ୍ମୀଙ୍କୁ ମଧ୍ୟ ଶାଶୁଘରେ ସୁରକ୍ଷା ଦେବାରେ ସଫଳ ହୁଅନ୍ତି। ଡାକ୍ତର ଡେଭିଡଙ୍କୁ ଶାସ୍ତି ବିଧାନ ହୁଏ। ଏହିପରି ଭାବେ ଯାତ୍ରା କାହାଣୀର ପରିସମାପ୍ତି ଘଟେ।