ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ଚିଡୁଥିଲେ ରୋମାଣ୍ଟିକ ହିରୋ ଋଷି କପୁର ଏପରି ଚିଡ଼ିବା ପଛର କାହାଣୀ ବିଷୟରେ ଆସନ୍ତୁ ଜାଣିବା

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ୍ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ ଯତିନରୁ ପାଲଟି ଯାଇଥିଲେ ରାଜେଶ।

୧୯୯୬ ମସିହାରେ ଚେତନ ଆନନ୍ଦଙ୍କ ‘ଆଖରି ଖତ୍‌’ ଫିଲ୍ମ ଜରିଆରେ ସୁପରଷ୍ଟାର ରାଜେଶ ଖାନ୍ନା ଡେବ୍ୟୁ କରିଥିଲେ। ରାଜେଶ ଖାନ୍ନା ଲଗାତର ୧୫ଟି ବ୍ଲକବଷ୍ଟର ଫିଲ୍ମ ଦେବାରେ ଯେଉଁ ବିରଳ ରେକର୍ଡ ବଲିଉଡରେ ସୃଷ୍ଟି କରିଛନ୍ତି, ତାକୁ ଆଜି ଯାଏଁ କେହି ବି ବ୍ରେକ୍ କରିପାରିନାହାନ୍ତି।

ରାଜେଶ ଖାନ୍ନାଙ୍କର ଏକ ବଡ଼ ଅଭିଳାଷ ଥିଲା, ଯେମିତି ହେଲେ ସୋ’ମ୍ୟାନ୍‌ ରାଜ କପୁରଙ୍କ ନିର୍ଦ୍ଦେଶିତ କୌଣସି ଫିଲ୍ମରେ ଲିଡ୍ ରୋଲ୍ କରିବେ। ସେ ନିଜ ମନକଥା ଥରେ ରାଜ କପୁରଙ୍କୁ ବି ଜଣାଇଥିଲେ।

ରାଜ କପୁର ବି ଗମ୍ଭୀରତାର ସହିତ ରାଜେଶ ଖାନ୍ନାଙ୍କ କଥାକୁ ବିଚାର କରିଥିଲେ। ସେହି ସମୟରେ ସେ ‘ସତ୍ୟମ୍ ଶିବମ୍‌ ସୁନ୍ଦରମ୍‌’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଥାନ୍ତି। ରାଜ୍‌ କପୁର ସେଥିରେ ଜୀନତ ଅମାନଙ୍କ ସହ ରାଜେଶ ଖାନ୍ନାଙ୍କୁ ନେବା ଲାଗି ମନେ ମନେ ଠିକ୍‌ କରିଥିଲେ।

ଏକଥା ଜାଣିପାରିଲେ ରାଜ କପୁରଙ୍କ ମଝିଆଁ ପୁଅ ଋଷି କପୁର। ସେତେବେଳେ ରାଜେଶ ଖାନ୍ନାଙ୍କ ନାଁ ଶୁଣିଲେ ଚିଡ଼ୁଥିଲେ ଋଷି। ବୋଧହୁଏ ଏହାର କାରଣ ଥିଲା ଏହା ଯେ ଋଷିଙ୍କ ପ୍ରଥମ ସିନେମା ‘ବବି’ର ହିରୋଇନ୍ ଡିମ୍ପଲ୍ କାପାଡିଆଙ୍କୁ ବାହା ହୋଇଗଲେ ରାଜେଶ ଖାନ୍ନା। ଋଷି କପୁର ବି ଡିମ୍ପଲଙ୍କ ଦିୱାନା ଥିଲେ। ଋଷି- ଡିମ୍ପଲଙ୍କ ଯୋଡ଼ି ହିଟ୍ ହେଲା ପରେ ଉଭୟେ ସାଙ୍ଗ ହୋଇ ଅନେକଗୁଡ଼ିଏ ଫିଲ୍ମରେ ଏକାଠି କାମ କରିଥା’ନ୍ତେ। କିନ୍ତୁ ରାଜେଶ ଖାନ୍ନାଙ୍କ ପାଇଁ ତାହା ସମ୍ଭବ ହୋଇପାରିନଥିଲା।

ଋଷି କପୁର ଚାହିଁଲେ ରାଜେଶ ଖାନ୍ନା ଯେମିତି ତାଙ୍କ ପିତାଙ୍କ ଫିଲ୍ମରେ କାମ ନ କରନ୍ତୁ। ଏଣୁ ସେ ସୋ’ମ୍ୟାନ୍‌ ରାଜ କପୁରଙ୍କୁ ପ୍ରବର୍ତ୍ତାଇଥିଲେ। ଆଉ ରାଜେଶଙ୍କ ବଦଳରେ ଶଶୀ କପୁରଙ୍କୁ ନିଆଯାଇଥିଲା ‘ସତ୍ୟମ୍ ଶିବମ୍‌ ସୁନ୍ଦରମ୍‌’ରେ।

ଅବଶ୍ୟ ରାଜେଶ ଖାନ୍ନା ଓ ଋଷି କପୁର କେତୋଟି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି। ଏହି ଫିଲ୍ମଗୁଡ଼ିକ ହେଲା ‘ନସୀବ୍‌’, ‘ଜମାନା’, ‘ରାମ୍‌ତେରେ କିତ୍‌ନେ ନାମ୍‌’, ‘ବିଜୟ’ ଏବଂ ‘ଘର ପରିବାର’।

ସୁପରଷ୍ଟାର ରାଜେଶ ଖାନ୍ନା ସିନା ରାଜ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାମ କରିବାରୁ ବଞ୍ଚିତ ହୋଇଥିଲେ, ହେଲେ ତାଙ୍କ ପୁଅ ଋଷି କପୁରଙ୍କ ନିର୍ଦ୍ଦେଶିତ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଋଷି କପୁରଙ୍କ ନିର୍ଦ୍ଦେଶିତ ଏକମାତ୍ର ସିନେମା ହେଲା ‘ଆ ଅବ୍ ଲୌଟ ଚଲେ’। ଏଥିରେ ରାଜେଶ ଖାନ୍ନା ନାୟକ ଅକ୍ଷୟ ଖାନ୍ନାଙ୍କ ପିତା ଭୂମିକା ନିଭାଇଥିଲେ।

ଋଷି କପୁର ଆଗେ ରାଜେଶ ଖାନ୍ନାଙ୍କ ଉପରେ ଚିଡୁଥିଲେ। ହେଲେ ପରେ ଉଭୟଙ୍କ ଭିତରେ ଭଲ ସମ୍ପର୍କ ସ୍ଥାପିତ ହୋଇଥିଲା। ଏହି କାରଣରୁ ଋଷି କପୁର ହିଁ ରାଜେଶ ଖାନ୍ନାଙ୍କୁ ‘ଆ ଅବ୍‌ ଲୌଟ୍‌ ଚଲେ’ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ରାଜେଶ ଖାନ୍ନା ଓ ଋଷି କପୁର ଏହା ପରେ ଏକାଠି କେବେବି କାମ କରିନଥିଲେ।

Comment