ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ପପୁଲାର ଆକ୍ଟ୍ରେସ୍‍ ମୀନା କୁମାରୀଙ୍କ ୮୫ତମ ଜନ୍ମତିଥି ଅବସରରେ ଗୁଗଲ ଡୁଡଲ ତରଫରୁ ଶ୍ରଦ୍ଧାଞ୍ଜଳି

ଟ୍ରାଜେଡି କୁଇନ୍‍ ଭାବେ ପପୁଲାର ମୀନା କୁମାରୀଙ୍କ ୮୫ତମ ଜନ୍ମତିଥି ଅବସରରେ ଗୁଗଲ ଡୁଡଲ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମୀନା କୁମାରୀ ଦେଖିବାକୁ ଥିଲେ ଯେତିକି ସୁନ୍ଦର, ସେ ଅଭିନୟ ମଧ୍ୟ ସେତିକି ନିଖୁଣ ଭାବେ କରନ୍ତି। ମୀନାଙ୍କର ପ୍ରକୃତ ନାମ ମହଜବିନ ବାନୋ ଥିଲା।

୬ ବର୍ଷ ବୟସରୁ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ ମୀନା କୁମାରୀ

ମୀନା କୁମାରୀ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୬ ବର୍ଷ ବୟସରୁ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ। କିନ୍ତୁ ମହଜବିନ ଓରଫ୍‍ ମୀନା କୁମାରୀ ୧୯୫୨ ମସିହାରେ ରିଲିଜ‍ ହୋ‍ଇଥିବା ତାଙ୍କ ସିନେମା ’ବୈଜୁ ବାବରା’ ମାଧ୍ୟମରେ ପପୁଲାର ହୋ‍ଇପାରିଥିଲେ। ସେହି ସିନେମାର ନିର୍ଦ୍ଦେଶକ ବିଜୟ ଭଟ୍ଟ ମହଜବିନ ବାନୋଙ୍କୁ ଏକ ନୂଆ ନାଁ ଦେଇଥିଲେ ଓ କ୍ରମେ ସେ ’ମୀନା କୁମାରୀ’ ଭାବେ ପପୁଲାର ହୋ‍ଇଥିଲେ।

’ବୈଜୁ ବାବରା’ ପରେ ମୀନା କୁମାରୀ ୧୯୫୩ ଭିତରେ ’ଦାୟରା’, ’ଦୋ ବିଘା ଜମୀନ’, ପରିଣୀତା’ ଆଦି ସୁପରହିଟ୍‍ ସିନେମାରେ ନଜର ଆସିଥିଲେ ଓ ନିଜ ଅଭିନୟ ଜଲୱାରେ ଫ୍ୟାନମାନଙ୍କ ମନ କିଣି ପାରିଥିଲେ। ମୀନା ସେତେବେଳକୁ ’ଟ୍ରାଜେଡି କୁଇନ୍‍’ ଭାବେ ପପୁଲାର ହୋ‍ଇସାରିଥିଲେ।

ଟ୍ରାଜେଡି କୁଇନଙ୍କ ଜୀବନର ଟ୍ରାଜେଡି

ଟ୍ରାଜେଡି କୁଇନ ଭାବେ ଖ୍ୟାତ ଏହି ଅଭିନେତ୍ରୀଙ୍କ ଜୀବନ ମଧ୍ୟ ଟ୍ରାଜେଡିରେ ପୂର୍ଣ୍ଣ ଥିଲା। ପରଦା ଉପରେ ନିଖୁଣ ଅଭିନୟ କରି ସେ ଅଗଣିତ ଦର୍ଶକଙ୍କୁ କନ୍ଦାଇଛନ୍ତି, ହେଲେ ତିନି ତଲାକ୍ ପରମ୍ପରା ମୀନା କୁମାରୀଙ୍କୁ ବାସ୍ତବ ଜୀବନରେ ବହୁତ କନ୍ଦାଇଛି। ନଜର ପକାଇବା ତାଙ୍କର ଦୁଃଖ କାହାଣୀ ଉପରେ।

୧୯୫୨ ମସିହା। ମାତ୍ର ୧୮ ବର୍ଷ ବୟସରେ ତାଙ୍କଠାରୁ ୧୫ ବର୍ଷ ବଡ଼ ଫିଲ୍ମ ନିର୍ଦ୍ଦେଶକ କମାଲ ଅମରୋହିଙ୍କୁ ପ୍ରେମ-ବିବାହ କରିଥିଲେ ମୀନା କୁମାରୀ। ବେଶ୍‌ ହସଖୁସିରେ ଚାଲିଥିଲା ତାଙ୍କ ସଂସାର। ହେଲେ ଏହି ଖୁସି ବେଶୀ ଦିନ ରହିନଥିଲା। ମୀନାକୁମାରୀ ମା’ ହେବାକୁ ଚାହୁଁଥିଲେ, ମାତ୍ର ସ୍ୱାମୀ କମାଲ ଅମରୋହି ଏଥି​‌ରେ ରାଜି ହୋଇନଥିଲେ। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା।

ଦୁହେଁ ନିଜ ନିଜ ଜିଦରେ ଅଟଳ ରହିଲେ। ଦିନେ ଏହାକୁ ନେଇ ଜୋରଦାର ଝଗଡ଼ା ହେବାରୁ କମାଲ ଅମରୋହି ରାଗିଯାଇ କହିଥିଲେ, ତଲାକ୍ – ତଲାକ୍ – ତଲାକ୍। ତିନି ଥର ଏହି ତଲାକ୍ ଶବ୍ଦକୁ ଉଚ୍ଚାରଣ କରିବା ପରେ ଦୁହିଁଙ୍କ ଭିତରେ ତଲାକ୍ ହୋଇଯାଇଥିଲା।

ରାଗରେ ସିନା କମାଲ ଅମରୋହି ତଲାକ୍ କହିଦେଲେ, ହେଲେ ପରେ ଏ ନେଇ ସେ ଭୀଷଣ ଅନୁତାପ କଲେ। ମୀନା କୁମାରୀ ଓ କମାଲ ଅମରୋହିଙ୍କ ମଧ୍ୟରେ ଭଲପାଇବା ଅତୁଟ ଥିଲା। ପଶ୍ଚାତାପ ପରେ ପୁଣି ଥରେ ବିବାହ କରିବା ପାଇଁ ଦୁହେଁ ସ୍ଥିର କଲେ।

ମାତ୍ର ଇସଲାମ ଧର୍ମଗୁରୁମାନେ ଏହାର ବିରୋଧ କଲେ। ସେମାନେ କହିଲେ, ତଲାକ୍ ହେବା ପରେ  ଯଦି ପୁଣି ଥରେ ବିବାହ ହେବ, ତେବେ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ହଲାଲା ନିକାହ କରିବାକୁ ହେବ। ହଲାଲ ନିକାହ ଅର୍ଥ ହେଉଛି, ମହିଳା ଜଣକ ଆଉ ଜଣେ ପୁରୁଷଙ୍କୁ ବିବାହ କରି ତାଙ୍କ ସହ ସ୍ୱୀମୀ-ସ୍ତ୍ରୀର ସଂପର୍କ ରଖିବ। ଏହାପରେ ସେଠାରୁ ତଲାକ୍ ପାଇବା ପରେ ପୁଣି ଥରେ ପୂର୍ବ ସ୍ୱାମୀଙ୍କୁ ବିବାହ କରିପାରିବ।

ଏହା ଜଣେ ମହିଳାଙ୍କ ପାଇଁ ସବୁଠୁ ବଡ଼ ଅପମାନଜନକ ବ୍ୟବସ୍ଥା। ହେଲେ ମୀନା କୁମାରୀଙ୍କ ନିକଟରେ ଏହି ଧାର୍ମିକ ପ୍ରଥାକୁ ମାନିବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା। ଶେଷରେ କମାଲ ଅମରୋହିଙ୍କ ବନ୍ଧୁ ଅମାନ୍ ଉଲ୍ଲା ଖାନ୍ (ଜୀନତ ଅମନଙ୍କ ବାପା)ଙ୍କୁ ହଲାଲା ନିକାହ କରିଥିଲେ ମୀନା କୁମାରୀ। ପରେ ଅମାନ୍ ଉଲ୍ଲାଙ୍କଠାରୁ ତଲାକ୍ ନେଇ ପୁଣି ଥରେ ବିବାହ କରିଥିଲେ କମାଲ ଅମରୋହିଙ୍କୁ।

ମାତ୍ର ଏହି ଘଟଣା, ମୀନା କୁମାରୀ ଓରଫ୍ ମହଜବିନ ବାନୋଙ୍କୁ ଏତେ କଷ୍ଟ ଦେଇଥିଲା ଯେ ସେ ପୂରା ଭାଙ୍ଗି ପଡିଥିଲେ। ଥରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ,“ଧର୍ମ ନାଁରେ ମୋତେ ମୋ ଶରୀରକୁ ପରପୁରୁଷ ନିକଟରେ ସମର୍ପିବାକୁ ପଡ଼ିଲା, ତେବେ ମୁଁ ଆଉ ଜଣେ ଦେହଜୀବୀ ମଧ୍ୟରେ କ’ଣ ଫରକ ରହିଲା?”

ମୀନା କୁମାରୀଙ୍କ ଏହି ଦୁଇପଦ କଥାରୁ ତାଙ୍କ ଦୁଃଖ କେତେ ଗଭୀର ଥିଲା, ତାହା ଅନୁମାନ କରିହୁଏ। ଏହି ଦୁଃଖକୁ ଭୁଲିବା ପାଇଁ ସେ ମଦ ପିଇବା ଆରମ୍ଭ କଲେ। କୁହାଯାଏ, ଅତ୍ୟଧିକ ମଦ୍ୟପାନ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା। ମାତ୍ର ୩୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment