ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହଟ୍ ନାୟିକା ସନ୍ନି ଲିଓନି ତାଙ୍କ ବାୟୋପିକକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସନ୍ନିଙ୍କ ଜୀବନର ଅନେକ ଅଜଣା କଥା ବିଷୟରେ ତାଙ୍କ ଫ୍ୟାନମାନେ ଜାଣିବାକୁ ପାଇବେ ଏହି ସିରିଜ ମାଧ୍ୟମରେ।
ୱେବ ସିରିଜ ’କରନଜିତ୍ କୌର – ଦ ଅନଟୋଲଡ ଷ୍ଟୋରି ଅଫ୍ ସନ୍ନି ଲିଓନ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡର ହଟ୍ ନାୟିକା ସନ୍ନି ଲିଓନି। ନିକଟରେ ଏହି ବାୟୋପିକକୁ ନେଇ ସନ୍ନିଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ନିଜର ଇମେଜ୍ରେ ପରିବର୍ତ୍ତନ ଆଣିବାକୁ ସେ ଏହି ବାୟୋପିକରେ କାମ କରୁଥିବା ନେଇ ପ୍ରଶ୍ନ କରାଯିବାରୁ ଉତ୍ତରରେ ସନ୍ନି କହିଥିଲେ, “ଟଙ୍କା ନୁହେଁ, ସମ୍ମାନ ପାଇଁ ବାୟୋପିକରେ କାମ କରିଛି”।
“ମୋ ବିଷୟରେ ବିଭିନ୍ନ ସମୟରେ ଅନେକ କଥା ଶୁଣିବାକୁ ମିଳେ। କିନ୍ତୁ ଏହି ସିରିଜରେ ଦର୍ଶକମାନେ ମୋ ବିଷୟରେ କେବଳ ସତ ହିଁ ଜାଣିବାକୁ ପାଇବେ”, କହିଥିଲେ ସନ୍ନି ଲିଓନି।
ନିଜର ବାୟୋପିକ ସୁଟିଂ କରିବାର ଅନୁଭୂତି ବିଷୟରେ ପଚରାଯିବାରୁ ସନ୍ନି କହିଥିଲେ, “ମୋ ପାଇଁ ଏହି ସିରିଜ୍ ସୁଟିଂ କରିବା ସହଜ ନ ଥିଲା। ଏହି ସମୟରେ ମୋତେ ବିଭିନ୍ନ ପରିସ୍ଥିତି ସହ ଲଢ଼ିବାକୁ ପଡ଼ିଥିଲା, ଖାସ୍ କରି ମୋ ନିଜ ସହ”।
“ମୋତେ ଲାଗିଲା ଯେପରି ମୁଁ ମୋ ଜୀବନର ଅନ୍ୟ ଏକ ରୂପ ଦେଖୁଛି ଓ ମୋ ଆଖି ଲୁହରେ ଭରିଯାଇଥିଲା। ମୁଁ ମୋ ନିଜ କାହାଣୀ ଜାଣିଛି। ମୋ ଜୀବନରେ ମୁଁ ଯାହା ବି କରିଛି, ସେଥିପାଇଁ ମୁଁ ନିଜେ ଦାୟୀ। କିନ୍ତୁ ସେତେବେଳେ ବୟସରେ ଛୋଟ ଥିବାରୁ ଜାଣିପାରିନଥିଲି ତାହା ମୋ ପରିବାର ଲୋକଙ୍କ ଜୀବନ ଉପରେ କି ପ୍ରଭାବ ପକାଇବ”, ଭାବପ୍ରବଣତାର ସହ ନିଜ ଅନୁଭୂତି ବିଷୟରେ ଜଣାଇଥିଲେ ସନ୍ନି।
ଏହି ବାୟୋପିକରେ ସନ୍ନିଙ୍କ ଭୂମିକାରେ ସେ ନିଜେ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ କୌଣସି କଳାକାର ନିଜ ବାୟୋପିକରେ ନିଜେ ଅଭିନୟ କରିଛନ୍ତି। ପର୍ଣ୍ଣ ଷ୍ଟାରରୁ ବଲିଉଡ୍ ଅଭିନେତ୍ରୀ ହୋଇଥିବା ସନ୍ନି ଲିଓନୀଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଛି ଏହି ବାୟୋପିକ୍। ସନ୍ନିଙ୍କ ଜୀବନର ଅନେକ ଅଜଣା କଥା ବିଷୟରେ ତାଙ୍କ ଫ୍ୟାନମାନେ ଜାଣିବାକୁ ପାଇବେ ଏହି ସିରିଜ ମାଧ୍ୟମରେ।
















