ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସର୍ବପ୍ରଥମ ଥର୍ମାଲ ବ୍ୟାଟେରି କାରଖାନା ସ୍ଥାପନ ହେବ। ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀରେ ସ୍ଥାପିତ ହେବ ଏହି କାରଖାନା।
ଆନ୍ଧ୍ରପ୍ରଦେଶରେ ସ୍ଥାପିତ ହେବ ବିଶ୍ୱର ସର୍ବପ୍ରଥମ ଥର୍ମାଲ ବ୍ୟାଟେରି କାରଖାନା। ଆନ୍ଧ୍ରପ୍ରଦେଶର ନବଗଠିତ ରାଜଧାନୀ ଅମରାବତୀରେ ଗତ ସୋମବାର ଦିନ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ।
ଭାରତ ଏନର୍ଜି ଷ୍ଟୋରେଜ୍ ଟେକ୍ନୋଲୋଜି ବା ବିଇଏସ୍ଟି ଦ୍ୱାରା ସ୍ଥାପିତ ହେବାକୁ ଥିବା ଏହି କାରଖାନାରୁ ଆସନ୍ତା ବର୍ଷ ମେ ମାସରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ। ୬୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି କାରଖାନା ତିନି ବର୍ଷ ମଧ୍ୟରେ ପ୍ରାୟ ତିନି ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବ ବୋଲି ଆକଳନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଟେଲିକମ୍ କ୍ଷେତ୍ର, ବାଣିଜ୍ୟିକ ଉଦ୍ୟୋଗ ଏବଂ ପରିବହନ କ୍ଷେତ୍ରରେ ଏହାର ଉପଯୋଗ କରାଯିବ।
ଥର୍ମାଲ ବ୍ୟାଟେରି କ’ଣ?
ପରିବେଶ ସୁରକ୍ଷା କ୍ଷେତ୍ରରେ ତାପଜ ବା ଥର୍ମାଲ ବ୍ୟାଟେରିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ପାରମ୍ପରିକ ବ୍ୟାଟେରିଠାରୁ ସଂପୂର୍ଣ୍ଣ ଭିନ୍ନ। ପାରମ୍ପରିକ ବ୍ୟାଟେରିକୁ ବୈଦ୍ୟୁତିକ ଶକ୍ତି ଦ୍ୱାରା ଚାର୍ଜ ବା ରିଚାର୍ଜ କରିବାକୁ ପଡ଼ିଥାଏ। ଏଥିପାଇଁ ବିଦ୍ୟୁତ ଶକ୍ତି ବା ସୌରଶକ୍ତିର ଆବଶ୍ୟକ ହୋଇଥାଏ। କିନ୍ତୁ ଥର୍ମାଲ ବ୍ୟାଟେରି ବାୟୁମଣ୍ଡଳର ତାପମାନରୁ ଶକ୍ତି ସଂଗ୍ରହ କରିଥାଏ।
ତାପମାନରେ ହ୍ରାସବୃଦ୍ଧି ପ୍ରକ୍ରିୟା ଦ୍ୱାରା ଏହା କ୍ରିୟାଶୀଳ ହୋଇଥାଏ। ଏହି ପ୍ରକ୍ରିୟାରୁ ଉତ୍ପନ୍ନ ଶକ୍ତି ବ୍ୟାଟେରିର ଗୋଟିଏ ଦିଗରୁ ଅନ୍ୟଦିଗକୁ ପ୍ରବାହିତ ହୋଇଥାଏ। ଏହି ବ୍ୟାଟେରିରେ କାର୍ବନ୍ ବ୍ୟବହୃତ ହୋଇ ନଥିବାରୁ ଏହା ପରିବେଶ ଉପରେ କୌଣସି କୁପ୍ରଭାବ ପକାଇ ନ ଥାଏ।
ବ୍ୟାଟେରିର ପ୍ରକାରଭେଦ ଆଧାରରେ ଯେ କୌଣସି ପରିବେଶରେ ବା ଯେ କୌଣସି ତାପମାତ୍ରାରେ ଏହା ଶକ୍ତି ସଂରକ୍ଷଣ କରିଥାଏ। ଭାରତରେ ୨୦୧୬ ମସିହାରେ ଡକ୍ଟର ପ୍ୟାଟ୍ରିକ୍ ଗ୍ଲିମ୍ ଏହାର ପେଟେଣ୍ଟ କରିଥିଲେ ।
ଥର୍ମାଲ ବ୍ୟାଟେରିର ଉପଯୋଗିତା
ମୁଖ୍ୟତଃ ଏହି ବ୍ୟାଟେରିରେ ସଂରକ୍ଷିତ ଶକ୍ତିକୁ ପାୱାର ଗ୍ରୀଡ୍ ସହିତ ସଂଯୋଗ କରାଇ ଶିଳ୍ପ କ୍ଷେତ୍ରରେ ଏହି ଶକ୍ତିର ଉପଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଟେଲିକମ୍ କ୍ଷେତ୍ରରେ ଏବଂ ପରିବହନ କ୍ଷେତ୍ରରେ ମଧ୍ୟ ଏହାକୁ ଉପଯୋଗ କରାଯାଇପାରିବ।
ଟେଲିକମ୍ କ୍ଷେତ୍ରରେ ଟେଲିଫୋନ୍ ଟାୱାରରେ ଏହାକୁ ସଂଯୋଗ କରାଯାଇ ସିଗ୍ନାଲ କ୍ଷମତା ବଢ଼ାଇବା ଦିଗରେ ଏହାର ଉପଯୋଗ କରାଯିବ। ସେହିଭଳି ଇଲେକ୍ଟ୍ରିକ୍ ଯାନବାହନ ଚଳାଚଳରେ ମଧ୍ୟ ଏହାକୁ ଉପଯୋଗ କରାଯାଇପାରିବ। ଆକଳନ ଅନୁସାରେ ଏହି ବ୍ୟାଟେରି ଦ୍ୱାରା ଚାଳିତ ବସ୍ ଥରେ ଚାର୍ଜ୍ ହେଲେ ୮୦୦ କିଲୋମିଟର ପର୍ଯ୍ୟନ୍ତ ଚଳାଚାଳ କରିପାରିବ। ତେଣୁ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଥର୍ମାଲ ବ୍ୟାଟେରିର ଉପଯୋଗିତା ଅଧିକ ହୋଇପାରିବ।
ଶକ୍ତି କ୍ଷେତ୍ରରେ ସର୍ବୋତ୍ତମ ବିକଳ୍ପ
ଅଣ-ଅକ୍ଷୟ ଶକ୍ତି ଉତ୍ସର ସର୍ବୋତ୍ତମ ବିକଳ୍ପ ଭାବେ ବିବେଚିତ ହେଉଛି ଥର୍ମାଲ ବ୍ୟାଟେରି। ଏମିତି କି ଏହା ସୌରଶକ୍ତି ତୁଳନାରେ ମଧ୍ୟ ଅଧିକ ଉପଯୋଗୀ। ସନ୍ଧ୍ୟା ପରେ ଏବଂ ଆକାଶରେ ମେଘ ଥିଲେ ସୌରଶକ୍ତି ଚାଳିତ ବ୍ୟାଟେରି ଚାର୍ଜ ହୋଇପାରେ ନାହିଁ। କିନ୍ତୁ ଥର୍ମାଲ ବ୍ୟାଟେରି ଯେ କୌଣସି ତାପମାନରେ କାର୍ଯ୍ୟକ୍ଷମ ହୋଇପାରେ।
ସେହିଭଳି ବହୁଳ ବ୍ୟବହୃତ ଲିଥିୟମ ବ୍ୟାଟେରିରେ କାର୍ବନ ଅଂଶ ପରିମାଣ ଅଧିକ ଥାଏ। ଏହା ବ୍ୟୟବହୁଳ ଏବଂ ଏହାର କାର୍ଯ୍ୟକ୍ଷମ ଅବଧି ପ୍ରାୟତଃ ୬ରୁ ୭ ବର୍ଷ ହୋଇଥାଏ। କିନ୍ତୁ ଥର୍ମାଲ ବ୍ୟାଟେରିରେ କାର୍ବନ ଅଂଶ ନଥାଏ ଏବଂ ଏହା କମ ଖର୍ଚ୍ଚରେ ବେଶି ବର୍ଷ କାମ କରେ।
ଥର୍ମାଲ ବ୍ୟାଟେରି କାରଖାନାର ଲକ୍ଷ୍ୟ
ପ୍ରାରମ୍ଭିକ ପର୍ଯ୍ୟାୟରେଆନ୍ଧ୍ର ପ୍ରଦେଶରେ ସ୍ଥାପିତ ଥର୍ମାଲ ବ୍ୟାଟେରି କାରଖାନା ଏକ ହଜାର ମେଗାୱାଟ୍ ଶକ୍ତି ଯୋଗାଇ ଦେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ଏହାର କ୍ଷମତା ୧୦ ଗିଗାୱାଟ୍ ପର୍ଯ୍ୟନ୍ତ ସଂପ୍ରସାରିତ ହେବ। କାରଖାନାରେ ବ୍ୟବହୃତ କୌଣସି ଯନ୍ତପାତି ଏବଂ ଉପକରଣ ପରିବେଶ ଉପରେ କୁପ୍ରଭାବ ପକାଇବ ନାହିଁ ବୋଲି ବିଇଏସ୍ଟି ପକ୍ଷରୁ କୁହାଯାଇଛି।
ଶତ ପ୍ରତିଶତ ପରିବେଶ ଅନୁକୂଳ ପ୍ରକଳ୍ପ ରୂପେ ଏହାକୁ ସ୍ଥାପନ କରାଯାଉଛି। ଏଥିରେ ବ୍ୟବହୃତ ୯୫ ପ୍ରତିଶତ ବସ୍ତୁ ପୁନର୍ବ୍ୟବହାର ଯୋଗ୍ୟ। ଅର୍ଥାତ୍ କାରଖାନାରେ କଠିନ ଏବଂ ଦହନୀୟ ପଦାର୍ଥର ବ୍ୟବହାର ଖୁବ୍ କମ୍।
ଥର୍ମାଲ ବ୍ୟାଟେରି କାରଖାନା କାର୍ଯ୍ୟକ୍ଷମ ହେବା ପରେ ଆନ୍ଧ୍ରପ୍ରଦେଶର ଶିଳ୍ପ, ଯୋଗାଯୋଗ ଏବଂ ପରିବହନ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ସହିତ ଦୁର୍ଗମ ଗ୍ରାମାଞ୍ଚଳରେ ଶକ୍ତି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।














