ଓଡ଼ିଶାଲାଇଭ୍ ବ୍ୟୁରୋ
୭୨ତମ ସ୍ୱାଧୀନତା ଦିବସ ପାଳନ କରୁଛି ଆମ ଦେଶ। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ଗଠନ, ଏକତା, ମହିଳା ସଶକ୍ତିକରଣ ଏବଂ ଗାନ୍ଧିଜୀଙ୍କ ଅହିଂସା ବାର୍ତ୍ତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି।
“ସ୍ୱାଧୀନତା ଦିବସ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ୧୫ ଅଗଷ୍ଟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପବିତ୍ର ଦିନ। ଜାତୀୟ ପତାକା ‘ତ୍ରିରଙ୍ଗା’ ଆମ ଦେଶର ଅସ୍ମୀତାର ପ୍ରତୀକ। ଏହି ଦିନ ଆମେ ଦେଶର ସାର୍ବଭୌମତ୍ୱର ଉତ୍ସବ ପାଳନ କରିଥାଉ ଏବଂ ନିଜ ପୂର୍ବପୁରୁଷମାନଙ୍କ ଯୋଗଦାନକୁ କୃତଜ୍ଞତାର ସହିତ ସ୍ମରଣ କରିଥାଉ”, ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ରାଷ୍ଟ୍ରପତି।
୧୯୪୭ ମସିହା ୧୪ ଏବଂ ୧୫ ଅଗଷ୍ଟର ମଧ୍ୟରାତ୍ରିରେ ଆମ ଦେଶ ସ୍ୱାଧୀନତା ଲାଭ କରିଥିଲା। ଏହି ସ୍ୱାଧୀନତା ଆମ ପୂର୍ବପୁରୁଷ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବର୍ଷ ବର୍ଷର ତ୍ୟାଗ ଏବଂ ବୀରତ୍ୱର ପରିଣାମ ଥିଲା। ସ୍ୱାଧୀନତା ସଂଗ୍ରାମରେ ସଂଘର୍ଷ କରୁଥିବା ସମସ୍ତ ବୀର ଏବଂ ବୀରାଙ୍ଗନା, ଅସାଧାରଣ ଭାବେ ସାହସୀ, ଏବଂ ଦୂରଦ୍ରଷ୍ଟା ଥିଲେ। ଏହି ସଂଗ୍ରାମରେ, ଦେଶର ସମସ୍ତ କ୍ଷେତ୍ର, ସମାଜର ସମସ୍ତ ବର୍ଗ ଏବଂ ସମ୍ପ୍ରଦାୟର ଲୋକମାନେ ସାମିଲ ଥିଲେ। ସେମାନେ ଚାହିଁଥିଲେ, ସୁବିଧାପୂର୍ଣ୍ଣ ଜୀବନ ବିତାଇ ପାରିଥାନ୍ତେ। କିନ୍ତୁ ଦେଶ ପ୍ରତି ନିଜର ଅତୁଟ ନିଷ୍ଠା କାରଣରୁ ସେମାନେ ଏପରି କଲେ ନାହିଁ। ସେମାନେ ଏପରି ଏକ ସ୍ୱାଧୀନ ଏବଂ ଆଧିପତ୍ୟ-ସମ୍ପନ୍ନ ଭାରତ ନିର୍ମାଣ କରିବାକୁ ଚାହିଁଥିଲେ, ଯେଉଁଠି ସମାଜରେ ସମାନତା ଏବଂ ଭ୍ରାତୃଭାବ ଥିବ। ଆମେ ସେମାନଙ୍କ ଯୋଗଦାନକୁ ସର୍ବଦା ସ୍ମରଣ କରିଥାଉ ବୋଲି କହିଛନ୍ତି ରାଷ୍ଟ୍ରପତି।
ସ୍ୱାଧୀନତାର ପରିଭାଷା ନାହିଁ
ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଯଦି ଆମେ ସ୍ୱାଧୀନତାର କେବଳ ରାଜନୈତିକ ଅର୍ଥକୁ ଗ୍ରହଣ କରିବା ତାହାଲେ ଲାଗିବ ଯେ ୧୫ ଅଗଷ୍ଟ, ୧୯୪୭ର ଦିନ ଆମର ଲକ୍ଷ୍ୟ ପୂରଣ ହୋଇସାରିଥିଲା। କିନ୍ତୁ ସ୍ୱାଧୀନତାର ଅର୍ଥ ବ୍ୟାପକ ଅଟେ। ଏହାର କୌଣସି ନିର୍ଦ୍ଦିଷ୍ଟ ଏବଂ ସୀମିତ ପରିଭାଷା ନାହିଁ। ପ୍ରତ୍ୟେକ ଭାରତୀୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ହିଁ ଦେଶ ବିକାଶରେ ଯୋଗଦାନ ଦେଇପାରିବ।
କୃଷକମାନେ ଆମ ସ୍ୱାଧୀନତାର ବଳ
ରାଷ୍ଟ୍ରପତି କୃଷକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କୃଷକମାନେ କୋଟି କୋଟି ଦେଶବାସୀଙ୍କ ପାଇଁ ଫସଲ ଉତ୍ପାଦନ କରୁଛନ୍ତି। ସେମାନେ ଦେଶ ଲାଗି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଇ ଆମ ସ୍ୱାଧୀନତାକୁ ବଳ ଦେଉଛନ୍ତି। ଯେତେବେଳେ ସେମାନଙ୍କ ଫସଲ ଉତ୍ପାଦନ ଏବଂ ଆୟ ବଢ଼ାଇବା ଲାଗି ଆଧୁନିକ ପ୍ରଯୁକ୍ତି ଏବଂ ଅନ୍ୟ ସୁବିଧା ଉପଲବ୍ଧ କରାଉଛୁ, ସେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରୁଛୁ ବୋଲି ମନେ ହେଉଛି।
ବାହ୍ୟ ବିପଦରୁ ରକ୍ଷା କରୁଛନ୍ତି ସୈନିକ
ସୈନିକମାନେ ଦେଶର ସୀମାରେ ରହି ବାହ୍ୟ ବିପଦରୁ ସୁରକ୍ଷା ପ୍ରଦାନ କରି ଆମ ସ୍ୱାଧୀନତାକୁ ସୁନିଶ୍ଚିତ କରୁଛନ୍ତି। ଯେତେବେଳେ ଆମେ ସେମାନଙ୍କ ଲାଗି ଉନ୍ନତ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଉଛୁ ଏବଂ ସୈନିକମାନଙ୍କୁ କଲ୍ୟାଣକାରୀ ସୁବିଧା ପ୍ରଦାନ କରୁଛୁ ସେତେବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାକୁ ସମର୍ଥ ହେଉଛୁ ବୋଲି ମନେହେଉଛି।
ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ସେମାନେ ଆତଙ୍କବାଦର ମୁକାବିଲା କରିଥାନ୍ତି। ଅପରାଧ ନିରାକରଣ ତଥା ଆଇନ ଶୃଙ୍ଖଳା ରକ୍ଷା କରିଥାନ୍ତି। ଏଥିସହିତ ପ୍ରାକୃତିକ ଦୁର୍ବିପାକ ସମୟରେ ସେମାନେ ସହାୟତା କରିଥାନ୍ତି। ଯେତେବେଳେ ଆମେ ସେମାନଙ୍କ କାର୍ଯ୍ୟ ଏବଂ ବ୍ୟକ୍ତିଗତ ଜୀବନରେ ସୁଧାର ଆଣିଥାଉ, ସେତେବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିଥାଉ।
ମହିଳାମାନଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିବା ଦରକାର
ଆମ ସମାଜରେ ମହିଳାମାନଙ୍କର ଏକ ବିଶେଷ ଭୂମିକା ରହିଛି। ମହିଳମାନଙ୍କ ସ୍ୱାଧୀନତାକୁ ବ୍ୟାପକ କରିବାରେ ହିଁ ଦେଶର ସ୍ୱାଧୀନତା ସାର୍ଥକ ହୋଇଥାଏ। ସେମାନଙ୍କୁ ନିଜ ଢଙ୍ଗରେ ବଂଚିବାର ଏବଂ ନିଜ କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରିବାର ସୁରକ୍ଷିତ ବାତାବରଣ ଏବଂ ସୁଯୋଗ ମିଳିବା ଆବଶ୍ୟକ। ସେମାନେ ନିଜ କ୍ଷମତାର ଉପଯୋଗ ପରିବାର କଲ୍ୟାଣ ପାଇଁ କରିବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରପତି। ମହିଳାମାନଙ୍କୁ ଆଗକୁ ବଢ଼ିବାର ସମସ୍ତ ଅଧିକାର ଦେବା ଦରକାର।
ଯେତେବେଳେ ଆମେ ମହିଳମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ କିମ୍ବା ଷ୍ଟାଟ୍ଅପ୍ ଲାଗି ଆର୍ଥିକ ସମ୍ବଳ ଉପଲବ୍ଧ କରାଇଥାଉ ଏବଂ ସେମାନଙ୍କ ପାଖରେ ଏଲପିଜି ସଂଯୋଗ ପହଁଚାଇଥାଉ ସେତେବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାରେ ସମର୍ଥ ହୋଇଥାଉ ବୋଲି କହିଛନ୍ତି ରାଷ୍ଟ୍ରପତି।
ଯୁବକ ଯୁବତୀମାନେ ଭାରତର ଆଶା ଏବଂ ଆକାଂକ୍ଷାର ମୂଳଦୁଆ ଅଟନ୍ତି। ସ୍ୱାଧୀନତା ସଂଗ୍ରାମରେ ଯୁବକ, ବରିଷ୍ଠନାଗରିକଙ୍କର ଭାଗିଦାରୀ ଥିଲା। କିନ୍ତୁ ସେହି ସଂଗ୍ରାମରେ ଶକ୍ତି ଭରିବାର କାର୍ଯ୍ୟ ବିଶେଷ କରି ଯୁବବର୍ଗମାନେ କରିଥିଲେ। ସ୍ୱାଧୀନତାର ଆଶାରେ ହୁଏତ ସେମାନେ ଭିନ୍ନ ରାସ୍ତା ବାଛିଥିଲେ, କିନ୍ତୁ ସେମାନେ ସମସ୍ତେ ସ୍ୱାଧୀନ ଭାରତ, ଉନ୍ନତ ଭାରତ, ଏବଂ ସମୃଦ୍ଧ ଭାରତ ପାଇଁ ନିଜ ଆଦର୍ଶ ଏବଂ ସଂକଳ୍ପରେ ଦୃଢ଼ ରହିଥିଲେ। ଯୁବବର୍ଗକୁ ଆଗକୁ ବଢ଼ିବା ପାଇଁ ଆମେ ଯେତେବେଳେ ରାସ୍ତା ଦେଖାଇଥାଉ ଏବଂ ସେମାନଙ୍କ ପାଇଁ କିଛି କରିଥାଉ ସେତେବେଳେ ଆବେ ଆମ ପୂର୍ବସୂରୀଙ୍କୁ ସ୍ମରଣ କରିଥାଉ
ରାଷ୍ଟ୍ରପତି ଆହୁରି କହିଛନ୍ତି, ” ମୁଁ ଯାହାକିଛି କହିଲି, ତାହା କ’ଣ ଦଶ-କୋଡ଼ିଏ ବର୍ଷ ତଳେ ପ୍ରାସଙ୍ଗିକ ନଥିଲା? କେତେକ କ୍ଷେତ୍ର ପର୍ଯ୍ୟନ୍ତ ଏହା ନିଶ୍ଚିତ ଭାବେ ସେତେବେଳେ ପ୍ରାସଙ୍ଗିକ ରହିଥିବ। ହେଲେ ଆଜି ଆମେ ଏପରି ଏକ ମୋଡ଼ରେ ଛିଡ଼ା ହୋଇଛୁ, ଯାହା ପୂର୍ବାପେକ୍ଷା ଭିନ୍ନ। ଆଜି ଆମେ ବିଭିନ୍ନ ଲକ୍ଷ୍ୟର ଯଥେଷ୍ଟ ନିକଟରେ ରହିଛୁ। ଲକ୍ଷ୍ୟ ହାସଲ ପାଇଁ ଆମେ ବର୍ଷ ବର୍ଷ ଧରି ପ୍ରୟାସ କରିଆସୁଛୁ।”
ସମସ୍ତଙ୍କ ପାଇଁ ବିଜୁଳି ସଂଯୋଗ, ଖୋଲାରେ ମଳତ୍ୟାଗରୁ ମୁକ୍ତି, ସବୁ ବାସହୀନଙ୍କ ପାଇଁ ଘର ଏବଂ ଦାରିଦ୍ର୍ୟ ଦୂର କରିବାର ଲକ୍ଷ୍ୟ ଏବେ ଆମ ହାତ ପାହାନ୍ତାରେ ରହିଛି। ଆଜି ଆମେ ଏକ ନିର୍ଣ୍ଣାୟକ ସମୟ ଦେଇ ଗତି କରୁଛୁ। ଲକ୍ଷ୍ୟ ହାସଲ ପାଇଁ ନିରର୍ଥକ ବିବାଦରେ ନପଡ଼ି ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନହେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।
ସାରା ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ଆମକୁ ବିଶ୍ୱ ତୁଳନାରେ ଅଧିକ ଦ୍ରୁତ ଗତିରେ ପରିବର୍ତ୍ତନ ଏବଂ ବିକାଶ କରିବାକୁ ଅଛି। ଆମ ଦେଶରେ ପରିବର୍ତ୍ତନ ଏବଂ ବିକାଶ ଦ୍ରୁତ ଗତିରେ ହେଉଛି। ଏହାର ପ୍ରଶଂସା ମଧ୍ୟ କରାଯିବା ଉଚିତ। ଆମ ଦେଶରେ ଯେଉଁ ପରିବର୍ତ୍ତନ ତାହା ସମସ୍ତଙ୍କ ଭାଗିଦାରୀରେ ପରିଚାଳିତ ହେଉଅଛି।
ରାଷ୍ଟ୍ରପତି କହିଛନ୍ତି ଯେ ବର୍ତ୍ତମାନ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତଗର୍ତ ୭ଟି ପ୍ରମୁଖ କାର୍ଯ୍ୟକ୍ରମର ଲାଭ ଆମର ସର୍ବାଧିକ ଗରିବ ଏବଂ ବଂଚିତ ନାଗରିକମାନଙ୍କ ପାଖରେ ପହଁଚାଯାଉଛି। ଏହି ସେବାରେ ବିଜୁଳି ସଂଯୋଗ, ବ୍ୟାଙ୍କିଙ୍ଗ, କଲ୍ୟାଣମୂଳକ ଏବଂ ବୀମା କାର୍ଯ୍ୟକ୍ରମ ସହିତ ଦୁର୍ଗମ ଇଲାକାରେ ଟିକାକରଣର ସୁବିଧା ପହଁଚାଇବା ମଧ୍ୟ ସାମିଲ ରହିଛି। ଗ୍ରାମ ସ୍ୱରାଜ ଅଭିଯାନର ପରିଧି ମଧ୍ୟରେ ସେହି ୧୧୭ଟି ଅଭିଳଷିତ ଜିଲ୍ଲାଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ଏହି ଅଞ୍ଚଳ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ, ଆମର ବିକାଶ ଯାତ୍ରାରେ ପଛରେ ପଡ଼ିଯାଇଛନ୍ତି।
ଗ୍ରାମ ସ୍ୱରାଜ ଅଭିଯାନର କାର୍ଯ୍ୟ କେବଳ ସରକାରଙ୍କ ଦ୍ୱାରା କରାଯାଉନାହିଁ। ଏହି ଅଭିଯାନ, ସରକାର ଏବଂ ସମାଜର ମିଳିତ ପ୍ରୟାସରେ ଚାଲିଛି। ଏହି ପ୍ରୟାସରେ ଏପରି ନାଗରିକ ସାମିଲ ହୋଇଛନ୍ତି ଯେଉଁମାନେ ଦୁର୍ବଳ ବର୍ଗଙ୍କ କଷ୍ଟକୁ ଦୂର କରିବା, ସେମାନଙ୍କ ଯନ୍ତ୍ରଣାକୁ ଲାଘବ କରିବା ଏବଂ ସମାଜକୁ କିଛି ଅବଦାନ ଦେବା ଲାଗି ସବୁବେଳେ ପ୍ରସ୍ତୁତ ରହିଥାନ୍ତି।
ଭାରତୀୟ ପରମ୍ପରାରେ, ଦରିଦ୍ର-ନାରାୟଣଙ୍କ ସେବାକୁ ସବୁଠୁ ଭଲ କାମ ବୋଲି କୁହାଯାଇଛି। ଭଗବାନ ବୁଦ୍ଧ ମଧ୍ୟ କହିଥଲେ ଯେ ‘ଅଭିତ୍ୱରେତ କଲ୍ୟାଣେ’। ଅର୍ଥାତ କଲ୍ୟାଣକାରୀ କାମ ସର୍ବଦା ତତ୍ପରତାର ସହିତ କରିବା ଉଚିତ। ମୋର ବିଶ୍ୱାସ ଯେ ଆମେ ସମସ୍ତେ ଭାରତବାସୀ ସମାଜ ଏବଂ ଦେଶର କଲ୍ୟାଣ ଲାଗି, ତତ୍ପରତାର ସହିତ ନିଜର ଯୋଗଦାନ ଦେଇଚାଲିବା ବୋଲି କହିଛନ୍ତି ରାଷ୍ଟ୍ରପତି।
ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ ଗାନ୍ଧିଜୀ
“ସ୍ୱାଧୀନତା ଦିବସର ସବୁବେଳେ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଥାଏ। କିନ୍ତୁ ଏଥର ଏହି ଦିବସ ସହିତ ଏକ ଭଲ କଥା ଯୋଡ଼ି ହୋଇ ରହିଛି। କିଛି ସପ୍ତାହ ପରେ ୨ ଅକ୍ଟୋବର ଠାରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯିବ। ଗାନ୍ଧୀଜୀ, କେବଳ ଆମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇନଥିଲେ, ବରଂ ସେ ଆମର ନୈତିକ ପଥ ପ୍ରଦର୍ଶକ ମଧ୍ୟ ଥିଲେ ଏବଂ ସବୁବେଳେ ରହିଥିବେ। ଭାରତର ରାଷ୍ଟ୍ରପତି ଭାବେ, ମୁଁ ଆଫ୍ରିକୀୟ ଦେଶଗୁଡ଼ିକୁ ଯାତ୍ରା କରିବାର ସୁଯୋଗ ପାଇଛି। ଯେଉଁଠିକୁ ମୁଁ ଯାଇଛି, ସମଗ୍ର ମାନବ ଜଗତର ଆଦର୍ଶ ରୂପରେ ଗାନ୍ଧିଜୀଙ୍କୁ ସମ୍ମାନର ସହିତ ସ୍ମରଣ କରାଯାଇଥାଏ। ତାଙ୍କୁ ଜୀବନ୍ତ ଭାରତର ମୂର୍ତ୍ତିମନ୍ତ ପ୍ରତୀକ ରୂପରେ ଦେଖାଯାଇଥାଏ।”
ରାଷ୍ଟ୍ରପତି କହିଛନ୍ତି ଯେ ଆମକୁ ଗାନ୍ଧିଜୀଙ୍କ ବିଚାରଧାରାର ଗଭୀରତାକୁ ବୁଝିବା ଲାଗି ପ୍ରୟାସ କରିବାକୁ ହେବ। ସେ ରାଜନୀତି ଏବଂ ସ୍ୱାଧୀନତାର ସୀମିତ ପରିଭାଷାକୁ ଗ୍ରହଣ କରୁନଥିଲେ। ଯେତେବେଳେ ଗାନ୍ଧିଜୀ ଏବଂ ତାଙ୍କ ପତ୍ନୀ କସ୍ତୁରବା, ଚମ୍ପାରଣରେ ନୀଳ ଚାଷ କରୁଥିବା କୃଷମାନଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିହାର ଯାଇଥିଲେ ସେଠାରେ ସେମାନେ ଅନେକ ସମୟ ପର୍ଯ୍ୟନ୍ତ ସେଠାକାର ଲୋକମାନଙ୍କୁ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟର ଶିକ୍ଷା ଦେବାରେ ଲଗାଇଲେ। ଚମ୍ପାରଣରେ ଏବଂ ଅନ୍ୟ ସ୍ଥାନରେ ଗାନ୍ଧିଜୀ ନିଜେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ।
ଗାନ୍ଧିଜୀ ଗରିବରୁ ଗରିବ ଲୋକଙ୍କୁ ସଶକ୍ତ କରିବା, ଅଶିକ୍ଷିତ ଲୋକମାନଙ୍କୁ ଶିକ୍ଷିତ କରିବା ତଥା ପ୍ରତ୍ୟେକ ବ୍ୟକ୍ତି, ପରିବାର ଏବଂ ଗ୍ରାମ ପାଇଁ ସମ୍ମାନର ସହିତ ଜୀବନ ଜିଇଁବାର ଅଧିକାର ଲାଗି ସଂଘର୍ଷ କରୁଥିଲେ।
ଗାନ୍ଧିଜୀ ସ୍ୱଦେଶୀ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। ତାଙ୍କ ପାଇଁ ଏହା ଭାରତୀୟ ପ୍ରତିଭା ଏବଂ ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବାର ପ୍ରଭାବୀ ମାଧ୍ୟମ ଥିଲା। ସେ ବିଶ୍ୱର ଅନ୍ୟ ଭାଗରେ ପ୍ରଚଳିତ ଚିନ୍ତାଧାରା ବିଷୟରେ ସଚେତନ ଥିଲେ। ସେ ଏହା ଭାବୁଥିଲେ ଯେ ଭାରତୀୟ ସଭ୍ୟତା ଅନୁଯାୟୀ, ଆମକୁ ପୂର୍ବାଗ୍ରହରୁ ମୁକ୍ତ ହୋଇ ନୂଆ ନୂଆ ବିଚାର ଲାଗି ନିଜ ମସ୍ତିଷ୍କର ଝରକା ଖୋଲା ରଖିବାକୁ ହେବ। ଏହା ତାଙ୍କର ନିଜସ୍ୱ ଚିନ୍ତାଧାରା ଥିଲା।
ହିଂସା ପରିହାର କରିବାକୁ ଆହ୍ୱାନ
ଗାନ୍ଧିଜୀ ହିଂସା ଅପେକ୍ଷା, ଅହିଂସାରେ ଅଧିକ ଶକ୍ତି ରହିଛି ବୋଲି ବିଶ୍ବାସ କରୁଥିଲେ। ପ୍ରହାର କରିବା ଅପେକ୍ଷା ଧୈର୍ଯ୍ୟ ରଖିବା ଶ୍ରେୟସ୍କର ବୋଲି ଗାନ୍ଧିଜୀ ବିଚାର କରୁଥିଲେ।ଗାନ୍ଧୀଜୀ ଅହିଂସାର ଏହି ଅମୋଘ ଅସ୍ତ୍ର ଆମକୁ ପ୍ରଦାନ କରିଛନ୍ତି। ତାଙ୍କର ଅନ୍ୟ ଶିକ୍ଷା ଭଳି, ଅହିଂସାର ଏହି ମନ୍ତ୍ର ମଧ୍ୟ ଭାରତର ପ୍ରାଚୀନ ପରମ୍ପରାରେ ରହିଥିଲା ଏବଂ ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ଆମ ଜୀବନରେ ଏହା ସେତିକି ଉପଯୋଗୀ ଏବଂ ପ୍ରାସଙ୍ଗିକ ଅଟେ। ଏଣୁ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଅବସରରେ ଭାରତବାସୀ ନିଜ ଦୈନିକ ଅଚାରଣରେ, ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଗାନ୍ଧିଜୀଙ୍କ ଚିନ୍ତାଧାରାକୁ ଆମେ ବିଶ୍ବକଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ କରିବା ଦରକାର।
ଛାତ୍ରଛାତ୍ରୀ ଗାଁକୁ ଯାଆନ୍ତୁ
ଭାରତର ଅସଲ ଚିତ୍ର ଏବଂ ବାସ୍ତବତା ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ବର୍ଷକୁ ଚାରି ପାଞ୍ଚ ଥର ଗାଁକୁ ଯିବା ଲାଗି ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଗାଁରେ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ କହିଛନ୍ତି। ଏହି ପ୍ରୟାସ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲାଭ ମିଳିବା ସହିତ ଗ୍ରାମୀଣ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ। ଏହାଦ୍ୱାରା, ଆମ ସ୍ୱାଧୀନତା ସଂଗ୍ରାମ ଭଳି ଉତ୍ସାହ ପୁଣିଥରେ ସୃଷ୍ଟି ହେବ ଏବଂ ପ୍ରତ୍ୟେକ ନାଗରିକଙ୍କୁ ରାଷ୍ଟ୍ର ନିର୍ମାଣ ସହିତ ଯୋଡ଼ି ହେବା ଲାଗି ପ୍ରେରଣା ମଧ୍ୟ ମିଳିବ।
“ନିଜ ଦେଶର ଯୁବକମାନଙ୍କଠାରେ ଆଦର୍ଶବାଦ ଏବଂ ଉତ୍ସାହକୁ ଦେଖି ମୁଁ ଅତ୍ୟନ୍ତ ଖୁସି। ସେମାନଙ୍କଠାରେ ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ ଏବଂ ନିଜ ଦେଶ ପାଇଁ କିଛି ନା କିଛି ହାସଲ କରିବାର ଭାବନା ଦେଖାଦେଉଛି। ନୈତିକ ଶିକ୍ଷାର ଏହାଠାରୁ ଉତ୍ତମ ଉଦାହରଣ ଆଉ ନାହିଁ। ଶିକ୍ଷାର ଉଦ୍ଦେଶ୍ୟ କେବଳ ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିବାରେ ନାହିଁ, ବରଂ ସମସ୍ତଙ୍କ ଜୀବନକୁ ଉନ୍ନତ କରିବାର ଭାବନାକୁ ଜଗାଇବାରେ ରହିଛି। ଏପରି ଭାବନା ଦ୍ୱାରା ହିଁ ସମ୍ବେଦନଶୀଳତା ଏବଂ ବନ୍ଧୁତାକୁ ପ୍ରୋତ୍ସାହନ ମିଳିବ। ଏହା ହିଁ ଭାରତୀୟତା”, କହିଛନ୍ତି ରାଷ୍ଟ୍ରପତି।
ଏକଜୁଟ ହେବାକୁ ଆହ୍ୱାନ
ପ୍ରତ୍ୟେକ ଭାରତୀୟ ନିଜ ଦେଶର ପ୍ରତ୍ୟେକ ନାଗରିକମାନଙ୍କୁ ସହାୟତା କରିପାରିବା। ଏକଜୁଟ ହୋଇ ଆମେ ନିଜ ଜଙ୍ଗଲ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ କରିପାରିବା। ଆମେ ଆମ ଗ୍ରାମୀଣ ଏବଂ ସହରୀ ଜନବସତିକୁ ନୂଆ ଜୀବନ ଦେଇପାରିବା। ଆମେ ସମସ୍ତେ ଦାରିଦ୍ର୍ୟ, ଅଶିକ୍ଷା ଏବଂ ଅସମାନତାକୁ ଦୂର କରିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।