ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମହମ୍ମଦ ରଫିଙ୍କୁ ଭାରତୀୟ ସିନେମା କେବେ ବି ଭୁଲିପାରିବ ନାହିଁ ଏହି ପ୍ରଖ୍ୟାତ ଗାୟକଙ୍କ ସମ୍ପର୍କରେ କିଛି ଅଜଣା ତଥ୍ୟ ଆସନ୍ତୁ ଜାଣିବା

ଏକ ହଜାରରୁ ଉର୍ଦ୍ଧ୍ୱ ସିନେମା ଗୀତ ଗାଇ ଚିର ଅମର ହୋଇରହିଛନ୍ତି ଗାୟକ ମହମ୍ମଦ ରଫି। ତାଙ୍କର ଜନ୍ମ ୧୯୨୪ ମସିହା ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ ମହମ୍ମଦଙ୍କର ଛଅଟି ସନ୍ତାନଙ୍କ ଭିତରୁ ରଫି ଥିଲେ ଦ୍ୱିତୀୟ।

ଦେଶଭକ୍ତି ଗୀତ ଗାଇ ସୈନିକମାନଙ୍କର ମନୋବଳ ବୃଦ୍ଧି କରିଥିଲେ

୧୯୬୨ରେ ସଂଗଠିତ ହୋଇଥିଲା ଭାରତ-ଚୀନ ଯୁଦ୍ଧ। ଏହି ଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କ ସାହସ ଓ ଆତ୍ମବଳ ବୃଦ୍ଧି ପାଇଁ କଣ୍ଠଶିଳ୍ପୀ ମହମ୍ମଦ ରଫି ନିଜର ଯୋଗଦାନ ଦେଇଥିଲେ।

ମହମ୍ମଦ ରଫି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ। ସେଠାରେ ସେ ୧୪ ହଜାର ଫୁଟ୍‌ ଉଚ୍ଚ ସ୍ଥିତ ସାଙ୍ଗଲାରେ ଦେଶଭକ୍ତି ଗୀତ ଗାଇ ସୈନିକମାନଙ୍କର ମନୋବଳ ବୃଦ୍ଧି କରିଥିଲେ।

ସଙ୍ଗୀତକାରଙ୍କୁ ପଇସା କଥା ପଚାରୁନଥିଲେ

କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ବିଷୟରେ ଗୋଟିଏ କଥା ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ସେ ଗୀତ ଗାଇବା ପୂର୍ବରୁ ଗୋଟିଏ ପ୍ରସଙ୍ଗ ଉଠାନ୍ତି ନାହିଁ।

ଜଣେ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ୍‌ ରଫିଙ୍କୁ ଗୀତ ଗାଇବାକୁ ଆମନ୍ତ୍ରଣ କରିଲେ, ଯଦି ତା’ର ସ୍ୱର ତାଙ୍କ ମନକୁ ଛୁଏଁ ସେ ଖୁସିରେ ଗୀତ ଗାଇଥା’ନ୍ତି। ହେଲେ ଆପଣ ଜାଣନ୍ତି କି ଏହି ଗୀତ ପାଇଁ ତାଙ୍କୁ କେତେ ଟଙ୍କା ପାରିଶ୍ରମିକ ମିଳିବ, ସେ କଥା ରଫି କେବେ ବି ସଙ୍ଗୀତକାରଙ୍କୁ ପଚାରନ୍ତି ନାହିଁ କି ଅନ୍ୟକାହାଠୁ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ।

ମହମ୍ମଦ ରଫି କେତେକ ଗୀତ ମାତ୍ର ଏକ ଟଙ୍କା ନେଇ ବି ଗାଇଛନ୍ତି ବୋଲି କୁହାଯାଏ।

ଗୋଟିଏ ଗୀତର ପାରିଶ୍ରମିକରେ ଗାଇଥିଲେ ଦୁଇଟି ଓଡ଼ିଆ ଗୀତ

ପ୍ରଖ୍ୟାତ ଗାୟକ ମହମ୍ମଦ ରଫି ଆଦୌ ପଇସାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଏ କଥାର ପ୍ରମାଣ ଓଡ଼ିଆ ଗୀତ କ୍ଷେତ୍ରରେ ବି ଘଟିଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ ମହାପାତ୍ର ତାଙ୍କ ଫିଲ୍ମ ‘ଅରୁନ୍ଧତୀ’ରେ ମହମ୍ମଦ ରଫିଙ୍କୁ ଦୁଇଟି ଗୀତ ଗାଇବାକୁ ଅନୁରୋଧ କରିଥିଲେ। ସେ ସମୟରେ ସେ ଗୋଟିଏ ଗୀତ ପାଇଁ ୧୦ ହଜାର ଟଙ୍କା ନେଇଥିଲେ। ହେଲେ ଓଡ଼ିଆ ଏକ ଆଞ୍ଚଳିକ ଭାଷା ହୋଇଥିବା ହେତୁ ହଜାରେ ଟଙ୍କାରେ ଗୋଟିଏ ଗୀତ ଗାଇବାକୁ ରାଜି ହୋଇଥିଲେ।

ଗୀତ ରେକର୍ଡିଂ ସମୟରେ ପ୍ରଯୋଜକଙ୍କର ଅର୍ଥାଭାବ ଦେଖାଦେଲା। ଏ କଥା ସଙ୍ଗୀତକାର ରଫି ସାହେବଙ୍କୁ ଜଣାଇଥିଲେ। ଏଥିରେ ବିଚଳିତ ବା କ୍ଷୁବ୍ଧ ନ ହୋଇ ମହମ୍ମଦ ରଫି କହିଥିଲେ, “କିଛି କଥା ନାହିଁ, ଗୋଟିଏ ଗୀତର ପାରିଶ୍ରମିକରେ ମୁଁ ଦୁଇଟିଯାକ ଗୀତ ଗାଇବି।” ତାହା ହିଁ ହେଲା, ମହମ୍ମଦ ରଫି ମାତ୍ର ହଜାରେ ଟଙ୍କାରେ ଦୁଇଟି ଗୀତ ଗାଇଥିଲେ।

ସେହି ଦୁଇଟି ଶ୍ରୁତିମଧୁର ଓ ଚିରସବୁଜ ଗୀତ ହେଲା- ‘ମୟୁରୀ ଗୋ ତୁମ ଆକାଶେ ମୁଁ ମହ୍ଲାର…’ ଏବଂ ‘ତୁମକୁ ପାରୁନି ତ ଭୁଲି’।

ମହମ୍ମଦ ରଫିଙ୍କ ବ୍ୟତୀତ ଅରୁନ୍ଧତୀରେ ଲତା ମଙ୍ଗେସକର ବି ଗାଇବାର ଥିଲା। ହେଲେ ସେ ଗାଇନଥିଲେ। ମହମ୍ମଦ ରଫିଙ୍କୁ ଗୀତର ଅର୍ଥ ଓ ଶବ୍ଦଗୁଡ଼ିକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଷ୍ଟୁଡିଓରେ ଉପସ୍ଥିତ ଥିବା ଗୀତିକାର ତଥା ସଂଳାପ ଲେଖକ ଗୁରୁକୃଷ୍ଣ ଗୋସ୍ୱାମୀ। ଷ୍ଟୁଡିଓରେ ଲାଇଭ ରେକର୍ଡିଂ ସମୟରେ ହିଁ ଜଣାପଡ଼ିଥିଲା ଯେ ମହମ୍ମଦ ରଫିଙ୍କର ଏ ଦୁଇଟି ଗୀତ ସୁପରହିଟ୍ ହେବ।

 

Comment