ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଏମ୍‌ସରେ ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା। ଫୁସ୍‌ ଫୁସ୍‌ କ୍ୟାନସରରେ ସେ ଆକ୍ରାନ୍ତ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଆଜି ଭୁବନେଶ୍ୱର ଏମ୍‌ସରେରେ ଭର୍ତ୍ତି କରିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

କିଛିଦିନ ତଳେ ଦାମ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଫୁସ୍‌ଫୁସ୍‌ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ହେଲେ ଅର୍ଥ ପ୍ରତିବନ୍ଧକ ସାଜିବାରୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ସମର୍ଥ ହେଲେନି ଦାମଙ୍କ ପରିବାରବର୍ଗ। ତାଙ୍କୁ ଆଜି ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି।

୧୯୭୭ରେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ ଦାମ ପଣ୍ଡା। ଦୀର୍ଘ ୪୦ ବର୍ଷ ଧରି ବିଭିନ୍ନ ଯାତ୍ରା ପାର୍ଟିରେ ରହି ଦର୍ଶକଙ୍କ ମନୋରଞ୍ଜନ କରି ଆସିଛନ୍ତି ସେ। ହେଲେ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ସେ ଚଳିତ ବର୍ଷ କୌଣସି ଯାତ୍ରା ପାର୍ଟିରେ ସାମିଲ ହୋଇ ନାହାନ୍ତି।

Comment