ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କ୍ୟାନ୍ସର ବା କର୍କଟ ରୋଗ ହେଉଛି ଏକ ପ୍ରାଣଘାତୀ ରୋଗ। ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି।
ଠିକ୍ ସମୟରେ କର୍କଟ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି। କ୍ୟାନ୍ସର ରୋଗ ସମ୍ପର୍କରେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା ଦ୍ଵାରା ଜଣେ କ୍ୟାନ୍ସର ପୀଡ଼ିତ ରୋଗୀର ଜୀବନ ଧାରଣର ମାନକୁ ଉନ୍ନତ କରାଯାଇପାରିବ।
ବିଶ୍ଵ କର୍କଟ ଦିବସ ଅବସରରେ ଏହି ରୋଗକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।
କ୍ୟାନ୍ସର କ’ଣ, କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ୧୦ଟି ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିତ ସଂକ୍ରମଣରୁ କର୍କଟ ରୋଗର ଉତ୍ପତ୍ତି ହୋଇଥାଏ।
କ୍ୟାନ୍ସର ରୋଗ ବିଭିନ୍ନ ପ୍ରକାରର ରହିଛି। ରକ୍ତ କର୍କଟ, ମୁଣ୍ଡ ଓ ଗଳା କର୍କଟ, କୋଲୋରେକ୍ଟାଲ କର୍କଟ, ପ୍ରୋଷ୍ଟେଟ କର୍କଟ, ବୋନ କର୍କଟ, ସ୍ତନ କର୍କଟ, ବ୍ଲାଡର କର୍କଟ, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କର୍କଟ, ଫୁସଫୁସ କର୍କଟ, ସର୍ଭାଇକାଲ କର୍କଟ, ଆଖି କର୍କଟ, ମୁଖ ଗହ୍ଵର କର୍କଟ, ଓଭାରିଆନ କର୍କଟ, ପାନକ୍ରିଆଟିକ୍ କର୍କଟ ଏବଂ ଜିଭରେ କର୍କଟ ଆଦି ରୋଗରେ ଅଧିକାଂଶ ଲୋକ ପୀଡ଼ିତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି। ଏଥି ମଧ୍ୟରୁ ଅଧିକ ଘାତକ ହେଉଛି ରକ୍ତ କର୍କଟ।
କ୍ୟାନ୍ସର ରୋଗୀଙ୍କୁ ରେଡିଏସନ୍ ତଥା କେମୋଥେରାପି ଭଳି ଚିକିତ୍ସା କରିବାକୁ ପଡ଼ିଥାଏ। ଏହାର ଅନେକ ଗୁଡ଼ିଏ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହେବା ସହ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ ରହିଥାଏ। ତେଣୁ ଏହି ସମୟରେ ସଠିକ୍ ପୋଷଣର ଆବଶ୍ୟକତା ରହିଛି।
ଡାକ୍ତରଙ୍କ କହିବା ଅନୁସାରେ ଯଦି ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍ସର ରୋଗକୁ ଚିହ୍ନି ହେବ ତେବେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ କ୍ୟାନ୍ସରକୁ ନେଇ ସଚେତନ ହେବାର ଆବଶ୍ୟକତା ରହିଛି।
ତେବେ କର୍କଟ ରୋଗକୁ କେମିତି ଚିହ୍ନିବେ ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିରରଞ୍ଜନ ଖାଡ଼ଙ୍ଗାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #WorldCancerDay #Cancer #UnitedByUnique #FightToCancer #Cancer #Causes #Treatment #OdiaHealthTips #DoctorAdvice