ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନା କହିଲେ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ।

ବିଜେପିର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସ୍ଲୋଗାନକୁ ଶକ୍ତ ଧକ୍କା ଲାଗିଛି। ଦଳ ପକ୍ଷରୁ ଏନେଇ କିଛି ଦିନ ଧରି ଜୋରସୋର ଉଦ୍ୟମ ଜାରି ରହିଥିଲା। କିନ୍ତୁ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ ଏହାକୁ ସିଧାସଳଖ ପ୍ରତ୍ୟଖ୍ୟାନ କରିଦେଇଛନ୍ତି।

ଆଇନର ପରିବର୍ତ୍ତନ ବିନା ଲୋକସଭା ଓ ବିଧାନସଭା ନିର୍ବାଚନ ଏକତ୍ର କରିବା ସମ୍ଭବ ନୁହେଁ ବୋଲି କହିବା ପରେ ଏନେଇ ଯେତେ କଳ୍ପନା ଜଳ୍ପନା ଚାଲିଥିଲା ତାହା ଆପାତତଃ ଶେଷ ହୋଇଛି। ଏଣୁ ଆସନ୍ତା ବର୍ଷ କେବଳ ଲୋକସଭା ଓ ଅଳ୍ପ କିଛି ରାଜ୍ୟରେ ହିଁ ନିର୍ବାଚନ ହେବ। ଔରଙ୍ଗବାଦରେ ସାମ୍ବାଦିକମାନଙ୍କ ସହିତ କଥା ହେବା ବେଳେ ଜଣେ ସାମ୍ବାଦିକ ଯେତେବେଳେ ଏ କଥା ପଚାରିଲେ ରାୱତ କହିଲେ ‘ଚାନ୍ସ ନାହିଁ’।

ଆସନ୍ତା ବର୍ଷ ଏପ୍ରିଲ/ମେ’ ମାସରେ ଲୋକସଭା ନିର୍ବାଚନ ହେବ। ଚଳିତ ବର୍ଷ ଶେଷ ଆଡ଼କୁ କିନ୍ତୁ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ଓ ୨୦୧୯ରେ ମଧ୍ୟ ଆଉ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ।

ଗତ କିଛି ମାସ ଧରି ବିଜେପି ପକ୍ଷରୁ ଏକକାଳୀନ ନିର୍ବାଚନ ପାଇଁ ଆଲୋଚନା ଆରମ୍ଭ କରା ଯାଇଥିଲା। ବିଜେପି ସଭାପତି ଅମିତ ଶାହ ଲ’ କମିଶନଙ୍କୁ କିଛିଦିନ ତଳେ ଚିଠି ଲେଖିଥିଲେ ଓ କହିଥିଲେ ଯେ ଦେଶ ସବୁବେଳେ ନିର୍ବାଚନ ମୁଡ୍‌ରେ ରହି ପାରିବ ନାହିଁ।

Comment