ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଜର୍ମାନ ଯାଇଛନ୍ତି। ହାମବର୍ଗସ୍ଥିତ ବୁସେରିୟସ ସମର ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ମୋଦି ସରକାର ଉପରେ ହମ୍ଲା କରିଛନ୍ତି ରାହୁଲ୍। ବିମୁଦ୍ରାକରଣ ଓ ଜିଏସ୍ଟି ନିୟମ ଲାଗୁ କରି ମୋଦି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଛାରଖାର କରିଦେଇଥିବା କହିଛନ୍ତି ରାହୁଲ।
“ବିମୁଦ୍ରାକରଣ ଏବଂ ଜିଏସ୍ଟି ନୀତି ଲାଗୁ କରି ମୋଦି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଝଟକା ଦେଇଛନ୍ତି। ବହୁ ଶିଳ୍ପ ମନ୍ଦ ହୋଇଯାଇଛି। ଫଳରେ ଅଧିକାଂଶ ଭାରତୀୟ ଯୁବକ ରୋଜଗାର ହରାଇଛନ୍ତି। କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟବସାୟ କରିପାରୁ ନାହାନ୍ତି। ଯେଉଁ ଲୋକେ ସହରରେ ବ୍ୟବସାୟ କରୁଥିଲେ ସେମାନେ କ୍ଷତି ସହିବାରୁ ଗାଁକୁ ଫେରି ଯାଉଛନ୍ତି”, କହିଛନ୍ତି ରାହୁଲ୍।
ମହିଳାଙ୍କୁ ଅଧିକାର ଦେବା ନେଇ ରାହୁଲ କହିଛନ୍ତି ଯେ ସଂସଦ ଏବଂ ବିଭିନ୍ନ ରାଜନୀତିକ ଦଳରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା କମ୍ ଅଛି। ସଂସଦରେ ମହିଳା ସଂରକ୍ଷଣ ବିଲ୍ ପଡ଼ିକି ରହିଛି। ପାସ୍ ହୋଇ ପାରୁନି। ଯଦି ଭାରତୀୟ ପୁରୁଷଙ୍କ ପରି ମହିଳାଙ୍କୁ ସମାନ ଅଧିକାର ଦେବା ନାହିଁ ତାହାଲେ ଦେଶର ବିକାଶ ଅସମ୍ଭବ।
ଆମେରିକା ସହ ଭାରତର ସାମରିକ ସମ୍ପର୍କ ଭଲ ରହିଛି। ଆମେ ଏହି ଦେଶ ସହ ଗଣତାନ୍ତ୍ରିକ ପଦ୍ଧତିରେ ବିଚାର ବିମର୍ସ କରୁଛୁ। କିନ୍ତୁ ଚୀନ ବିକାଶ ପଥରେ ଆଗେଇ ଚାଲିଛି ବୋଲି ଆମେ ଏହାକୁ ଅସ୍ୱୀକାର କରିପାରିବା ନାହିଁ। ଦୁଇ ଦେଶ ମଧ୍ୟରେ ଆମକୁ ଭଲ ସମ୍ପର୍କ ରକ୍ଷା କରିବାକୁ ପଡ଼ିବ ବୋଲି ରାହୁଲ କହିଛନ୍ତି।
ସଂସଦରେ ମୋଦିଙ୍କୁ ଆଲିଙ୍ଗନ କରିବା ସମ୍ପର୍କରେ ରାହୁଲ କହିଛନ୍ତି, “ସାରା ବିଶ୍ୱରେ ଘୃଣାକୁ ନେଇ ଚର୍ଚ୍ଚା ହେଉଛି। ଘୃଣା କରୁଥିବା ଲୋକଙ୍କୁ ଘୃଣା ନକରି ଭଲ ପାଇବା ଦରକାର। ଘୃଣା କରିବା ଲୋକଙ୍କୁ ଘଣା କରିବା ଅର୍ଥ ହେଉଛି ମୁର୍ଖତାର ପରିଚୟ। ଏଣୁ ମୁଁ ଘୃଣା କରୁଥିବା ଲୋକଙ୍କୁ ଆଲିଙ୍ଗନ କରିଛି।”

















